ଏ ବର୍ଷ ପ୍ରେକ୍ଷାଳୟକୁ ଆସିଛି ଅନେକ ଚଳଚ୍ଚିତ୍ର । ହିନ୍ଦୀ ଚଳଚ୍ଚିତ୍ର ଜଗତଠାରୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ସିନେଶିଳ୍ପର ଏକାଧିକ ସିନେମା ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ଏହି ସପ୍ତାହାନ୍ତରେ ଆପଣ ଓଟିଟି ପ୍ଲାଟଫର୍ମରେ ଦେଖନ୍ତୁ ଆଇଏମ୍ଡିବି ପକ୍ଷରୁ ପ୍ରସ୍ତୁତ ତାଲିକାରେ ଏ ବର୍ଷର ଶ୍ରେଷ୍ଠ ୫ ଚଳଚ୍ଚିତ୍ର।
ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପ୍ରେକ୍ଷାଳୟକୁ ଆସିଛି ଏକାଧିକ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ର, ଯାହା ଦର୍ଶକୀୟ ଆଦୃତିଲାଭ କରି ବ୍ଳକବଷ୍ଟର ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏକାଧିକ ସିନେମା ହିନ୍ଦୀ ଫିଲ୍ମକୁ କଡ଼ା ଟକ୍କର ଦେଇଛି । ମୋଟାମୋଟି ଭାବରେ କହିବାକୁ ଗଲେ ଭାରତୀୟ ସିନେଶିଳ୍ପ ଏ ବର୍ଷ ଦର୍ଶକଙ୍କୁ ଏକାଧିକ ସଫଳ ଚଳଚ୍ଚିତ୍ର ଭେଟି ଦେଇଛି । ସେଗୁଡ଼ିକ ମଧ୍ୟରୁ ବଛା ବଛା ୫ଟି ଫିଲ୍ମର ତାଲିକା ଉପସ୍ଥାପନ କରୁଛୁ, ଯେଉଁଗୁଡ଼ିକ ଆଇଏମ୍ଡିବି ଦ୍ୱାରା ପ୍ରସ୍ତୁତ ତାଲିକାର ଶୀର୍ଷ ସ୍ଥାନରେ ସ୍ଥାନିତ ହୋଇଛନ୍ତି । ଆଇଏମ୍ଡିବି ଏସବୁ ଫିଲ୍ମକୁ ରେଟିଂ ଦେବା ସହିତ ତାଲିକାରେ ସାମିଲ କରିଛି । ଆଶ୍ଚର୍ଯ୍ୟର କଥା ହେଉଛି, ଏ ତାଲିକାରେ ଯେଉଁ ହିନ୍ଦୀ ସିନେମା ସ୍ଥାନିତ ହୋଇଛି, ସେଥିରେ କୌଣସି ଦାମୀ ନାଁକରା ତାରକା ଅଭିନୟ କରିନାହାନ୍ତି । ଆଇଏମ୍ଡିବିର ରିପୋର୍ଟ ଅନୁସାରେ, ଜାଣିବା ଆସନ୍ତୁ କେଉଁ ଫିଲ୍ମ ଏହି ତାଲିକାର କେଉଁ ସ୍ଥାନ ଅଧିକାର କରିଛି ।
ମହାବତାର ନରସିହ୍ମା
ତାଲିକାର ପ୍ରଥମ ସ୍ଥାନରେ ରହିଛି ଅଶ୍ୱିନ କୁମାରଙ୍କ ‘ମହାବତାର ନରସିହ୍ମା’ । ଭକ୍ତ ପ୍ରହଲ୍ଲାଦ ଓ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାର କାହାଣୀକୁ ପ୍ରଥମଥର ପାଇଁ ଏ ଫିଲ୍ମ ଜରିଆରେ ଜଣେ ଫିଲ୍ମ ନିର୍ମାତା ପରଦା ଉପରେ ପ୍ରଦର୍ଶିତ କରିଛନ୍ତି । ଏ ଫିଲ୍ମର ଭିଜୁଆଲ୍, ପ୍ରଚ୍ଛଦପଟ ସଂଗୀତ ଓ ସଂଳାପ ଏତେ ଦମ୍ଦାର ଯେ ଦର୍ଶକ ଥିଏଟରରେ ହିଁ ଫିଲ୍ମର ଜୟଜୟକାର କରିବା ସହିତ ତାଳିମାଡ଼ କରି ଭରପୂର ସମର୍ଥନ ଦେଇଥିଲେ । ଆଇଏମ୍ଡିବି ପକ୍ଷରୁ ‘ମହାବତାର ନରସିହ୍ମା’କୁ ମିଳିଛି ୮.୮ ରେଟିଂ । ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଆପଣ ଏ ଫିଲ୍ମଟିକୁ ଦେଖିପାରିବେ ।
ଡ୍ରାଗନ
