ତୁରୁମୁଙ୍ଗା, ୧୦/୧୦ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ବୃହତ୍ ଇସ୍ପାତ ପ୍ରକଳ୍ପକୁ ସ୍ଥାନୀୟ ଲୋକଙ୍କ ବିରୋଧ। ପ୍ରସ୍ତାବିତ ଅଞ୍ଚଳରୁ ଭିଟାମାଟି ନଛାଡ଼ିବା ଦାବିରେ ପ୍ରତିବାଦ। ଗ୍ରାମସଭା ବନ୍ଦ କରିଦେଲେ ସ୍ଥାନୀୟ ଲୋକେ।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ବୃହତ ଇସ୍ପାତ ପ୍ରକଳ୍ପ କରିବା ପାଇଁ ରାଜ୍ୟ ସରକାର ଜେ.ଏସ.ଡବ୍ଲୁ ଏବଂ ପୋସ୍କୋ ସହିତ ଚୁକ୍ତି କରିଛନ୍ତି। ହେଲେ ପ୍ରସ୍ତାବିତ ଅଞ୍ଚଳର ଲୋକମାନେ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ଷ୍ଟିଲ୍ ପ୍ଲାଣ୍ଟ ପାଇଁ କମ୍ପାନୀ ପକ୍ଷରୁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଦିନ ସାଢେ ୧୦ଟାରେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଭୃଙ୍ଗରାଜପଶି ମୌଜାରେ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମସଭାର ଆୟୋଜନ କରାଯାଇଥିଲା। ହେଲେ ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରି ଗ୍ରାମସଭା ବନ୍ଦ କରି ଦେଇଛନ୍ତି। ଭୋରରୁ ପ୍ରତିରୋଧ ମଞ୍ଚର ଲୋକମାନେ ଭୃଙ୍ଗରାଜ ମୌଜାର ପଡ଼ୋଶୀ ତଥା ପାରିପାର୍ଶ୍ବିକ ଗ୍ରାମ ଯଥା ନୂଆଖମଣ, ବରୁଡିପଶି, ଚିଲିଦା ଓ ଚେମଣା ରାସ୍ତାଗୁଡ଼ିକ ଅବରୋଧ କରିଛନ୍ତି। ପ୍ରତ୍ୟେକ ରାସ୍ତାରେ ଅଞ୍ଚଳବାସୀ ଜଗି ରହି ଗ୍ରାମସଭାକୁ ବନ୍ଦ କରି ଦେଇଛନ୍ତି। ପ୍ରଶାସନ ମଧ୍ୟ ସ୍ଥାନୀୟ ଲୋକଙ୍କୁ ସାମ୍ନା କରିନପାରି ଗ୍ରାମସଭା ବାତିଲ୍ କରିଦେଇଛି।
ଖବର ଲେଖାଯିବା ବେଳକୁ ପ୍ରଶାସନ ତରଫରୁ ଭୃଙ୍ଗରାଜ ମୌଜାକୁ କେହି ପ୍ରବେଶ କରି ନଥିବାର ଖବର ହସ୍ତଗତ ହୋଇଛି। ପୋସ୍କୋ ବିରୋଧ ମଞ୍ଚ କହିବା ଅନୁସାରେ, ପ୍ରଶାସନ ଯେତେ ଚେଷ୍ଟା କରିଲେ ମଧ୍ୟ ଗ୍ରାମସଭା କରିବାକୁ ଦେବୁ ନାହିଁ କି ଷ୍ଟିଲ ପ୍ଲାଣ୍ଟ ପାଇଁ ଭିଟା ମାଟି ଛାଡ଼ିବୁ ନାହିଁ। ଏଭଳି ସ୍ଥିତିରେ କେନ୍ଦୁଝରର ମେଗା ଷ୍ଟିଲ ପ୍ଲାଣ୍ଟ ଆଶା କେତେଦୂର ସଫଳ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।