ନୂଆଦିଲ୍ଲୀ: ଆସନ୍ତା ମାସରେ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି। ଏନେଇ ଡ୍ରାଫ୍ଟ ମଧ୍ୟ ସଂପୂର୍ଣ୍ଣ ହୋଇସାରିଛି ବୋଲି ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ ରିପୋର୍ଟ ପ୍ରକାଶ କରିଛି। ଏହି ନୀତି ସହ ଜଡିତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନୂତନ ପ୍ରସ୍ତାବରେ ରାଜଧାନୀ ଦିଲ୍ଲୀର ସମସ୍ତ ଖୁଚୁରା ମଦ ଦୋକାନରେ ପ୍ରିମିୟମ୍ ମଦ ବ୍ରାଣ୍ଡ ଉପଲବ୍ଧ କରାଇବା ଅନ୍ତର୍ଭୁକ୍ତ ରହିଛି।
ବର୍ତ୍ତମାନ ଥିବା ଅବକାରୀ ନୀତି ଅନୁଯାୟୀ, ସରକାରଙ୍କୁ ରାଜସ୍ୱରେ କ୍ଷତି ହେଉଥିବାରୁ ପ୍ରିମିୟମ ମଦ ବ୍ରାଣ୍ଡ ସମସ୍ତ ମଦ ଦୋକାନରେ ବିକ୍ରୟ କରାଯାଇ ପାରିବ ନାହିଁ। କିନ୍ତୁ ନୂତନ ନିୟମ ଅନୁସାରେ ଆଗକୁ ଦିଲ୍ଲୀ ଏନସିଆର ସମେତ ଦିଲ୍ଲୀର ସମସ୍ତ ଅଞ୍ଚଳରେ ଥିବା ମଦ ଦୋକାନରେ ଏଣିକି ସମସ୍ତ ପ୍ରକାରର ବ୍ରାଣ୍ଡ ମିଳିବା ଆରମ୍ଭ ହୋଇଯିବ।
ଦିଲ୍ଲୀର ସମସ୍ତ ଖୁଚୁରା ମଦ ଦୋକାନରେ ଭିନ୍ନଭିନ୍ନ ବ୍ରାଣ୍ଡ ମିଳିବା ଦ୍ୱାରା ଖାଉଟିଙ୍କୁ ଏନେଇ ଅଧିକ ସୁଯୋଗ ମିଳିବା ସହ ସରକାରଙ୍କୁ ମଧ୍ୟ ଭଲ ପରିମାଣର ରାଜସ୍ୱ ଆଦାୟ ହେବ। ତେବେ ଖାଲି ଏତିକି ନୁହେଁ ବିଅର ପିଇବା ପାଇଁ ଥିବା ବୟସ କଟକଣାକୁ ମଧ୍ୟ ହ୍ରାସ କରିବାକୁ ଏହି ନୂତନ ଅବକାରୀ ନୀତିରେ ଉଲ୍ଲେଖ ଥିବା ନେଇ ସୂଚନା ମିଳିଛି। ତେବେ ଏ ପ୍ରସ୍ତାବକୁ ନେଇ ଏଯାଏ ସହମତି ମିଳିପାରିନାହିଁ।
ଆପଣଙ୍କୁ ଜଣାଇରଖୁ ଯେ, 2021 ମସିହାରେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ ଦଳ ଶାସନ ସମୟରେ ନୂଆ ଅବକାରି ନୀତି ଜାରି କରାଯାଇଥିଲା। ପରେ ଏଥିରେ ଚଞ୍ଚକତା ଓ ଦୁର୍ନିତି ଅଭିଯୋଗ ହେବାରୁ ମାତ୍ର ଗୋଟିଏ ମାସ ମଧ୍ୟରେ ଏହି ନୀତିକୁ ହଟାଇ ଦିଆଯାଇଥିଲା। ଏହି ବିବାଦ ଏତେ ବଢିଯାଇଥିଲା ଯେ, ପୋଲିସ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ମନିଷ ସିଶୋଦିଆଙ୍କୁ ଗିରଫ କରିଥିଲା। ଅନ୍ୟପଟେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୂର୍ବରୁ କହିଥିଲେ ଯେ ସାମାଜିକ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇ ଏବଂ ସବୁଆଡକୁ ନଜର ରଖାଯାଇ ନୂତନ ନୀତି ପ୍ରସ୍ତୁତ କରାଯିବ।
ତେବେ ନୂତନ ଅବକାରୀ ନୀତିର ବିଚାରାଧୀନ ସଂସ୍କାରଗୁଡ଼ିକରେ ମଦର ଗୁଣବତ୍ତାର ବୈଜ୍ଞାନିକ ପରୀକ୍ଷଣ, ବିକ୍ରୟ ବ୍ୟବସ୍ଥାର ଡିଜିଟାଇଜେସନ୍, ଅବୈଧ ବିକ୍ରୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଲାଇସେନ୍ସ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଦି ଅନ୍ତର୍ଭୁକ୍ତ ରହିଛି।
ଏନେଇ ଗଠିତ ନୂତନ କମିଟି ଡ୍ରାଫ୍ଟ ଦାଖଲ କରିବା ପରେ, ଦିଲ୍ଲୀ କ୍ୟାବିନେଟ୍ ନୀତିର ସମୀକ୍ଷା କରିବା ସହ ଏହାକୁ ଚୂଡ଼ାନ୍ତ କରିବେ। ନୀତିର ଚୂଡ଼ାନ୍ତ ବିବରଣୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।