ନୂଆଦିଲ୍ଲୀ, ୨୦/୦୯: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରନ ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଫ୍ରାନ୍ସର ପ୍ରଥମ ମହିଳା ବ୍ରିଜିଟ୍ ମହିଳା ନୁହଁନ୍ତି । ଜନ୍ମରୁ ପୁରୁଷ ଥିଲେ । ପରେ ନିଜ ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି ବୋଲି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍ଥକ ତଥା ଦକ୍ଷିଣପନ୍ଥୀ ରାଜନୈତିକ ସମାଲୋଚକ କାଣ୍ଡେସ ଓୱେନ୍ସ । ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଆମେରିକାର ଏକ କୋର୍ଟରେ ତାଙ୍କ ପତ୍ନୀ ଟ୍ରାନ୍ସଜେଣ୍ଡର ନୁହଁନ୍ତି ବୋଲି "ପ୍ରମାଣ" ଉପସ୍ଥାପନ କରିବାକୁ ବାଧ୍ୟ କରାଯାଉଛି । ମାକ୍ରନଙ୍କ ଓକିଲ ଟମ୍ କ୍ଲେୟାର କହିଛନ୍ତି ଯେ, ରାଷ୍ଟ୍ରପତି ତାଙ୍କ ପତ୍ନୀଙ୍କ ଗର୍ଭଧାରଣ ଏବଂ ସନ୍ତାନ ପାଳନ ସହିତ ଜଡିତ ଫଟୋଗ୍ରାଫ୍ ଏବଂ ଦସ୍ତାବିଜ୍ କୋର୍ଟରେ ଉପସ୍ଥାପନ କରିବେ । ତେବେ କଣ ସତରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପତ୍ନୀ ମହିଳା ନୁହଁନ୍ତି ? ଏନେଇ ଏବେ ପ୍ରଶ୍ନ ଉଠୁଛି ।
ମାକ୍ରନଙ୍କ ପତ୍ନୀ ପୁରୁଷ ନା ମହିଳା ? ଏଭଳି ଅଭିଯୋଗ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ମାକ୍ରନ ଓ ତାଙ୍କ ପତ୍ନୀ । ଏ ଅଭିଯୋଗକୁ ଭିତ୍ତିହୀନ ଓ ଆପତ୍ତିଜନକ କହିବା ସହ ଓୱେନ୍ସଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି । ଏପରିକି ନିଜକୁ ମହିଳା ବୋଲି ସାବ୍ୟସ୍ତ କରିବାକୁ ଏବେ କୋର୍ଟରେ ପ୍ରମାଣ ଦେବେ ବ୍ରିଟିଜ । ଏକ ରିପୋର୍ଟ ଅନୁସାରେ,୧୯୯୩ରେ ଫ୍ରାନ୍ସର ଏକ ସ୍କୁଲରେ ମାକ୍ରନ ଓ ବ୍ରିଜିଟଙ୍କ ପ୍ରଥମ ଦେଖା ହୋଇଥିଲା । ସେବେ ତାଙ୍କୁ ୩୯ ବର୍ଷ ହୋଇଥିଲା । ମାକ୍ରନଙ୍କୁ ସେବେ ୧୫ ବର୍ଷ ହୋଇଥିଲା । ବ୍ରିଜିଟ ସ୍କୁଲରେ ପଢାଉଥିବାବେଳେ ମାକ୍ରନ ସେଠି ଛାତ୍ର ଥିଲେ । ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କଠାରୁ ବ୍ରିଗିଟ୍ ୨୪ ବର୍ଷ ବଡ । ମାକ୍ରନଙ୍କୁ ୪୭ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ୭୨ ବର୍ଷ । ୨୦୦୭ରେ ଦୁହିଁଙ୍କର ବିବାହ ହୋଇଥିଲା ।
କିପରି ଆରମ୍ଭ ହେଲା ଏ ବିବାଦ ? ଏହି ଅଭିଯୋଗ ପ୍ରଥମେ ୨୦୧୭ ମସିହାରେ ହୋଇଥିଲା । ଯେତେବେଳେ ବ୍ଲଗର ନତାଶା ରେ ଏକ ୟୁଟ୍ଯୁବ ଭିଡିଓରେ ଦାବି କରିଥିଲେ ଯେ ବ୍ରିଜିଟେ ମାକ୍ରନ ପ୍ରକୃତରେ ତାଙ୍କ ଭାଇ, ଜିନ୍-ମିଚେଲ୍ ଟ୍ରୋଗ୍ନୁ । ଯିଏ ତାଙ୍କର ଲିଙ୍ଗ ଏବଂ ନାମ ପରିବର୍ତ୍ତନ କରିଛନ୍ତି । ୨୦୨୧ ମସିହାରେ, ସେ ଆଧ୍ୟାତ୍ମିକ ମାଧ୍ୟମରେ ଆମଣ୍ଡିନ୍ ରୟଙ୍କ ସହିତ ଏକ ସାକ୍ଷାତକାରରେ ଏହି ଦାବିକୁ ପୁନରାବୃତ୍ତି କରିଥିଲେ, ଯାହା ୨୦୨୨ ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଭାଇରାଲ ହୋଇଥିଲା । ବ୍ଲଗର ତା’ପରେ ଏକ ପିଲାଦିନର ଫଟୋକୁ "ପ୍ରମାଣ" ଭାବରେ ଉପସ୍ଥାପନ କରିଥିଲେ ଯାହା ବ୍ରିଜିଟେ ମାକ୍ରନଙ୍କ ଭାଇଙ୍କ ତାଙ୍କ ସହିତ ସମାନତା ଦର୍ଶାଇଥିଲା । ଏହି ଗୁଜବ ବ୍ୟାପିବା ପରେ, ମାକ୍ରନ ଦମ୍ପତି ବ୍ଲଗର୍ ଏବଂ ଆମଣ୍ଡିନ୍ ରୟଙ୍କ ବିରୁଦ୍ଧରେ ମାନହାନୀ ମାମଲା ଦାୟର କରିଥିଲେ । ସେପ୍ଟେମ୍ବର ୨୦୨୪ରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତଥାପି, ପ୍ୟାରିସ୍ କୋର୍ଟ ଅଫ୍ ଆପିଲ୍ ଜୁଲାଇ ୨୦୨୫ ରେ ଏହି ନିଷ୍ପତ୍ତିକୁ ଓଲଟାଇ ଦେଇଥିଲେ।