ଇଂଲଣ୍ଡ: ଇଂଲଣ୍ଡର ପଶ୍ଚିମ ମିଡଲ୍ୟାଣ୍ଡ୍ସର ଓଲ୍ଡବରୀରେ ଜଣେ ୨୦ ବର୍ଷୀୟ ଶିଖ୍‌ ମହିଳାଙ୍କ ସହ ହୋଇଥିବା ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଗତ ମଙ୍ଗଳବାର ରିପୋର୍ଟ ହୋଇଥିବା ଏହି ଘଟଣାରେ ଦୁଇଜଣ ସ୍ଥାନିୟ ଯୁବକ ଜଣେ ଶିଖ୍ ମହିଳାଙ୍କୁ ଟାର୍ଗେଟ କରି ଜାତିବାଦୀ ମନ୍ତବ୍ୟ ଦେବା ସହ ତାଙ୍କ ସହ ଯୌନ ଶୋଷଣ କରିଥିଲେ। ପଶ୍ଚିମ ମିଡଲ୍ୟାଣ୍ଡ୍ସ ପୋଲିସ ଏହାକୁ ଏକ ଘୃଣ୍ୟ ଅପରାଧ କହିବା ସହ ଏହି ଘଟଣାର ଅନୁସନ୍ଧାନ ଜାରି ରଖିଛି।

ଗିରଫ ହୋଇଥିବା ବ୍ୟକ୍ତି ଜଣକ ପୋଲିସ ହେପାଜତରେ ରହିଥିବା ବେଳେ ଏବଂ ଅନ୍ୟ ସମ୍ଭାବିତ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଅନୁସନ୍ଧାନ ଜାରି ରହିଛି। ସ୍ଥାନିୟ ପୋଲିସ ଯଥାସମ୍ଭବ ପୀଡିତ ମହିଳାଙ୍କୁ ସମର୍ଥନ ଯୋଗାଇ ଦେଉଛି। ସାଣ୍ଡୱେଲ୍‌ ପୋଲିସ ଚିଫ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ କିମ୍‌ ମ୍ୟାଡିଲ୍‌ କହିଛନ୍ତି, "ଏହି ମାମଲାରେ ଅନୁସନ୍ଧାନର ଆବଶ୍ୟକତା ରହିଛି। କୌଣସି ଘଟଣାକୁ ଅନୁମାନ ନ କରି ନ୍ୟାୟିକ ପ୍ରକ୍ରିୟାକୁ ଅଗ୍ରସର ହେବାକୁ ଦିଅନ୍ତୁ।"

ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ଶିଖ୍‌ ସମାଜରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏନେଇ ବ୍ରିଟେନର ସିଖ୍‌ ଏମପି ପ୍ରିତ କାଉର ଗିଲ ସୋସିଆଲ ମିଡିଆରେ କହିଛନ୍ତି ଯେ, "ଏହା ଏକ ଭୟଙ୍କର ଓ ଜାତିବାଦୀ ଆକ୍ରମଣ। ଶିଖ୍‌ ସମାଜକୁ ସୁରକ୍ଷିତ ଓ ସମ୍ମାନିତ ହେବାର ଅଧିକାର ଅଛି। ଜାତିବାଦ ଓ ମହିଳା ବିରୋଧୀ ମାନସିକତାର ଏଠାରେ କୌଣସି ସ୍ଥାନ ନାହିଁ।"  

ସ୍ମେଥୱିକ୍‌ର ସିଖ୍‌ ଲେବର ଏମପି ଗୁରିନ୍ଦର ସିଂହ ଜୋସନ ଏହାକୁ "ଭୟଙ୍କର ଆକ୍ରମଣ" ବୋଲି କହିଛନ୍ତି। ରବିବାର ସ୍ଥାନୀୟ ଶିଖ୍‌ ସମାଜ ଆକ୍ରମଣ ସ୍ଥାନରେ ଏକ ମାର୍ଚ୍ଚ କରିବା ସହ ପୀଡିତା ମହିଳାଙ୍କ ପାଇଁ ପ୍ରାର୍ଥନାର ଆୟୋଜନ କରିଥିଲେ। ଶିଖ୍‌ ୟୁଥ୍‌ ୟୁକେ ଓ ଶିଖ୍‌ ଫେଡରେସନ ୟୁକେ ପୀଡିତ ମହିଳା ଓ ତାଙ୍କ ପରିବାରକୁ ସମର୍ଥନ ଜଣାଇଛନ୍ତି। ଏହାସହ ସ୍ମେଥୱିକରେ ଥିବା ଗୁରୁ ନାନକ ଗୁରୁଦ୍ୱାରା ଏହି ଜାତିଗତ ହିଂସାର କଡା ନିନ୍ଦା କରିବା ସହ ପୀଡିତାଙ୍କ ସହ ରହିଛି ବୋଲି ପ୍ରତିଶ୍ରୁତି ଦେଇଛି।

ପୀଡିତା ମହିଳା ଜଣଙ୍କ ଶିଖ୍‌ ୟୁଥ୍‌ ୟୁକେ ମାଧ୍ୟମରେ କହିଛନ୍ତି ଯେ, "ମୁଁ ସବୁଦିନ ଭଳି କାମକୁ ଯାଉଥିଲି। ଉକ୍ତ ଯୁବକ ଦ୍ୱୟ ମତେ ରାସ୍ତାରେ ଅଟକାଇ ଥିଲେ। ତୁମେ ତୁମ ଦେଶକୁ ଫେରିଯାଅ ବୋଲି କହିବା ସହ ମୋ ଉପରେ ଘୃଣ୍ୟ ଅତ୍ୟାଚାର କରିଥିଲେ। ଏହି ଘଟଣା ମୋତେ ଗଭୀର ଭାବେ ଆଘାତ ପହଞ୍ଚାଇଛି। ତେବେ ସମସ୍ତଙ୍କ ସମର୍ଥନ ପାଇଁ ଧନ୍ୟବାଦ।"