ନୂଆଦିଲ୍ଲୀ: ନେପାଳରେ ଜେନ୍-ଜି ଆନ୍ଦୋଳନ ପରେ ନିର୍ବାଚିତ ହୋଇଥିବା ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଦେଶବାସୀଙ୍କୁ ପ୍ରଥମ ଥର ପାଇଁ ସମ୍ବୋଧିତ କରିଛନ୍ତି। ଏହି ସମ୍ବୋଧନରେ ଆସନ୍ତା ମାର୍ଚ୍ଚ ୫ ତାରିଖ ସୁଦ୍ଧା ନେପାଳରେ ନିର୍ବାଚନ କରିବାକୁ ସେ ଦେଶର ଜନତାଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ତେବେ ସବୁଠୁ ବଡ କଥା ହେଉଛି ସେ ଯୁବ ଭୋଟରମାନଙ୍କୁ ଭୋଟ ଦେବା ଅଧିକାର ବୟସ ସୀମାରେ ପରିବର୍ତ୍ତନ ହୋଇଥିବା ନେଇ ଘୋଷଣା କରିଛନ୍ତି।
ଏନେଇ ସେ ସୂଚନା ଦେଇ କହିଛନ୍ତି ଯେ ଏକ ଅଧ୍ୟାଦେଶ ମାଧ୍ୟମରେ ନିର୍ବାଚନ ଆଇନରେ ବ୍ୟପକ ପରିବର୍ତ୍ତନ ଅଣାଯାଇଛି। ଯାହାପରଠୁ, ବର୍ତ୍ତମାନ ୧୬ ବର୍ଷ ବୟସର ଲୋକମାନେ ମଧ୍ୟ ନେପାଳରେ ଭୋଟ ଦେଇପାରିବେ। ତେବେ ପୂର୍ବରୁ ଏହି ବୟସ ସୀମା ୧୮ ବର୍ଷ ରହିଥିଲା।
ଏହାସହ ବିଦେଶରେ ରହୁଥିବା ନେପାଳୀ ନାଗରିକଙ୍କୁ ଭୋଟ ଦେବାର ଅଧିକାର ଦେବା ପାଇଁ ଆଇନରେ ସଂଶୋଧନ କାମ ଆରମ୍ଭ ହୋଇଛି । ଆଗାମୀ ସମୟରେ ବିଦେଶରେ ରହୁଥିବା ନେପାଳୀ ନାଗରିକଙ୍କୁ ଭୋଟିଂର ଅଧିକାର ଦେବା ପାଇଁ ସରକାର ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି ବୋଲି ସେ ଭରସା ଦେଇଛନ୍ତି ।
ସୁଶୀଳା କାର୍କି କହିଛନ୍ତି, ଜେନ୍-ଜି ଆନ୍ଦୋଳନ ସମୟରେ ନେତାଙ୍କ ଘରୁ ମିଳିଥିବା ବିପୁଳ ଅର୍ଥ ରାଶିର ତଦନ୍ତ ପାଇଁ ଡିପାର୍ଟିମେଣ୍ଟ ଅଫ୍ ମନି ଲଣ୍ଡ୍ରିଂ ଇନଭେଷ୍ଟିଗେସନକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ସମ୍ୱୋଧନ ପରେ ନେପାଳର ନିର୍ବାଚନ ଆୟୋଗ ମତଦାନ ବୟସକୁ ୧୮ରୁ ହ୍ରାସ କରି ୧୬ ବର୍ଷ କରାଯାଇଥିବା ବିଜ୍ଞପ୍ତି ଜାରି କରିଛନ୍ତି । ନେପାଳ ନିର୍ବାଚନ କମିଶନ କହିଛନ୍ତି ଯେ ୧୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ନେପାଳୀ ନାଗରିକତା ଥିବା ଯୁବକ ଯୁବତୀମାନେ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଥାନୀୟ ନିର୍ବାଚନ କାର୍ଯ୍ୟାଳୟରେ ନିଜକୁ ନୂତନ ଭୋଟର ଭାବରେ ପଞ୍ଜୀକରଣ କରିପାରିବେ ।