ପ୍ରସିଦ୍ଧ ଲେଖିକା ତଥା ନାରୀବାଦୀ ତସଲିମା ନସରିନ୍‌ । ନାରୀ ଅଧିକାର ଓ ସୁରକ୍ଷା ପାଇଁ ଶାଣିତ ସ୍ୱର ଯୋଗୁ ନିଜ ଜନ୍ମମାଟି ଓ ସମ୍ପ୍ରଦାୟ ତାଙ୍କୁ ବିରୋଧ କଲା । ‘ଲଜ୍ଜା’ ପରି ପୁସ୍ତକ ଓ ଧର୍ମନିରପେକ୍ଷତା ତଥା ନାରୀ ସ୍ୱାଧୀନତା ଉପରେ ନିର୍ଭୀକ ଲେଖା ମାଧ୍ୟମରେ ସେ କୋଟି କୋଟି ମହିଳାଙ୍କ ସ୍ୱର ପାଲଟିଛନ୍ତି । ସେ ତାଙ୍କର ସଂଗ୍ରାମ ଏବେ ବି ଜାରି ରଖିଛନ୍ତି ଏବଂ ଆଗକୁ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି । କାରଣ ତାଙ୍କର ମତ ହେଉଛି, ସମାଜରେ କେହି ଜଣେ ମୁହଁ ଖୋଲିବା ଆବଶ୍ୟକ । ସୋଆ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତାଙ୍କୁ ଭେଟିଥିଲେ ‘ପ୍ରମେୟ’ ପ୍ରତିନିଧି ପ୍ରଜ୍ଞା ଚୌଧୁରୀ ।

ଜୀବନସାରା ପ୍ରତିବନ୍ଧକ, ବିରୋଧ ସତ୍ତ୍ଵେ ଚଟାଣ ପରି ଛିଡ଼ା ହୋଇ ରହିଲେ ଆଉ କିପରି ଲଢ଼ି ଚାଲିଲେ? 

​​​​​​​କେହି ମୋତେ ସାହସ ଦେଇନାହାନ୍ତି । ମୋ ଭିତରୁ ଏହି ସାହସ ଆସୁଛି । ମୁଁ ତ ସତ କହୁଛି, କେହି ମୋତେ ଖରାପ କହିଲେ ମୁଁ ଗୁରୁତ୍ୱ ଦିଏନି । ଅନେକ ମୃତ୍ୟୁ ଧମକ, ଆକ୍ରମଣ, ଫତୱା ସତ୍ତ୍ଵେ କେବଳ ‘ସତ’ ହିଁ ମୋତେ ହାରିବାକୁ ଦେଇନି । ମୁଁ ଚୁପ୍‌ ରହିନି, ମୁଁ ସବୁବେଳେ ଲଢିଆସିଛି । ସବୁ ପ୍ରକାର ଅସମାନତା, ମୌଳବାଦୀ, ପୁରୁଷ ଜାତିବାଦୀ, ନାରୀ ବିରୋଧୀଙ୍କ ବିରୋଧରେ ଭବିଷ୍ୟତରେ ବି ଲଢିବି । 

ବିଭିନ୍ନ କ୍ଷେତ୍ରରେ ବୟସ ଆଧାରରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଭେଦଭାବ ଦେଖିବାକୁ ମିଳୁଛି? ଏହାକୁ ଆପଣ କେମିତି ଦେଖୁଛନ୍ତି?

ଜଣେ ବୃଦ୍ଧ ଅଭିନେତା ସିନେମାରେ ହିରୋ ହୋଇପାରୁଛି । କିନ୍ତୁ ହିରୋଇନ୍‌ ନିଶ୍ଚିତ ଭାବରେ ଯୁବତୀ ହିଁ ହୋଇଥାନ୍ତି । ସବୁ କ୍ଷେତ୍ରରେ ବୟସ ଆଧାରରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଭେଦଭାବ ରହିଛି । କିନ୍ତୁ ହଲିଉଡ୍‌ ସିନେମାରେ ଆପଣ ଦେଖିବେ ଜଣେ ବୟସ୍କା ଅଭିନେତ୍ରୀଙ୍କୁ ମଧ୍ୟ ହିରୋଇନ୍‌ ବା ମୁଖ୍ୟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳୁଛି ଯାହା ଏଠାରେ ସମ୍ଭବ ନୁହେଁ । ଏଠି ମହିଳାକୁ ଯୌନ ସାମଗ୍ରୀ (ସେକ୍ସ ଅବ୍‌ଜେକ୍ଟ) ହିସାବରେ ଦେଖାଯାଏ । 

