ମାଲକାନଗିରି, ୭।୧୦(ଆପ୍ର): ଦକ୍ଷିଣ ବସ୍ତର ମାଓ ଡିଭିଜନ୍ କମିଟି ସମ୍ପାଦକ ମାଓବାଦୀ ମାଣ୍ଡା ରୁବେନ୍ ଓରଫ ମଙ୍ଗନ୍ନା ଆତ୍ମସମର୍ପଣ କରିଛି।ତେଲେଙ୍ଗାନାର ୱାରାଙ୍ଗଲର ପୋଲିସ କମିଶନରଙ୍କ ଉପସ୍ଥିତିରେ ମଙ୍ଗନ୍ନା ମୁଖ୍ୟସ୍ରୋତରେ ଯୋଗ ଦେଇଛି। ତେଲେଙ୍ଗାନା ସରକାର ଏବଂ ପୋଲିସ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ଏବଂ ମୁଖ୍ୟସ୍ରୋତକୁ ଫେରିଥିବା ଲୋକଙ୍କ ପ୍ରତି ଦେଖାଯାଇଥିବା ସମର୍ଥନ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।

​​​​​​​ତେବେ ମଙ୍ଗନ୍ନା ଛତିଶଗଡ, ଆନ୍ଧ୍ର, ଓଡିଶା ଓ ତେଲେଙ୍ଗନାର ଅନେକ ବଡ ବଡ ମାଓ ହିଂସାକାଣ୍ଡରେ ଜଡିତ ଥିଲେ। ତାଙ୍କର ଆତ୍ମସମର୍ପଣ ମାଓ ସଙ୍ଗଠନ ପାଇଁ ଏକ ଶକ୍ତ ଧକ୍କା ଓ ପୋଲିସ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି। ତେବେ ଗତ ୪୪ ବର୍ଷ ଧରି ସେ ମାଓ ସଙ୍ଗଠନରେ କାର୍ଯ୍ୟ କରି ଆସୁଥିବା ବେଳେ ପ୍ରାୟ ଏକ ବର୍ଷ ପୂର୍ବେ ଗିରଫ ହୋଇ ଛତିଶଗଡର ଜଗଦଲପୁର ଜେଲରେ ଥିଲେ। ସେଠାରୁ ଫେରାର ହୋଇଯାଇଥିଲେ।  ଆତ୍ମସମର୍ପଣ ନୀତି ଅନୁଯାୟୀ ତାଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।