​​​​​​​ନୂଆଦିଲ୍ଲୀ ୨୯/୧୦: କେରଳର ୨୯ ବର୍ଷୀୟ ଜଣେ ଭାରତୀୟ ପ୍ରବାସୀ ଦୁବାଇର ସର୍ବକାଳୀନ ସର୍ବାଧିକ ରାଶି ଲଟେରି ଜିତିଛନ୍ତି । ଦୀର୍ଘ ସମୟ ଧରି ଆବୁଧାବିରେ ରହୁଥିବା ଅନିଲ କୁମାର ବୋଲା ଗତ ୧୮ ତାରିଖରେ ଆୟୋଜିତ ୨୩ତମ ଲକି ଡେ ଡ୍ରରେ ୨୪୦ କୋଟି ଟଙ୍କା ପୁରସ୍କାର ରାଶି ଜିତିଛନ୍ତି । ୟୁଏଇ ଲଟେରିବିଜେତା ଅନିଲ କୁମାରଙ୍କ ସହ ସାକ୍ଷାତକାର ଭିଡିଓ ଶେୟାର କରିଛି । ଏଥିସହ କ୍ୟାପ୍‌ସନରେ ଲେଖିଛି, ଅନିଲ କୁମାରଙ୍କ ପାଇଁ ଅକ୍ଟୋବର ୧୮ ତାରିଖ ଅନ୍ୟ ଦିନ ଭଳି ନ ଥିଲା; ଏହା ତାଙ୍କ ଜୀବନ ବଦଳାଇଦେଲା ।

ଭିଡିଓରେ, ଅନିଲ କୁମାର ଲଟେରି ଜିତିବାର ଖୁସିକୁ ସେଲିବ୍ରେଟ୍‌ କରୁଥିବା ଦେଖିବାକୁ ମିଳିଛି । ତାଙ୍କୁ ସେରିମୋନିଆଲ ଚେକ୍‌ ପ୍ରଦାନ କରାଯାଇଛି । ଭିଡିଓରେ ସେ ନିଜର ଭାଗ୍ୟଶାଳୀ ଟିକଟ ଚୟନ କରିବା ପଛର କାହାଣୀ ବର୍ଣ୍ଣନା କରିଛନ୍ତି । ଅନିଲ କହିଛନ୍ତି, ମୁଁ କୌଣସି ମ୍ୟାଜିକ୍‌ କରିନାହିଁ, କେବଳ ଏକ ସହଜ ଉପାୟ ଆପଣେଇଛି । ସେ ଥରକେ ୧୨ଟି ଟିକଟ କିଣିଥିଲେ । ପ୍ରତି ଟିକଟ ପିଛା ସେ ୧,୨୮୫ ଟଙ୍କା ଖର୍ଚ୍ଚ କରିଥିଲେ । ସେ ଚୟନ କରିଥିବା ଭାଗ୍ୟଶାଳୀ ଲଟେରି ଟିକଟର ଶେଷ ନମ୍ବର ଖୁବ୍‌ ସ୍ୱତନ୍ତ୍ର- ତାଙ୍କ ମାଙ୍କ ଜନ୍ମଦିନ ଥିଲା । ଲଟେରି ବିଜେତା ହୋଇଥିବା ଖବର ସେ ବିଶ୍ୱାସ କରିପାରିଲେ ନାହିଁ । ସୋଫାରେ ବସି କେବଳ ଏହି ମୁହୂର୍ତ୍ତକୁ ଅନୁଭବ କରୁଥିଲେ । ଲଟେରି ଟଙ୍କାରେ ଅନିଲ ଏକ ସୁପର୍‌କାର କିଣିବେ ଏବଂ ବିଳାସପୂର୍ଣ୍ଣ ରିସର୍ଟ କିମ୍ବା ସାତ-ତାରକା ହୋଟେଲରେ ଏହି ଖୁସିକୁ ସେଲିବ୍ରେଟ୍‌ କରିବେ । କିଛି ଅର୍ଥ ଦାନ କରିବାକୁ ମଧ୍ୟ ଯୋଜନା କରିଛନ୍ତି ।