ନୂଆଦିଲ୍ଲୀ: ବାଂଲାଦେଶର ରାଜଧାନୀ ଢାକାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ମିରପୁରର ଶିଆଲବାରି ଅଞ୍ଚଳରେ ଏକ ରାସାୟନିକ ଗୋଦାମ ଏବଂ ଏକ କପଡ଼ା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମରେ ଷୋହଳ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଘଟଣା ହଠାତ୍ ଘଟିଥିଲା ଏବଂ ନିଆଁ ବହୁ ଜଲଦି ସମ୍ପୂର୍ଣ୍ଣ ଗୋଦାମକୁ ବ୍ୟପିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ସହ ଅନେକ ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।
ଏହି ଦୁର୍ଘଟଣାରେ ଆହତ ହୋଇଥିବା ଏକାଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ, କାରଣ ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହା ବର୍ତ୍ତମାନ ତଦନ୍ତାଧୀନ ଅଛି। ଅଗ୍ନିଶମ ସେବା ଏବଂ ନାଗରିକ ପ୍ରତିରକ୍ଷା ଅଧିକାରୀ ତଲହା ବିନ୍ ଜାସିମ ଏନେଇ ସୂଚନା ଦେଇ କହିଛନ୍ତି ଯେ ରୂପନଗର ଅଞ୍ଚଳରେ ଥିବା ବାଂଲାଦେଶ ବ୍ୟବସାୟ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (BUBT) ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ରାସାୟନିକ ଗୋଦାମରୁ ଆରମ୍ଭ ହୋଇଥିବା ନିଆଁ ଧିରେ ଧିରେ କପଡ଼ା କାରଖାନାକୁ ବ୍ୟାପି ଯାଇଥିଲା।
ଅଗ୍ନିଶମ ସେବା ଏବଂ ନାଗରିକ ପ୍ରତିରକ୍ଷାର ଅପରେସନ ନିର୍ଦ୍ଦେଶକ ଲେଫ୍ଟନାଣ୍ଟ କର୍ଣ୍ଣେଲ ମହମ୍ମଦ ତାଜୁଲ ଇସଲାମ ଚୌଧୁରୀ କହିଛନ୍ତି ଯେ ପୋଷାକ କାରଖାନାର ଦ୍ୱିତୀୟ ଏବଂ ତୃତୀୟ ମହଲାରୁ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ଅଗ୍ନିକାଣ୍ଡରୁ ବିଷାକ୍ତ ଧୂଆଁ ବାହାରିବା ଯୋଗୁଁ ଅନେକ ଲୋକଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ପୁରା ସତ୍ୟ ପ୍ରକାଶ ପାଇବ।
ଏହି ସମୟରେ, ପୋଡ଼ି ଆହତ ହୋଇଥିବା ତିନି ଜଣଙ୍କୁ ଢାକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବର୍ନ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ, ୩୦ ବର୍ଷୀୟ ମହମ୍ମଦ ସୂରଜ ସାମାନ୍ୟ ପୋଡ଼ି ଯାଇଥିବା ବେଳେ ମହମ୍ମଦ ମାମୁନ (୩୫) ଏବଂ ସୋହେଲ (୩୨) ପ୍ରବଳ ଧୂଆଁ ଯୋଗୁଁ ଶ୍ୱାସକ୍ରିୟା ସମସ୍ୟାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ତିନିଜଣଙ୍କ ଚିକିତ୍ସା ଚାଲିଛି ଏବଂ ସେମାନେ ସମସ୍ତେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ତେବେ ନିଆଁକୁ ଆୟତ କରାଯିବା ପରେ ଉଦ୍ଧାର ଏବଂ ରିଲିଫ୍ ପ୍ରୟାସ ଜାରି ରହିଛି।