ଭୁବନେଶ୍ୱର,୮।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି।  ରାଜ୍ୟର ସମସ୍ତ ଅଞ୍ଚଳରେ ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀ ତଥା ଅନ୍ୟାନ୍ୟ ସଂଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡା ନଜର ରଖିବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ ଶାନ୍ତିପୂର୍ଣ୍ଣ ରାଜ୍ୟଭାବେ ପରିଚିତ ଓଡିଶାର ଛବିକୁ ମଳିନ କରିବା ପାଇଁ କିଛି ଉଦ୍ଦେଶ୍ୟ ପ୍ରଣୋଦିତ ଗୋଷ୍ଠୀ ଉଦ୍ୟମ କରୁଛନ୍ତି। ସେମାନଙ୍କୁ ଦୃଢହସ୍ତରେ ଦମନ କରିବାର ଆବଶ୍ୟକତା ରହିଛି ଏପରି ବ୍ୟକ୍ତିମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ପୋଲିସ ଉଚ୍ଚ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କଟକ ଘଟଣାରେ ପରିସ୍ଥିତି ସ୍ୱଭାବିକ ହେଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। କର୍ଫ୍ୟୁ ଉଠିବା ସହିତ ଇଣ୍ଟରନେଟ ସେବା ପୁନଃସ୍ଥାପିତ ହୋଇଛି ବୋଲି ଜଣାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିସ୍ଥିତି ସାମାନ୍ୟ ହେଲେ ମଧ୍ୟ ପୋଲିସକୁ ସତର୍କ ରହିବାକୁ ପଡିବ ଏବଂ କୌଣସି ପରିସ୍ଥିତିରେ କୋହଳ ମନୋଭାବ ପୋଷଣ କରିବା ଉଚିତ୍ ନୁହେଁ। ବର୍ତ୍ତମାନ ପରିସ୍ଥିତିରେ ସବୁ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ସହିତ ପାଟ୍ରୋଲିଙ୍ଗ୍ ଜାରି ରଖାଯାଉ।

ଭାଇଚାରାର ସହରରେ ଯେପରି ସାମାଜିକ ସଦ୍‍ଭାବ ଫେରି ଆସିବ ସେଥିପାଇଁ ବିଭିନ୍ନ ଗୋଷ୍ଠୀର ନେତୃବୃନ୍ଦଙ୍କ ସହିତ ପୋଲିସ ଉଚ୍ଚ ପଦାଧିକାରୀମାନେ ଆଲୋଚନା ଜାରି ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାଇଚାରାର ସହର କଟକର ଅଧିବାସୀଙ୍କୁ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ।

ବ୍ରହ୍ମପୁରର ଆଇନଜୀବୀ ତଥା ସମାଜସେବୀ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ।  ହତ୍ୟାକାରୀମାନଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଅପରାଧୀମାନେ ଯେପରି ଆଇନର ସମ୍ମୁଖୀନ ହେବେ ଓ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ ସେଥିପ୍ରତି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।