ନିଜ ପୁସ୍ତକରେ ଆପଣ ନାରୀବାଦ ଓ ମହିଳାଙ୍କ ଅଧିକାର ପ୍ରସଙ୍ଗରେ ତୀକ୍ଷ୍ଣ ଆଲୋଚନା କରିଛନ୍ତି । ବିକଶିତ ଭାରତ ଲକ୍ଷ୍ୟ ପୂର୍ତ୍ତି ଦିଗରେ ଆଉ କଣ ଜରୁରି?

 ଧାର୍ମିକ ଆଇନ୍‌ ଆବଶ୍ୟକ ନୁହେଁ । ସବୁ ଧର୍ମରେ ଏହା ହିଁ ମହିଳାଙ୍କୁ ଅତ୍ୟାଚାର କରିଥାଏ । ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ହିଁ ଆଇନର ଆଧାର ହେବା ଉଚିତ୍‌ । ୟୁନିଭର୍ସାଲ୍‌ ସିଭିଲ୍‌ କୋଡ୍‌ ରହିବା ଉଚିତ୍‌ । ମୁସଲିମ୍‌ ଆଇନ୍‌, ହିନ୍ଦୁ ଆଇନ୍‌, ଖ୍ରୀଷ୍ଟିଆନ୍‌ ଆଇନ ରହିବା ଉଚିତ୍‌ ନୁହେଁ । ଗୋଟିଏ ଦେଶ, ଗୋଟିଏ ଆଇନ୍‌ ହେବା ଜରୁରି । 

୨୦୪୭ ସୁଦ୍ଧା ଭାରତରେ ନାରୀ ଅଧିକାର, ସୁରକ୍ଷା ଓ ସମାନତା କ୍ଷେତ୍ରରେ ସୁଧାର ଆସିବ ବୋଲି ଆପଣ ଆଶାବାଦୀ?

 ଭବିଷ୍ୟତ ଭଲ ହେବ ବୋଲି ମୁଁ ଆଶାବାଦୀ । ଅତୀତ ଅପେକ୍ଷା ଆଜି ବହୁତ ପରିବର୍ତ୍ତନ ଆସିଛି । ଆଜି ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି । ସେମାନେ ପାଠ ପଢିପାରୁଛନ୍ତି, ନିଜର ମତ ଦେଇପାରୁଛନ୍ତି । ବହୁତ କିଛି ବଦଳିଛି । 

ନାରୀବାଦ ଆଉ ଛଦ୍ମ ନାରୀବାଦକୁ ନେଇ ସମାଲୋଚନା ହେଉଛି । ଏପରିକି ପୁରୁଷ କମିଶନ ଆବଶ୍ୟକ ବୋଲି ମତ ଆସୁଛି । ଆପଣଙ୍କ ମତ କଣ? 

ପୁରୁଷ ପ୍ରଧାନ ସମାଜରେ ପୁରୁଷ ପ୍ରଭୁତ୍ୱ ଜାହିର କରିଥାନ୍ତି । ଆମେ ଏହା ବିରୋଧରେ ଲଢେଇ କରୁଛେ କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆମେ ଏକ ମହିଳା ପ୍ରଧାନ ସମାଜ ଚାହୁଁଛୁ, ଯେଉଁଠି ମହିଳା ପୁରୁଷଙ୍କୁ ଅତ୍ୟାଚାର କରିବେ । ଆମେ ଚାହୁଁଛୁ ସମାନତା । ପୁରୁଷ ପ୍ରଧାନର ବିପରୀତ ହେଉଛି ସମାନତା, ନାରୀପ୍ରଧାନ ନୁହେଁ । ସମସ୍ତଙ୍କ ସମାନ ଅଧିକାର ପାଇଁ ଆମ ଲଢେଇ । 

‘ଦି ବେଙ୍ଗଲ୍‌ ଫାଇଲ୍‌ସ’ ଚଳଚ୍ଚିତ୍ରକୁ ନେଇ ଆପଣ କଣ ଟିପ୍ପଣୀ ଦେବେ? 

