ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ(ମିଛ ଖବର)ର ପ୍ରଚାର ପ୍ରସାର କରାଯାଉଛି ବୋଲି ଦାବି କରିଛନ୍ତି। ସରକାରଙ୍କ ଦ୍ୱାରା ପରିଚାଳିତ ଇଥାନଲ-ବ୍ଲେଣ୍ଡେଡ ତେଲକୁ ନେଇ ପେଡ୍ ପଲିଟିକାଲ କ୍ୟାମ୍ପେନ କରାଯାଉଛି ବୋଲି ସେ ଗୁରୁବାର ଅଭିଯୋଗ ଆଣିଛନ୍ତି।

ଖବର ମୁତାବକ, ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫ୍ୟାକଚର(ଏସଆଇଏଏମ)ର 65 ତମ ବାର୍ଷିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଯୋଗ ଦେଇଥିଲେ। ଏହି ଅବସରରେ ସେ E20 ତେଲକୁ ନେଇ ବିଭିନ୍ନ ସାମଜିକ ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ହେଉଥିବା ବିଭିନ୍ନ ଅପପ୍ରଚାରକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଏହାସହ ଏହି ତେଲ ଉଭୟ ଗାଡି ଚାଳକ ଓ ଗାଡି ନିର୍ମାତାଙ୍କ ପାଇଁ ଭଲ ବୋଲି ସେ ଦାବି କରିଛନ୍ତି।

ଏହାସହ ସେ କହିଥିଲେ ଯେ ଏଆରଏଆଇ ଓ ସୁପ୍ରିମ କୋର୍ଟ ପୂର୍ବରୁ ମଧ୍ୟ E20 ପ୍ରୋଗ୍ରାମକୁ ଗ୍ରିନ ସିଗନାଲ ଦେଇଛନ୍ତି। ବାସ ରାଜନୈତିକ ଭାବେ ମତେ ଟାର୍ଗେଟ କରିବା ପାଇଁ କେତେକ ଲୋକ ପଇସା ଦେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମୋ ବିରୁଦ୍ଧରେ କ୍ୟାମ୍ପେନ ଚଲାଯାଉଛି। ଏହା ଏକ ପେଡ୍ କ୍ୟାମ୍ପେନ, ତେଣୁ ମୁଁ ଏହା ଉପରେ ଧ୍ୟାନ ଦେଉନାହିଁ।

ଆପଣଙ୍କୁ ଜଣାଇରଖୁ ଯେ, ବିଗତ କିଛି ମାସ ହେବ ପେଟ୍ରୋଲରେ ଇଥାନଲ ବ୍ଲେଣ୍ଡ ଯୁକ୍ତ E20 ତେଲ ବିକ୍ରୟକୁ ନେଇ ନୀତିନ ଗଡକରୀଜୀଙ୍କୁ ବିଭିନ୍ନ ଗଣମାଧ୍ୟମରେ ଟାର୍ଗେଟ କରାଯାଉଛି। କେତେକ ସ୍ଥଳରେ ଅନେକ ଗାଡି ମାଲିକ ସେମାନଙ୍କ ଗାଡିର ମାଇଲେଜ କମିବା ସହ ଅତ୍ୟଧିକ ଇଥାନଲ ମିଶ୍ରଣ ଯୋଗୁଁ ଗାଡିର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିବା ଦାବି କରିଛନ୍ତି। ଏହାସହ ବିଶେଷଜ୍ଞଙ୍କ ସମେତ ଅନେକ ଗ୍ୟାରେଜ ମାଲିକ ମଧ୍ୟ ୨୦୨୩ ପୂର୍ବ ଗାଡି ଗୁଡିକ ସହ ଏପରି ଘଟୁଥିବା ଘଟଣା ସମ୍ପର୍କରେ ସୂଚନା ପ୍ରକାଶ କରିଛନ୍ତି।

ତେବେ ଗଡକରୀ ଏହାର ଉପଲବ୍ଧତା ଓ ଲାଭ ସମ୍ୱଦ୍ଧରେ ସମସ୍ତ ତଥ୍ୟ ସମସ୍ତଙ୍କ ସାମ୍ନାରେ ରଖିଥିଲେ। ଏହାସହ ସେ କହିଥିଲେ ଯେ E20 ପେଟ୍ରୋଲ ଯୋଗୁଁ ଖରାପ ହୋଇଥିବା ଗୋଟିଏ ଗାଡି ମୋ ସାମ୍ନାକୁ ଅଣାଯାଉ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ (ARAI) କିମ୍ବା SIAM ଏଯାଏ କୌଣସି ଯାଞ୍ଚ ହୋଇଥିବା କ୍ଷତି ମାମଲା ଚିହ୍ନଟ କରିପାରିନାହାନ୍ତି।

ପୂର୍ବରୁ ସୁପ୍ରିମକୋର୍ଟରେ E20 ପେଟ୍ରୋଲ ବିକ୍ରୟ ବନ୍ଦ କରିବା ନେଇ ହୋଇଥିବା ଏକ ପିଟିସନକୁ ମଧ୍ୟ ଖାରଜ କରିଛନ୍ତି। ଯାହାଫଳରେ ସରକାରଙ୍କ ସ୍ୱଚ୍ଛ-ଶକ୍ତି ପଲିସିକୁ ଏକ ପ୍ରକାର କ୍ଲିନଚିଟ୍ ମିଳିଥିଲା। ଅଟୋ ନିର୍ମାତା ଏବଂ ଇନ୍ଧନ ଯୋଗାଣକାରୀମାନେ ମଧ୍ୟ କହିଛନ୍ତି ଯେ E20 ପାଇଁ ଡିଜାଇନ୍ ହୋଇଥିବା ଯାନଗୁଡ଼ିକ ପାଇଁ ୱାରେଣ୍ଟି ବୈଧ ରହିବ।

ପୋଟ୍ରୋଲରେ ଇଥାନଲ ମିଶ୍ରଣ କରିବା ଯୋଗୁଁ ବିଦେଶରୁ ହେଉଥିବା ତୈଳ ଆମଦାନିରେ ମଧ୍ୟ ହ୍ରାସ ପରିଲକ୍ଷିତ ହେଉଛି। ଏହାଛଡା ଯାନ କମ୍ ପ୍ରଦୁଷଣ କରିବା ସହ ସ୍ଥାନୀୟ କୃଷକମାନଙ୍କୁ ମଧ୍ୟ ଅଧିକ ରୋଜଗାର ମିଳିପାରୁଛି ବୋଲି ଗଡକରୀ ସୂଚନା ଦେଇଛନ୍ତି।