ଭୁବନେଶ୍ଵର, ୬/୯ : ମହାନଦୀରେ ଆସୁଛି ଛୋଟ ଧରଣର ବନ୍ୟା। ରବିବାର ସନ୍ଧ୍ୟା ୬ଟାରେ ମୁଣ୍ଡଳୀରେ ପହଁଚିବ ବନ୍ୟା ଜଳ। ନଦୀ ଅବବାହିକାରେ ଥିବା ତଳିଆ ଅଞ୍ଚଳରେ ପାଣି ପଶିବ। ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି।
ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ବିଗତ ଦିନରେ ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ମହାନଦୀରେ ଅଧିକ ଜଳ ପଶିଛି। ୨୪ ଗେଟରେ ନିଷ୍କାସନ ହେଉଥିଲା, ଏବେ ୪ଟି ଗେଟ୍ ବନ୍ଦ କରାଯାଇଛି। ହୀରାକୁଦରେ ୬୨୬.୩୫ ଫୁଟ ଜଳ ଅଛି। ଜଳଭଣ୍ଡାରକୁ ୩.୮୫ ଲକ୍ଷ କ୍ୟୁସେକ୍ ଜଳ ପଶୁଥିବାବେଳେ ୪.୨୪ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଆସନ୍ତାକାଲି ସନ୍ଧ୍ୟା ୬ ଟାରେ ୫.୫୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ମୁଣ୍ଡଳୀକୁ ଆସିବ। ଛୋଟ ଧରଣର ବନ୍ୟା ମୁଣ୍ଡଳୀକୁ ଆସିବ। ତେଣୁ ବିପଦ ନାହିଁ। ତେଲ ନଦୀରେ ବି ବର୍ଷା ନାହିଁ।
ସେପଟେ ରେଙ୍ଗାଲିର ଦୁଇଟି ଗେଟ୍ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି। ଜଳ ପ୍ରବେଶ କମୁଥିବାରୁ ରେଙ୍ଗାଲିର ଗୋଟେ ଗେଟ ବନ୍ଦ ହେବ। କୌଣସି ନଦୀରେ ବନ୍ୟା ନାହିଁ। କେବଳ ଜଳକା ବିପଦ ସଂକେତ ଉପରେ ଅଛି। ଆଉ ଘଣ୍ଟେରେ ଏହା ବିପଦମୁକ୍ତ ହୋଇଯିବ। କାରଣ ଜଳସ୍ତର କମୁଛି। ଗତକାଲି ବିଶେଷ ବର୍ଷା କେଉଁଠି ବି ହୋଇନି। କେବଳ ୧୦ ବ୍ଲକରେ ୫୦ ମିମି ବର୍ଷା ହୋଇଛି। କୌଣସି ବ୍ଲକରେ ୧୦୦ ମିମି ବର୍ଷା ହୋଇନି। ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ବର୍ଷା ନାହିଁ।