ଭୁବନେଶ୍ୱର,୦୭/୧୦: ରାଜ୍ୟରେ ସମବାୟ ଅନୁଷ୍ଠାନଗୁଡ଼ିକୁ ଅଧିକ ଶକ୍ତିଶାଳୀ କରାଯିବ । କେନ୍ଦ୍ର ଭଳି ରାଜ୍ୟ ମଧ୍ୟ ସମବାୟ ପରିଚାଳନାରେ ନୂଆ ନୀତି ଆଣିବ । ତେବେ ବିଭିନ୍ନ ରାଜ୍ୟରେ ଓ କେନ୍ଦ୍ରରେ ଥିବା ଭଲ ସମବାୟ ନୀତିକୁ ଓଡ଼ିଶା ଆପଣେଇବ । ବିଶେଷ କରି ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକ(ପାକ୍ସ) ୱାନ୍‌ ଷ୍ଟପ୍‌ ସେଣ୍ଟର ପାଲଟିବ । ପାକ୍ସଗୁଡ଼ିକ ପେଟ୍ରୋଲ୍‌  ପମ୍ପ, ମିନି ବ୍ୟାଙ୍କ, ଆଧାର ପଞ୍ଜୀକରଣ କେନ୍ଦ୍ର, ଚାଷୀ ପଞ୍ଜୀକରଣ କେନ୍ଦ୍ର ସମେତ ବିଭିନ୍ନ ପ୍ରକାରର ସମାଧାନର କେନ୍ଦ୍ର ହେବ ।

ରାଜ୍ୟରେ ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ, କ୍ରିୟାଶୀଳ ଓ ବହୁମୁଖୀ କରିବାକୁ ରାଜ୍ୟ ସରକାର "ଓଡ଼ିଶା ରାଜ୍ୟ ସମବାୟ ନୀତି-୨୦୨୫ ଆଣିବାକୁ ଯାଉଛନ୍ତି। ଏହା ପୂର୍ବରୁ ରାଜ୍ୟରେ ଏକ ଚିଠା ସମବାୟ ନୀତି ପ୍ରସ୍ତୁତ କରାଯାଇଛି । ଚୂଡ଼ାନ୍ତ ନୀତି ପ୍ରସ୍ତୁତ  ପୂର୍ବରୁ ଜନସାଧାରଣଙ୍କଠାରୁ ସୁଚିନ୍ତିତ ମତାମତ ଓ ପ୍ରସ୍ତାବ ମାଗିଛି ସମବାୟ ବିଭାଗ । ଚିଠା ନୀତି ସମବାୟ ବିଭାଗର ୱେବସାଇଟ୍‌  coop.odisha.gov.inରେ ରହିଛି । ଜନସାଧାରଣ,ସମବାୟବିତ୍‌ ଓ ବୁଦ୍ଧିଜୀବୀ ସେମାନଙ୍କ ମତ [email protected]/[email protected]ରେ ପଠାଇ ପାରିବେ ।

ସୂଚନାଯୋଗ୍ୟ, କେନ୍ଦ୍ର ସମବାୟ  ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଚିଠା ସମବାୟ ନୀତି ପ୍ରକାଶ ପାଇଛି । କେନ୍ଦ୍ର  ସରକାରଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସମବାୟ ବିଭାଗ ଚିଠା ନୀତି ପ୍ରସ୍ତୁତ କରିଛି।