ଭୁବନେଶ୍ୱର ୦୧/୧୧: ରାଜମହଲ ଛକରେ ଥିବା ଏକ ଘରୋଇ ମେସରେ ରୁମମେଟ୍‌ଙ୍କ ବର୍ବରକାଣ୍ଡ ସାମ୍ନାକୁ ଆସିଛି । ୩ ରୁମ୍‌ମେଟ୍‌ ସଂଘବଦ୍ଧ ଭାବେ ଜଣେ ଯୁବତୀଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଛନ୍ତି ।  ଏମିତିକି ଘଣ୍ଟାଏ ଧରି ନିସ୍ତୁକ  ମାଡ଼ ମାରିଛନ୍ତି । ଜୀବନରୁ ମାରିଦେବାକୁ ସବୁ ପ୍ରକାର  ଉଦ୍ୟମ କରିଛନ୍ତି ।

ଆକ୍ରମଣର ଶିକାର ଯୁବତୀଙ୍କ ଘର ଜଗତସିଂହପୁର ଅଭୟଚନ୍ଦ୍ରପୁର ଥାନା ଅଞ୍ଚଳରେ । ସେ ୪ ବର୍ଷ ଧରି ଅଶୋକ ନଗରରେ ଥିବା ଏକ ହୋମ ଡେକର ସୋ ରୁମ୍‌ରେ ଚାକିରି କରିଛନ୍ତି । ସଂସ୍ଥାଠାରୁ କିଛି ଦୂରରେ ଥିବା  ଏକ ଘରୋଇ ମେସ୍‌ରେ ୩ ବର୍ଷ ଧରି ଅଛନ୍ତି । ଉକ୍ତ ମେସ୍‌ରେ ତାଙ୍କୁ ମିଶାଇ ମୋଟ ୯ଜଣ ଯୁବତୀ ରୁହନ୍ତି । ଉକ୍ତ ମେସର ଉପର ମହଲାରେ ଘର ମାଲିକ ମଧ୍ୟ ସପରିବାରେ ରହୁଛନ୍ତି । ଆକ୍ରମଣ କରିଥିବା ଯୁବତୀଙ୍କ ଘର ନୟାଗଡ଼ରେ । ଉଭୟେ ୬ ମାସ ହେଲା  ଏକାଠି ଗୋଟିଏ ରୁମ୍‌ରେ ରହୁଛନ୍ତି । 

କିଛି ଦିନ ଧରି ତାଙ୍କୁ ରୁମ୍‌ମେଟ୍‌ମାନେ ମିଶିକି ସବୁବେଳେ ହଇରାଣ କରୁଥିଲେ । ନାନା କଥାରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲେ । ଗତ ବୁଧବାର  ଯୁବତୀଜଣକ ନିଜ କର୍ମକ୍ଷେତ୍ରରୁ ସନ୍ଧ୍ୟାରେ ବାହାରି  ମେସ୍‌ରେ ପହଞ୍ଚିଲେ । ରାତିରେ ସମସ୍ତେ ମିଶିକି ଭାତଚିକେନ ରୋଷେଇ କଲେ । ରାତ୍ରିଭୋଜନ ସରିବା ପରେ  ୩ଜଣ ରୁମମେଟ୍‌ ବସି ନିଜ ପୁରୁଷବନ୍ଧୁମାନଙ୍କ ସହ  ଫୋନ୍‌ରେ ଗପିବାକୁ ଲାଗିଲେ । ରାତିରେ ଶୋଇବାକୁ  ଅସୁବିଧା ହେବାରୁ ଯୁବତୀଜଣକ ଏହାକୁ ବିରୋଧ  କଲେ । ୩ଜଣ ରୁମ୍‌ମେଟ୍‌ ପୁଣି ତାଙ୍କୁ ଅଶ୍ଲୀଳ  ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କଲେ । କିନ୍ତୁ  ଏଥର ଯୁବତୀଜଣକ ଆଉ ସହିବା ମୁଡ୍‌ରେ ନଥିଲେ ।  ଏହାକୁ ବିରୋଧ କଲେ । ସିଧା ପୁଲିସ୍‌ରେ ଜଣାଇବେ  ବୋଲି ଚେତାଇଲେ । ଏତିକିରେ ୩ ରୁମମେଟ୍‌ଙ୍କ  ମୁଣ୍ଡକୁ ପିତ୍ତ ଚଢ଼ିଗଲା । ସେମାନେ ସମ୍ପୃକ୍ତ ଯୁବତୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କଲେ । ୨ଜଣ ତାଙ୍କର ୨ଟି  ହାତକୁ ଜାବୁଡ଼ି ଧରିଲେ । ନୟାଗଡ଼ର ଯୁବତୀଜଣକ  ତାଙ୍କୁ ଲଗାତର ଚାପୁଡ଼ା ମାରିଚାଲିଲେ ।

ଏତିକିରେ  ମନ ବୁଝିଲାନି ଯେ, ରୋଷେଇ ଘରୁ ଏକ ଛୁରୀ ଆଣି  ତାଙ୍କ ବେକକୁ କାଟିବାକୁ ଉଦ୍ୟମ କରିଥିଲେ । ୩ଜଣ ମିଶିକି ତାଙ୍କୁ ତଳେ ପକାଇ ନିସ୍ତୁକ ମାଡ଼ ମାରିଥିଲେ ଶେଷରେ ରୋଷେଇ ଘରେ ଥିବା ଗ୍ୟାସ୍‌ ସିଲିଣ୍ଡରକୁ  ୩ଥର ଖୋଲି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ।  ଯୁବତୀଜଣକ ଖୁବ୍‌ ଜୋରରେ ଚିତ୍କାର କରିଥିଲେ ।  ଘର ମାଲିକଙ୍କୁ ଡାକିଥିଲେ । କିନ୍ତୁ କେହି ଶୁଣିଲେନି ।  ଶେଷରେ ଡାଏଲ୍‌-୧୧୨କୁ ଫୋନ୍‌ କରି ଅଭିଯୋଗ  କରିବାରୁ ପିସିଆର ଭ୍ୟାନ ଆସି ଉକ୍ତ ମେସ୍‌ରେ  ପହଞ୍ଚିଲା । ୩ ରୁମ୍‌ମେଟଙ୍କ କବଳରୁ ଯୁବତୀଙ୍କୁ ଉଦ୍ଧାର  କରିଥିଲା । ଯୁବତୀଜଣକ ଗୁରୁବାର ସକାଳେ କ୍ୟାପିଟାଲ  ଥାନାର ଦ୍ୱାରସ୍ଥ ହୋଇଥିଲେ । ୩ ରୁମ୍‌ମେଟଙ୍କ ନାଁରେ  ଏତଲା ଦେଇଛନ୍ତି। ପୁଲିସ ୬୮୦/୨୫ରେ ଏକ ମାମଲା  ରୁଜୁ କରି ଚୁପ୍‌ ହୋଇ ବସିପଡି଼ଛି । କାର୍ଯ୍ୟାନୁଷ୍ଠାନ ତ  ଦୂର କଥା, ଆକ୍ରମଣକାରୀମାନଙ୍କୁ ଥରଟିଏ ବି ଥାନାକୁ  ଡାକିଲାନି । ୩ ରୁମ୍‌ମେଟ୍‌ ଆଜି ଯୁବତୀଙ୍କୁ ଜୀବନରୁ  ମାରିଦେବାକୁ ଧମକ ଦେଇଛନ୍ତି ।