କାୟଡୁ ଲୋହାର ଓ ଅନୁପମା ପରମେଶ୍ୱରମ୍ଙ୍କ ଫିଲ୍ମ ‘ଡ୍ରାଗନ’ ଫେବ୍ରୁଆରୀ ୨୧ ତାରିଖରେ ସିନେମାଘରକୁ ଆସିଥିଲା । ଉଭୟଙ୍କ କେମିଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ ଓ ବକ୍ସ ଅଫିସ୍ରେ ଏ ଫିଲ୍ମ ବଢ଼ିଆ ବ୍ୟବସାୟ କରିଥିଲା । ଫିଲ୍ମର କାହାଣୀ ଆରମ୍ଭରୁ ହିଁ ଦର୍ଶକଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲା । ନେଟଫ୍ଲିକ୍ସରେ ଦର୍ଶକ ଏହି ଫିଲ୍ମକୁ ଉପଭୋଗ କରିପାରିବେ । ଆଇଏମ୍ଡିବି ପକ୍ଷରୁ ରେଟିଂ କଥା ଆଲୋଚନା କରାଗଲେ, ଏହି ତାମିଲ ଫିଲ୍ମକୁ ୭.୮ ଷ୍ଟାର୍ସ ମିଳିଛି ।
ଛାୱା
ବିକ୍କି କୌଶଲ ଓ ରଶ୍ମିକା ମନ୍ଦାନା ଷ୍ଟାରର୍ ‘ଛାୱା’ ୨୦୨୫ ଆରମ୍ଭରେ ମୁକ୍ତିଲାଭ କରିଥିଲା । ରିଲିଜ ପୂର୍ବରୁ ହିଁ ଏହି ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା ଶୁଣିବାକୁ ମିଳିଥିଲା । ବଡ଼ ପରଦାରେ ଯେତେବେଳେ ବିକ୍କି କୌଶଲଙ୍କୁ ଦର୍ଶକ ଛତ୍ରପତି ଶମ୍ଭାଜୀ ମହାରାଜ ଚରିତ୍ରରେ ଦେଖିଲେ, ସେମାନଙ୍କର ଲୋମ ଟାଙ୍କୁରି ଉଠିଲା । ୭.୩ ରେଟିଂ ଲାଭ କରି ଆଇଏମ୍ଡିବି ଦ୍ୱାରା ପ୍ରସ୍ତୁତ ଶ୍ରେଷ୍ଠ ୫ ଫିଲ୍ମ ତାଲିକାରେ ‘ଛାୱା’ ଅଧିକାର କରିଛି ତୃତୀୟ ସ୍ଥାନ ।
ସୈୟାରା
ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ ମ୍ୟୁଜିକାଲ ଡ୍ରାମା ଫିଲ୍ମ ‘ସୈୟାରା’କୁ ଖୁବ୍ ପସନ୍ଦ କରିଛନ୍ତି ଦେଶ ବିଦେଶର ସିନେପ୍ରେମୀ । ଏ ଫିଲ୍ମର କାହାଣୀ, ବିଭିନ୍ନ ଚରିତ୍ରରେ କଳାକାରଙ୍କ ନିଖୁଣ ଅଭିନୟ, ସଂଗୀତ ଆଦିକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି । ‘ସୈୟାରା’ ସିନେପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛି । ଅନୀତ ପଡ୍ଡା ଓ ଅହାନ ପାଣ୍ଡେ ଏ ଫିଲ୍ମର ମୁଖ୍ୟ ନାୟିକା ଓ ନାୟକ ଚରିତ୍ରରେ ସୁନ୍ଦର ଅଭିନୟ କରି କୋଟି କୋଟି ପ୍ରଶଂସକ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଆଇଏମ୍ଡିବି ଏ ଫିଲ୍ମକୁ ୬.୪ ରେଟିଂ ଦେଇଛି । ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଆପଣ ମୋହିତ ସୁରୀଙ୍କ ଏହି ମାଷ୍ଟରପିସ୍କୁ ଦେଖି ମଜା ନେଇପାରିବେ ।
କୁଲି
ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଥଲାଇବା ଅର୍ଥାତ୍ ରଜନୀକାନ୍ତଙ୍କ ଫିଲ୍ମ ମଧ୍ୟ ଏହି ତାଲିକାର ଏକ ଅଂଶ । ଫିଲ୍ମକୁ ନେଇ ଯେତେ ଚର୍ଚ୍ଚା ଥିଲା, ସେହି ଅନୁସାରେ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହେଲା । ଫିଲ୍ମର ବକ୍ସ ଅଫିସ୍ ବ୍ୟବସାୟ କଥା ବିଚାର କରାଗଲେ, ଏ ଫିଲ୍ମ ଖୁବ୍ ବଢ଼ିଆ କଲେକ୍ସନ କରିଥିଲା । ଆଇଏମ୍ଡିବି ପକ୍ଷରୁ ଏହି ଫିଲ୍ମକୁ ୬.୧ ରେଟିଂ ମିଳିଛି । ଆପଣ ଯଦି ପ୍ରେକ୍ଷାଳୟରେ ଏହାକୁ ଦେଖିନାହାନ୍ତି, ତା’ହେଲେ ଓଟିଟି ପ୍ଲାଟଫର୍ମ ପ୍ରାଇମ ଭିଡିଓରେ ଦେଖିପାରନ୍ତି ।