ମୁମ୍ବାଇ,୧୦/୧୦ : ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ ।  ଆଗାମୀ ଚଳଚ୍ଚିତ୍ର “ବୃଷଭ” ସହିତ ଫେରୁଛନ୍ତି ସୁପରଷ୍ଟାର ମୋହନଲାଲ। ନିର୍ମାତା ମୋହନଲାଲଙ୍କ ଫିଲ୍ମ “ବୃଷଭ”ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ଆସନ୍ତା ନଭେମ୍ବର ୬ରେ ସିନେମା ହଲରେ ରିଲିଜ୍ ହେବ ।

ମୋହନଲାଲ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟର ସେୟାର କରି ପ୍ରଶଂସକମାନଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି, “ପୃଥିବୀ ଥରୁଛି। ଆକାଶ ଜଳୁଛି। ଭାଗ୍ୟ ତାର ଯୋଦ୍ଧା ବାଛିଛି। ବୃଷଭ ନଭେମ୍ବର ୬ ତାରିଖରେ ଆସୁଛି।” ତେବେ ମୋହନଲାଲଙ୍କ ଏହି ଫିଲ୍ମଟି ପ୍ରଥମେ ଅକ୍ଟୋବର ୧୬ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ କୌଣସି କାରଣ ବଶତଃ ଏହାକୁ ସ୍ଥଗିତ ରଖାଯାଇଥିଲା। ଚଳିତ ବର୍ଷ ମୋହନଲାଲଙ୍କ ଜନ୍ମଦିନରେ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିଥିଲା। ପ୍ରଥମ ପୋଷ୍ଟର ଦେଖିବା ପରେ ମୋହନଲାଲଙ୍କ ପ୍ରଶଂସକମାନେ ଚଳଚ୍ଚିତ୍ର ପାଇଁ ବେଶ୍ ଉତ୍ସାହିତ ଥିଲେ। ପୋଷ୍ଟରରେ ସେ ସୁନେଲି ରଙ୍ଗର ଏକ କବଚ ପିନ୍ଧି ଜଣେ ଯୋଦ୍ଧା ଭାବରେ ଦେଖାଯାଇଥିଲେ। ଲମ୍ବା କେଶ, ଦାଢ଼ି ଏବଂ ଧଳା ତିଲକ ସହିତ ମୋହନଲାଲଙ୍କ ଫଟୋ ଦେଖି ପ୍ରଶଂସକ ଖୁସିରେ ପାଗଳ ହୋଇଯାଇଥିଲେ । ସେ ନାକ ମୁଦି ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।  ମୋହନଲାଲଙ୍କ ଏହି ଫିଲ୍ମଟି ୫ଟି ଭାଷାରେ ସିନେମା ହଲରେ ମୁକ୍ତିଲାଭ କରିବ। ତେଲୁଗୁ, ମାଲାୟଲମ, ହିନ୍ଦୀ, ତାମିଲ ଏବଂ କନ୍ନଡ ଭାଷାରେ ଫିଲ୍ମ ମୁକ୍ତିଲାଭ କରିବ ।