ନୂଆଦିଲ୍ଲୀ: ଲାଲକିଲ୍ଲାରୁ ଜୈନ ଧର୍ମର ୧ କୋଟି ଟଙ୍କା ମୁଲ୍ୟର ସୁନା କଳସ ଚୋରି ମାମଲାରେ ଦିଲ୍ଲୀ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି। ଏହି ଚୋରିରେ ସାମିଲ ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସୁନା କଳସକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ପୋଲିସ। ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ପୋଲିସ ମୁଖ୍ୟ ଅଭିଯୁକ୍ତର ୟୁପିଆଇ ପେମେଣ୍ଟ ପ୍ରୋଫାଇଲର ଫଟୋ ଦେଖି ତାକୁ ଗିରଫ କରିବାରେ ସଫଳ ହୋଇଥିଲା।
ଏହି ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତର ନାମ ଭୂଷଣ ବର୍ମା ହୋଇଥିବା ବେଳେ ତା ଘର ଉତ୍ତରପ୍ରଦେଶର ହାପୁର ଅଞ୍ଚଳରେ ବୋଲି ଜଣାପଡିଛି। ହୀରା, ମାଣିକ ଓ ରତ୍ନ ପଥର ଖଚିତ ହୋଇଥିବା ଏହି ସୁନା କଳସକୁ ପୋଲିସ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛି।
ସୂଚନା ମୁତାବକ, ଉକ୍ତ ଚୋର ଜଣକ ପୂର୍ବରୁ ସୁନା ବ୍ୟବସାୟ ସହ ଜଡିତ ଥିବା ବେଳେ ଜୁଆ ଖେଳି ସର୍ବସ୍ୱାନ୍ତ ହୋଇଯାଇଥିଲେ। ଏହି ସମୟରେ ସେ ୟୁଟ୍ୟୁବ ଯୋଗେ ଲାଲକିଲ୍ଲାରେ ଆୟୋଜିତ ଜୌନ ପର୍ବ ସମ୍ୱଦ୍ଧରେ ଜାଣିବାକୁ ପାଇଥିଲେ। ଏଣୁ ସେ ନିଜକୁ ଏକ ଜୈନ ମୁନି ଭଳି ସଜେଇ ଗତ ସେପ୍ଟେମ୍ୱର ୩ ତାରିଖ ଦିନ ଏହି ପର୍ବରେ ଯୋଗ ଦେଇଥିଲା।
ସନ୍ଦେହ ଏଡାଇବାକୁ ୧୫ ଅଗଷ୍ଟ ପାର୍କର ଗେଟ୍ ନମ୍ୱର ୧୫ ନିକଟରେ ସେ ସମସ୍ତଙ୍କ ସହ ସାଙ୍ଗ ହୋଇ ଶୋଇଥିଲେ। ଏହାପରେ ସୁଯୋଗ ଉଣ୍ଡି ସୁନା କଳସ ସାଙ୍ଗକୁ ସୁନା ନଡିଆ ଓ ଅନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଚୋରି କରି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଲାଲକିଲ୍ଲା ଭଳି ଏକ ସୁରକ୍ଷିତ ସ୍ଥାନରୁ ଏଭଳି ଚୋରି ହେବା ଘଟଣାକୁ ନେଇ ସମଗ୍ର ଦେଶରେ ଅଲୋଡନ ସୃଷ୍ଟି ହୋଇଥିଲା। ସମଗ୍ର ଦେଶର ଜୈନ ସମ୍ପଦାୟ ଏହାର ବିରୋଧ କରିବା ସହ ଦୋଷି ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।
ଏହି ଚୋରି ସମୟର ଏକ ଫୁଟେଜରେ ଅଭିଯୁକ୍ତ ବର୍ମା ଚୋରି କରି ଘଟଣାସ୍ଥଳରୁ ଘସି ଯାଉଥିବାର ଦୃଶ୍ୟ କଏଦ ହୋଇଥିଲା। ପୋଲିସ ଏଠାରୁ ଏକ ଫଟୋ ନେଇ ଫେସିଆଲ ରେକକନାଇଜ ସଫ୍ଟୱେୟାର ଯୋଗେ ଏହାର ତଲାସି ଆରମ୍ଭ କରିଥିଲେ। ଯେଉଁଥିରେ ପେଟିଏମର ପ୍ରୋଫାଇଲ ପିକ୍ଚର ଏହି ଫଟୋ ସହ ମେଳ ଖାଇଥିଲା। ଯାହାକୁ ଲିଙ୍କ କରି ପୋଲିସ ଅଭିଯୁକ୍ତକୁ ଟ୍ରାକ୍ କରି ହାପୁରରେ ପହଞ୍ଚିଥିଲା।
ଚୋରି ସୁନା କଳସକୁ ତରଳାଇ ସୁନା ଖଣ୍ଡ ଆକାରରେ ବିକ୍ରି କରିବାକୁ ଯୋଜନା କରିଥିବା ମୁଖ୍ୟ ଅଭିଯୁକ୍ତ ଭୂଷଣ ଏଥିରେ ସହଯୋଗ ପାଇଁ ନିଜର ଦୁଇଜଣ ସାଥି ଗୌରବ ଓ ଅଙ୍କିତକୁ ଏଥିରେ ସାମିଲ କରିଥିଲା। ହେଲେ ପୋଲିସ ଉପଯୁକ୍ତ ସମୟରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିଥିଲା।