କଟକ,୧୪/୧୦: ବକେୟା ଥିବା ଟ୍ରାଫିକ୍ ଇ-ଚାଲାଣ ପୈଠ ପାଇଁ କୌଣସି ଆର୍ଟିଓ ଅଫିସ୍କୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ଜଣେ ବ୍ୟକ୍ତି ଏହି ସୁଯୋଗ ନେଇପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ପରିବହନ ବିଭାଗ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ପୋର୍ଟାଲ ମଧ୍ୟ ଖୋଲାଯାଇଛି https://echallan.parivahan.gov.in//ରେ ଏହି ଇ-ଚାଲାଣ ଜରିମାନା ଅର୍ଥକୁ ପୈଠ କରାଯାଇ ପାରିବ ।
ରାଜ୍ୟ ସରକାର ଇ-ଚାଲାଣରେ ଜରିମାନା ପୈଠ ପାଇଁ ଓଟିଏସ୍ (ୱାନ୍ ଟାଇମ୍ ସେଟଲ୍ମେଣ୍ଟ) ବ୍ୟବସ୍ଥା ଲାଗୁ କରିଛନ୍ତି । ଏଥିରେ ମୋଟ୍ ୨୪ଟି ବିଭାଗକୁ ସମ୍ପୃକ୍ତ କରାଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ଏହି ଜରିମାନା ଅର୍ଥ ପୈଠ କଲେ ୫୦% ରିହାତି ମିଳିବ । ଗତ ଜୁଲାଇ ୩୧ ପୂର୍ବରୁ ଯେଉଁସବୁ ଜରିମାନା କଟାଯାଇଛି ସେସବୁ କ୍ଷେତ୍ରରେ ଏହି ଓଟିଏସ୍ ଲାଗୁ ହେବ । ଇ-ଚାଲାଣ ପୈଠ ନ କଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । ଭବିଷ୍ୟତରେ ମୋଟର ଯାନ ସମ୍ବନ୍ଧୀୟ ବିଭିନ୍ନ ସେବା ସହ ଗାଡ଼ିର ପଞ୍ଜୀକରଣ ରଦ୍ଦ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ୱେବ୍ସାଇଟ୍ରେ କ୍ଲିକ୍ କରି ପେ-ଅନ୍ଲାଇନ୍ କ୍ଲିକ୍ କରିବା ପରେ ଚାଲାଣ ସଂଖ୍ୟା କିମ୍ବା ଗାଡ଼ି ନମ୍ବର ଦେଇ ଓଟିପି ଭରିଲେ ବକେୟା ଚାଲାଣର ବିବରଣୀ ଏବଂ ପୈଠ କରିବାର ବିକଳ୍ପ ଦେଖିବାକୁ ମିଳିବ ।
କୌଣସି ସୂଚନା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ଜନସାଧାରଣ ବୁଝିପାରିବେ । ସେହିଭଳି ପରିବହନ ବିଭାଗର ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ୧୮୦୦ ୩୪୫୧୦୭୩ ରେ ମଧ୍ୟ ଯୋଗାଯୋଗ କରାଯାଇ ପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।