ରାଜନଗର,୦୮/୦୯: ମାଛ, କଙ୍କଡ଼ା ଧରିବାକୁ ଯାଇଥିବା ମା’- ପୁଅ ୫ଦିନ ହେବ ଘରକୁ ଫେରିନାହାନ୍ତି । ଭିତରକନିକା ନିଷିଦ୍ଧାଞ୍ଚଳରେ ଉଭୟ ନିଖୋଜ ହୋଇଯାଇଛନ୍ତି ବୋଲି ପରିବାର ପକ୍ଷରୁ ରବିବାର ରାତିରେ ଥାନାରେ ଅଭିଯୋଗ ହୋଇଛି ।
ରାଜନଗର ବ୍ଲକ୍ ଗୁପ୍ତି ପଞ୍ଚାୟତ ଦେବେନ୍ଦ୍ର ନାରାୟଣପୁର (ଗର୍ତ୍ତଗଣ୍ଡିଆ) ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ପତ୍ନୀ ଅନା ମିର୍ଦ୍ଧା(୪୫) ଓ ପୁଅ ରତିନ୍ଦ୍ର ମିର୍ଦ୍ଧା(୨୨) ୫ ଦିନ ତଳେ ମାଛ, କଙ୍କଡ଼ା ଧରିବାକୁ ଭିତରକନିକା ଅଭ୍ୟନ୍ତର ଜଙ୍ଗଲକୁ ଯାଇଥିଲେ । ଉଭୟ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ବନ ବିଭାଗକୁ ଜଣାଇବା ପରେ ବନ ବିଭାଗ ଖୋଜିବା ଆରମ୍ଭ କରିଛି । ଅନାଙ୍କ ପରିବାର ଲୋକେ ଗୁପ୍ତି ଫରେଷ୍ଟର ବିଭୂତି ଭୂଷଣ ତରାଇଙ୍କୁ ଉଭୟଙ୍କ ନିଖୋଜ ସଂପର୍କରେ ସୂଚନା ଦେଇଥିଲେ । ବନ ବିଭାଗର ତିନୋଟି ଦଳ କିଛି ଗାଁ ଲୋକଙ୍କୁ ସାଙ୍ଗରେ ନେଇ ଉଭୟଙ୍କୁ ଖୋଜିବାକୁ ଉଦ୍ୟମ କରୁଥିବା ଫରେଷ୍ଟର ଶ୍ରୀ ତରାଇ କହିଛନ୍ତି । ତେବେ ରବିବାର ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ସେମାନଙ୍କ ଖବର ନ ମିଳିବାରୁ ପରିବାର ପକ୍ଷରୁ ରାଜନଗର ଥାନାରେ ମଧ୍ୟ ନିଖୋଜ ଅଭିଯୋଗ କରାଯାଇଛି ।
ବୁଧବାର ଦିନ ଅନା ଓ ପୁଅ ରତିନ୍ଦ୍ରଙ୍କ ସହ ସେହି ଗ୍ରାମର ଅନାଙ୍କ ଭଉଣୀ ଅହଲ୍ୟା ମଣ୍ଡଳ ଓ ତାଙ୍କ ପୁଅ ରିତ ମଣ୍ଡଳ ମାଛ ଧରିବାକୁ ଭିତରକନିକା ଜାତୀୟ ଉଦ୍ୟାନର ହାବୋଳ ଫରେଷ୍ଟ ବ୍ଲକ୍ ଅଭ୍ୟନ୍ତରକୁ ଯାଇଥିଲେ । ଅହଲ୍ୟା ଓ ତାଙ୍କ ପୁଅ ରିତ ଫେରିବା ବେଳକୁ ଅନା ଓ ରତିନ୍ଦ୍ରଙ୍କୁ ଖୋଜି ପାଇନଥିଲେ । ଉଭୟ ଫେରି ଆସିଥିବା ବେଳେ ଅନ୍ୟ ଦୁହେଁ ନିଖୋଜ ଅଛନ୍ତି । ୫ ଦିନ ବିତିଯାଇଥିବାରୁ ସେମାନଙ୍କୁ କୁମ୍ଭୀର ମାରିଦେଇଥିବା ସନ୍ଦେହ କରାଯାଉଛି ।
ଫରେଷ୍ଟର ଶ୍ରୀ ତରାଇ କହିଛନ୍ତି, ପରିବାର ପକ୍ଷରୁ ଆମକୁ କୁହାଯିବା ପରେ ଆମର ତିନୋଟି ଦଳ ଗ୍ରାମବାସୀଙ୍କ ସହ ଖୋଜିବାକୁ ଯାଇଥିଲେ । ସେମାନଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ସୋମବାର ପୁନର୍ବାର ଖୋଜାଯିବ ।