ନୂଆଦିଲ୍ଲୀ,୨୫/୦୯:  ନିକଟରେ ନ୍ୟୁ ମେକ୍ସିକୋର ରିଓ ଗ୍ରାଣ୍ଡ ଗର୍ଜ ବ୍ରିଜ୍‌ରେ ଆତ୍ମହତ୍ୟା ମାମଲା ଖୁବ୍‌ ବଢ଼ିଛି । ଏଥିପାଇଁ ପଥଚାରୀଙ୍କ ପାଇଁ ପୋଲକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ଘୋଷଣା କରାଯାଇଛି । ଏହାର ଦିନକ ପୂର୍ବରୁ ଜଣେ ୧୫ ବର୍ଷୀୟ ସ୍ଥାନୀୟ ବାଳକର ଶବ ଏଠାରୁ ମିଳିଥିଲା । ସେ ଏହି ପୋଲରୁ ଡେଇଁ ପ୍ରାଣ ହରାଇଥିଲା । ୨୦୨୫ରେ ପୋଲରେ ଏହା ୬ଷ୍ଠ ଆତ୍ମହତ୍ୟା ମାମଲା । ଗତ ୩ ସପ୍ତାହରେ ୩ ଜଣ ଏଠାରେ ଆତ୍ମହତ୍ୟା କରଛନ୍ତି, ତନ୍ମଧ୍ୟରେ ୬୦ ବର୍ଷୀୟ ଆମେରିକୀୟ ଆର୍ମିର ପୂର୍ବ ସୈନ୍ୟ ମଧ୍ୟ ଅଛନ୍ତି ।

ଅଧିକାରୀଙ୍କ ଅନୁସାରେ, ନିକଟରେ ଘଟିଥିବା ଏହି ଘଟଣା ପରେ ଚଳିତ ବର୍ଷ ରେକର୍ଡ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ଷ୍ଟିଲ୍‌-ଆର୍ଚ ବ୍ରିଜ୍‌ ୧,୨୮୦ ଫୁଟ (୩୯୦ ମିଟର) ଲମ୍ବ ଏବଂ ୬୦୦ ଫୁଟ ଉଚ୍ଚ । ତାଓସରୁ ୫ ମାଇଲ ଉତ୍ତର-ପଶ୍ଚିମରେ ରିଓ ଗ୍ରାଣ୍ଡ୍‌ର ଉପରେ ଏହା ବିସ୍ତୃତ । ଏହା କେବଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ନାହିଁ, ବରଂ ଆତ୍ମହତ୍ୟା ପାଇଁ ମଧ୍ୟ କୁଖ୍ୟାତି ମୁଣ୍ଡାଇଛି । ଏହାର ୪ ଫୁଟର ରେଲିଂକୁ ସହଜରେ ପାର କରାଯାଇ ପାରିବ, ଯାହା ସୁରକ୍ଷା ଦୃଷ୍ଟିରୁ ଚିନ୍ତାର ବିଷୟ । ତେବେ ସୁରକ୍ଷା ଜାଲ ଓ ବାଡ଼ ଯୋଗୁ ଆତ୍ମହତ୍ୟା ହ୍ରାସ ହେଉଥିବା ଦେଖିବାକୁ ମିଳିଛି । ସାନ୍‌ ଫ୍ରାନ୍ସିସ୍କୋର ଗୋଲ୍ଡେନ୍‌ ଗେଟ୍‌ ବ୍ରିଜ୍‌ରେ ୨୦୨୪ରେ ଜାଲ ଲଗାଇବା ପରେ ଆତ୍ମହତ୍ୟା ମାମଲା ୭୩ ପ୍ରତିଶତ କମିଛି । ଫ୍ଲୋରିଡାର ସନ୍‌ଶାଇନ୍‌ ସ୍କାଇୱେ ବ୍ରିଜ୍‌ରେ ମଧ୍ୟ ୨୦୨୧ରେ ୧୧ ଫୁଟ ଉଚ୍ଚ ଜାଲ ଲଗାଇବା ପରେ ମୃତ୍ୟୁ ହାର ଖୁବ୍‌ କମିଛି । ନ୍ୟୁ ମେକ୍ସିକୋ ପରିବହନ ବିଭାଗ ବ୍ରିଜ୍‌ରେ ଆଡ୍‌ଭାନ୍ସଡ୍‌ କ୍ରାଇସିସ୍‌ କଲ୍‌ ବକ୍ସ ଲଗାଇଛି । ତେବେ ୨୦୧୮ର ଏକ ଅଧ୍ୟୟନ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା, ସୁରକ୍ଷା ବାଡ଼ କିମ୍ବା ଜାଲ ଲଗାଇବା ପାଇଁ ପୋଲର ସଂରଚନାକୁ ମଜଭୁତ କରିବା ଆବଶ୍ୟକ । ଇତିମଧ୍ୟରେ ସୁରକ୍ଷା ଗାର୍ଡଙ୍କ ସଂଖ୍ୟା ବି ବଢ଼ାଇ ଦିଆଯାଇଛି ।