ନୂଆଦିଲ୍ଲୀ ୦୮/୧୦: ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ଭାବେ ନୂଆଦିଲ୍ଲୀଠାରେ ସେନା ପ୍ରମୁଖଙ୍କୁ ଭେଟିଛନ୍ତି ମାଲାୟାଲମ୍‌ ସୁପର୍‌ଷ୍ଟାର ମୋହନଲାଲ । ନିକଟରେ ସେ ରାଷ୍ଟ୍ରପତିଙ୍କଠୁ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ ପୁରସ୍କାର ଗ୍ରହଣ କରିଥିଲେ । ଏଥିପାଇଁ ମଙ୍ଗଳବାର ସେନା ପ୍ରମୁଖ ତାଙ୍କୁ ସମ୍ମାନିତ କରିଛନ୍ତି । ଏହି ସମ୍ମାନ ପାଇଁ ମୋହନଲାଲ ସେନା ମୁଖ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏ ଅବସରରେ ଟେରିଟୋରିଆଲ ଆର୍ମି ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଛନ୍ତି ।

ସାକ୍ଷାତ ପରେ ମୋହନଲାଲ କହିଛନ୍ତି ସେନା ମୁଖ୍ୟଙ୍କଠୁ ପ୍ରଶଂସା ପ୍ରାପ୍ତି ଏକ ବଡ଼ ଉପଲବ୍ଧି ଏବଂ ଖୁବ୍‌ ସମ୍ମାନାସ୍ପଦ । ଦାଦା ସାହେବ ଫାଲ୍‌କେ ମଧ୍ୟ ଏହାର ଅନ୍ୟତମ କାରଣ । ଗତ ୧୬ ବର୍ଷ ଧରି ମୁଁ ଟେରିଟୋରିଆଲ ଆର୍ମିର ଅଂଶ ହୋଇ ରହିଛି । ଟେରିଟୋରିଆଲ ବାଟାଲିଅନ୍‌ରେ ଅଧିକ ଦକ୍ଷତା ପ୍ରାପ୍ତି ଓ ଦେଶ ପାଇଁ ଆମେ କଣ କରିପାରିବୁ, ସେ ସମ୍ପର୍କରେ ମଧ୍ୟ ଆମେ ଆଲୋଚନା କଲୁ ।

 ୨୦୦୯ ମସିହାରେ ଟେରିଟୋରିଆଲ ଆର୍ମି ସହ ମୋହନଲାଲଙ୍କ ଯାତ୍ରା ଆରମ୍ଭ ହୋଇଥିଲା । ତତ୍‌କାଳୀନ ସେନା ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମାରୋହରେ ତାଙ୍କୁ ଔପଚାରିକ ରୂପେ ସମ୍ମାନଜନକ ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ରୂପେ ସେନାରେ ସାମିଲ କରାଯାଇଥିଲା । ସେ ଭାରତୀୟ ସେନା ତରଫରୁ ଏହି ସମ୍ମାନ ଗ୍ରହଣ କରିଥିବା ପ୍ରଥମ ଭାରତୀୟ ଅଭିନେତା ଥିଲେ । ଚଳଚ୍ଚିତ୍ରରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ଏବଂ ମାଲାୟାଲମ୍‌ ସିନେମାରେ ଦେଶଭକ୍ତିର ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସେନାରେ ସାମିଲ ହେବା ପରଠୁ ମୋହନଲାଲ ଟେରିଟୋରିଆଲ ସେନା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି ଏବଂ ସେନା ଗତିବିଧି ସମ୍ପର୍କିତ ଜନସାଧାରଣଙ୍କ କାର୍ଯ୍ୟ ନିମନ୍ତେ ନିୟମିତ ୟୁନିଫର୍ମରେ ନଜର ଆସିଛନ୍ତି । ୨୦୨୪, ଅଗଷ୍ଟରେ ସେ ୱାୟନାଡ଼ର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ । ୟୁନିଫର୍ମରେ ସେନା ଅଧିକାରୀଙ୍କ ସହ ଆଲୋଚନା କରି ସେନା ସମ୍ପର୍କିତ ପ୍ରୟାସ ପ୍ରତି ନିଜର ଅଙ୍ଗୀକାରବଦ୍ଧତାକୁ ଦର୍ଶାଇଥିଲେ ।