ନୂଆଦିଲ୍ଲୀ, ୨୩/୧୦: ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ଚତୁର୍ଥ ସଂସ୍କରଣ ପାଇଁ ଆସନ୍ତା ନଭେମ୍ବର ମାସରେ ଖେଳାଳି ନିଲାମ ଅନୁଷ୍ଠିତ ହେବ । ବିସିସିଆଇ ନୂଆଦିଲ୍ଲୀ ଠାରେ ଆସନ୍ତା ମାସ ୨୬ରୁ ୨୯ ତାରିଖ ମଧ୍ୟରେ ଖେଳାଳି ନିଲାମ ଆୟୋଜନ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।
କ୍ରିକ୍ବଜ୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିସିସିଆଇ ପକ୍ଷରୁ ସମସ୍ତ ଫ୍ରାଞ୍ଚାଇଜଙ୍କୁ ଖେଳାଳି ନିଲାମ ପାଇଁ ସମ୍ଭାବ୍ୟ ଭେନ୍ୟୁ ସମ୍ପର୍କରେ ଅବଗତ କରାଯାଇଛି । ମୋଟ ୫ଟି ଦଳ ଭାଗ ନେଉଥିବାରୁ ଗୋଟିଏ ଦିନରେ ନିଲାମ କାର୍ଯ୍ୟ ସାରିବାକୁ ଯୋଜନା କରାଯାଉଛି । ଇତିମଧ୍ୟରେ ଫ୍ରାଞ୍ଚାଇଜଗୁଡ଼ିକୁ ଆସନ୍ତା ନଭେମ୍ବର ୫ତାରିଖ ସୁଦ୍ଧା ନିଜ ନିଜର ରିଟେନ ଖେଳାଳି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।’ ପ୍ରତି ଫ୍ରାଞ୍ଚାଇଜ ମୋଟ ୧୮ଜଣ ଖେଳାଳିଙ୍କୁ ଦଳରେ ରଖିପାରିବେ ।
ନିୟମ ଅନୁଯାୟୀ, ଫ୍ରାଞ୍ଚାଇଜଗୁଡ଼ିକ ୫ଜଣଙ୍କୁ ରିଟେନ କରିବେ ଏବଂ ଆଉ ୫ଜଣଙ୍କୁ ଆରଟିଏମ୍ (ରାଇଟ୍ ଟୁ ମ୍ୟାଚ୍) ଜରିଆରେ ସାମିଲ କରିପାରିବେ । ନିଲାମରେ ପାଖାପାଖି ୯୦ଜଣ ଖେଳାଳି ସାମିଲ ହେବାର ସମ୍ଭାବନା ରହିଛି ।