ନୂଆଦିଲ୍ଲୀ: ଭାରତରେ ଚିକିତ୍ସା ଶିକ୍ଷାରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଜାତୀୟ ମେଡିକାଲ୍ କମିଶନ୍ (NMC) ଦ୍ୱାରା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମୋଟ୍ ୬,୮୫୦ଟି ନୂଆ MBBS (ବ୍ୟାଚଲର ଅଫ ମେଡିସିନ ଏଣ୍ଡ ବ୍ୟାଚଲର ଅଫ ସର୍ଜରୀ) ସିଟ ମଞ୍ଜୁର କରାଯାଇଛି। ଏହା ଦେଶରେ ମେଡିକାଲ ଶିକ୍ଷାର ସୁଯୋଗକୁ ବିପୁଳ କରିବା ସହିତ ଅଧିକ ସଂଖ୍ୟକ ଯୁବକ-ଯୁବତୀଙ୍କୁ ଚିକିତ୍ସକ ହେବାର ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବ।
ପୂର୍ବରୁ ଦେଶରେ ମୋଟ ୧,୧୬,୮୫୦ MBBS ସିଟ ରହିଥିଲା। ହେଲେ NMCର ଏହି ନିଷ୍ପତ୍ତି ପରେ ଦେଶର ମୋଟ MBBS ସିଟ ସଂଖ୍ୟା ୧,୨୩,୭୦୦ରୁ ଅଧିକ ହୋଇଯିବ। ଯାହା ପ୍ରାୟ ୧୨.୩ ଲକ୍ଷ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ NEET-UG ପରୀକ୍ଷା ମାଧ୍ୟମରେ ପ୍ରବେଶ ସୁଯୋଗ ପ୍ରଦାନ କରିବ।
ଏହି ନୂଆ ସିଟଗୁଡ଼ିକ ସମସ୍ତ ସରକାରୀ ଏବଂ ବେସରକାରି ମେଡିକାଲ କଲେଜଗୁଡ଼ିକୁ ଉପଲବ୍ଧ କରାଯାଇଛି। ଏହି ନୂତନ ଆସନଗୁଡିକ ମୋଟ ୧୦୫୦ ସିଟ ବିଶିଷ୍ଟ ୧୩ଟି ନୂତନ ସରକାରୀ କଲେଜ ଏବଂ ୧୦୮୦ଟି ଅତିରିକ୍ତ ସିଟ ଥିବା ୩୨ଟି ଅନ୍ୟ ସରକାରୀ କଲେଜ ମଧ୍ୟରେ ଆବଣ୍ଟିତ ହୋଇଛି। ବେସରକାରୀ କ୍ଷେତ୍ର ପାଇଁ (ଟ୍ରଷ୍ଟ ଏବଂ ସୋସାଇଟି ସମେତ), ୧୨୦୦ଟି ସିଟ ସହିତ ୧୦ଟି ନୂତନ କଲେଜକୁ ମିଳିଥିବା ବେଳେ ଅନ୍ୟ ୨୮ଟି କଲେଜକୁ ୧୫୧୫ଟି ଅତିରିକ୍ତ ସିଟ ଯୋଗାଇ ଦିଆଯାଇଛି।
NMC ଫି ପାଇଁ ନିର୍ଦ୍ଦେଶାବଳୀ ସ୍ଥିର କରିଥିବାବେଳେ ବେସରକାରୀ ଅନୁଷ୍ଠାନ ତଥା ଡିମଡ୍ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୫୦% ସିଟ ଫି ଅଧିକ ରହିଛି। ଅର୍ଥନୈତିକ ସର୍ଭେ ୨୦୨୪-୨୫ ରିପୋର୍ଟ କରିଛି ଯେ ଘରୋଇ କ୍ଷେତ୍ରରେ ଏମବିବିଏସ ଡିଗ୍ରୀ ପ୍ରାପ୍ତ କରିବା ପାଇଁ ୬୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୋଇପାରେ। ତେବେ ସମଗ୍ର ଦେଶରେ ଥିବା MBBS ଆସନଗୁଡିକ ମଧ୍ୟରୁ ୪୮% କେବଳ ବେସରକାରୀ ଅନୁଷ୍ଠାନ ଓ ଡିମଡ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ପରିଚାଳିତ କଲେଜରେ ରହିଛି ବୋଲି ସୂଚନା ମିଳିଛି।
ତେବେ NMCର ଏହି ନିଷ୍ପତ୍ତି ଚିକିତ୍ସା କ୍ଷେତ୍ରରେ ଡାକ୍ତର ଅଭାବକୁ ଦୂର କରିବା ସହ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାର ମାନକୁ ଉନ୍ନତ କରିବାରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।