ଭୁବନେଶ୍ୱର, ୧୫/୧୦ : ଷ୍ଟିଲ୍ ପ୍ଲେଟ୍ରେ ଅଙ୍କା ଯାଇଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ବୀରଙ୍କ ଛବି । ପ୍ଲେଟକୁ କଂକ୍ରିଟ କାନ୍ଥରେ ଲଗାଯାଇଥିଲା । ତଳେ ଲାଇଟ୍ ଜଳିବା ପରେ ରାତିରେ ପ୍ଲେଟ୍ଟି ଝଲସୁଥିଲା । ଯେଉଁମାନେ ଆସୁଥିଲେ ସେମାନେ ସଂଗ୍ରାମୀଙ୍କ ବଳିଦାନ ବିଷୟରେ ଜାଣୁଥିଲେ, ଫଟୋରେ ଦେଖୁଥିଲେ । ହେଲେ ଯେଉଁମାନେ ଦିନେ ଦେଶରେ ସ୍ୱାଧୀନତା ଆଣିବାରେ ଜୀବନକୁ ଉତ୍ସର୍ଗ କରିଥିଲେ ସେମାନେ ଆଜି ଅପମାନ ସହୁଛନ୍ତି । ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଷ୍ଟିଲ ପ୍ଲେଟଗୁଡ଼ିକ ନଷ୍ଟ ହୋଇଗଲାଣି । ସେଥିରେ ଥିବା ସଂଗ୍ରାମୀମାନଙ୍କ ଛବି ହଜିଗଲାଣି । ଗୋଟିଏ ସ୍ଥାନରେ ଲଗାଯାଇଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ କଳଙ୍କିରେ ହଜିଯାଇଥିବା ବେଳେ ବୀର ଭଗତ ସିଂଙ୍କ ଛବି ପ୍ଲେଟରୁ ଉଭାନ ହେଲାଣି । ଏଭଳି ଆହୁରି ଅନେକ ସଂଗ୍ରାମୀଙ୍କ ଫଟୋର ସ୍ଥିତି ସମାନ । ଆଉ କେଉଁଠି ନୁହେଁ, ରାଜଧାନୀ ଛାତି କୁହାଯାଉଥିବା ଜୟଦେବ ବିହାର ‘ଧ୍ୱଜା କ୍ଷେତ୍ର’ରେ ଏମିତି ଚିତ୍ର ଦେଖିବାକୁ ମିଳିଛି ।
ଗତବର୍ଷ ବିଶ୍ୱ ଭାଷା ସମ୍ମିଳନୀ ସରିବାର ଠିକ୍ ମାସେ ପରେ ଅର୍ଥାତ ମାର୍ଚ୍ଚ ୩ ତାରିଖରେ ଜନତା ମଇଦାନ ନିକଟ ମହାତ୍ମା ଗାନ୍ଧି ପାର୍କରେ ଜାତୀୟ ‘ଧ୍ୱଜା କ୍ଷେତ୍ର’ ଉନ୍ମୋଚନ ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧ୍ୱଜା କ୍ଷେତ୍ରକୁ ସାର୍ବଜନୀନ କରିଥିଲେ । ଏଠାରେ ୧୦୦ ଫୁଟ୍ ଉଚ୍ଚରେ ଥିବା ଏକ ମାଷ୍ଟ ଉପରେ ଜାତୀୟ ପତାକା ଅବସ୍ଥାପିତ କରାଯାଇଛି । ଏହି କ୍ଷେତ୍ର ଜାତୀୟ ପତାକାର ସୃଷ୍ଟିଠାରୁ ଆରମ୍ଭ କରି ଏହାର ଐତିହାସିକ ସଂଘର୍ଷର ସ୍ମରଣକାରୀ ଗାଥା ବର୍ଣ୍ଣନା କରୁଛି । ବଡ଼କଥା ହେଉଛି, କଳଙ୍କିହୀନ(ଷ୍ଟେନଲେସ) ଷ୍ଟିଲ ପ୍ଲେଟରେ ସଜ୍ଜିତ ବାଲୁକା ପଥର(ସ୍ୟାଣ୍ଡଷ୍ଟୋନ୍) ପ୍ୟାନେଲଗୁଡ଼ିକରେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିବା ସଂଗ୍ରାମୀଙ୍କ ଚିତ୍ର ଖୋଦିତ କରାଯାଇଥିଲା । ଯେଉଁଥିରେ ନେହରୁ, ଭଗତ ସିଂଙ୍କ ସମେତ ମହାତ୍ମା ଗାନ୍ଧୀ, ଚନ୍ଦ୍ରଶେଖର ଆଜାଦ, ସୁଭାଷ ଚନ୍ଦ୍ର ବୋଷ, ଡା. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଭଳି ବରପୁତ୍ର ରହିଛନ୍ତି । ପ୍ରତ୍ୟେକ ବରପୁତ୍ରଙ୍କ ଛବି ତଳେ ସେମାନଙ୍କ ନାମ ଓ ଜନ୍ମ-ମୃତ୍ୟୁର ସମୟ ଲେଖାଯାଇଛି । ପ୍ରଥମେ ଏଠାକୁ ଆସୁଥିବା ପରିଦର୍ଶକ ପ୍ୟାନେଲରେ ବରପୁତ୍ରଙ୍କୁ ଦେଖି ମୋବାଇଲରେ ଫଟୋ ଉଠାଉଥିଲେ । ଏବେ ଯେଉଁମାନେ ଏହି ପ୍ୟାନେଲ୍ ଦେଖୁଛନ୍ତି, ସେମାନେ ନାକ ଟେକୁଛନ୍ତି । ଧ୍ୱଜାକ୍ଷେତ୍ରର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିନ୍ଦା କରୁଛନ୍ତି ।
ଜଣେ ପରିଦର୍ଶକ ରୂପାଲି ଦାସ କହିଛନ୍ତି, ସେ ଧ୍ୱଜାକ୍ଷେତ୍ର ଆସିଥିଲେ । ବୁଲୁଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ର ଶେଖର ଆଜାଦଙ୍କ ଉପରେ ନଜର ପଡ଼ିଗଲା । ଦେଖିବା ବେଳକୁ ଫଟୋରେ ଚନ୍ଦ୍ରଶେଖର ଆଜାଦଙ୍କ ମଥା କଟିଯାଇଛି । ସମ୍ବିଧାନର ପ୍ରଣେତା ଡ. ବି.ଆର ଆମ୍ବେଦକରଙ୍କ ଚିତ୍ରରେ କଳଙ୍କି ଲାଗିଗଲାଣି । ରାତି ହେଲେ ଲାଇଟ୍ ବି ଜଳୁନି । ଯଦି ସମ୍ମାନ ନଦେବା ତେବେ ଏଭଳି ମହାପୁରୁଷଙ୍କ ଅପମାନ କ’ଣ ପାଇଁ କରିବା ବୋଲି ରୂପାଲି ପ୍ରଶ୍ନ କରିଛନ୍ତି । ପୂଜ୍ୟପୂଜା ସଙ୍ଗଠକ ତଥା ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର ଡ. ଅଦ୍ୱୈତ କୁମାର ପାତ୍ର ଏହାକୁ ନିନ୍ଦା କରିଛନ୍ତି । ଦାୟିତ୍ୱରେ ଥିବା ବିଡିଏ ତୁରନ୍ତ ଏଦିଗରେ ଦୃଷ୍ଟି କେନ୍ଦ୍ରିତ କରିବାକୁ ସେ ଦାବି କରିଛନ୍ତି ।