ଏହା ନିଶ୍ଚୟ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଥିଲା କିନ୍ତୁ ଏହା ଉପରେ ବଙ୍ଗାଳୀମାନେ କାହିଁକି ଚଳଚ୍ଚିତ୍ର ନିର୍ମାଣ କଲେ ନାହିଁ? ଚଳଚ୍ଚିତ୍ର ହିସାବରେ ଏହା ଭଲ ଭାବେ ତିଆରି ହୋଇଛି ବୋଲି ମୋତେ ଲାଗୁ ନାହିଁ । ଏଭଳି ଚଳଚ୍ଚିତ୍ର ପରିବର୍ତ୍ତନ ପାଇଁ ଆବଶ୍ୟକ କିନ୍ତୁ ଏହା କଳାତ୍ମକ (ଆର୍ଟିଷ୍ଟିକ୍‌) ହେବା ଜରୁରି । ବଙ୍ଗଳାରେ ଭଲ ଚଳଚ୍ଚିତ୍ର ନିର୍ମାତା ଅଛନ୍ତି । ସେମାନେ ଅଧିକ ଗବେଷଣା କରିବା ସହ ଭଲ କଳାତ୍ମକ ଚଳଚ୍ଚିତ୍ର ତିଆରି କରନ୍ତୁ । 

କୋଲକାତା ସହ ଆପଣଙ୍କ ନିବିଡ଼ ସମ୍ପର୍କ । ଏବେ ଭାରତ ସରକାର ଆପଣଙ୍କୁ ଦେଶରେ ନିଜ ଇଚ୍ଛାରେ ଭ୍ରମଣ କରିବାର ସ୍ୱାଧୀନତା ଦେଇଛନ୍ତି । ଆପଣ କୋଲକାତା ଫେରିବାକୁ ଚାହିଁବେ? 

ନିର୍ବାସିତ ହେବା ପରେ ମୁଁ ୟୁରୋପରେ ରହିବାକୁ ବାଧ୍ୟ ହେଲି କିନ୍ତୁ ମୁଁ ମୋ ମାତୃଭାଷା ଓ ମାତୃଭୂମିକୁ ବହୁତ ଝୁରୁଥିଲି । ମୋ ଦେଶ ବାଂଲାଦେଶକୁ ତ ମୁଁ ଯାଇପାରିବିନି । ତେଣୁ ପଶ୍ଚିମବଙ୍ଗରେ ରହିବାକୁ ଯାଇଥିଲି । ବଙ୍ଗଳା ପରିବେଶରେ ରହିବାକୁ ଇଚ୍ଛା ଥିଲା । ପଶ୍ଚିମବଙ୍ଗ ମୋର ଦ୍ୱିତୀୟ ଘର । ହେଲେ ୨୦୦୭ରୁ ମୋତେ ପଶ୍ଚିମବଙ୍ଗରୁ ବାହାର କରି ଦିଆଗଲା । ୨୦୦୮-୨୦୧୧ ଯାଏ ଭାରତରେ ରହିବାକୁ ମୋତେ ଅନୁମତି ନ ଥିଲା କିନ୍ତୁ ଏବେ ମୁଁ ଦିଲ୍ଲୀରେ ଅଛି । ମୁଁ ଜଣେ ବଙ୍ଗାଳୀ ଲେଖକ କିନ୍ତୁ ପଶ୍ଚିମବଙ୍ଗ ବା ପୂର୍ବବଙ୍ଗରେ ମୋତେ ରହିବାକୁ ସ୍ଥାନ ନାହିଁ । କିନ୍ତୁ ଯଦି ପଶ୍ଚିମବଙ୍ଗ ମୋତେ ଅନୁମତି ଦିଏ କୋଲକାତାରେ ପୁସ୍ତକ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ଉତ୍ସବ ଆଦିରେ ଯୋଗଦେବାରେ ମୁଁ ଖୁସି ହେବି । ତେବେ କୋଲକାତାରେ ରହିବାକୁ ମୋର ଯୋଜନା ନାହିଁ ।