ଭୁବନେଶ୍ବର, ୧୫/୧୦: ଜୟ ଢୋଲକିଆ ନୂଆପଡ଼ା ବିଜେପି ପ୍ରାର୍ଥୀ । ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଜୟ ଢୋଲକିଆଙ୍କ ନାଁରେ ମୋହର ମାରିଛି । ୧୬ ତାରିଖରେ ଅର୍ଥାତ୍ ଆସନ୍ତାକାଲି ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ । ନୋମିନେସନ ବେଳେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନୂଆପଡ଼ା ଦଖଲ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ। ଜୟ ଢୋଲକିଆଙ୍କ ନାଁରେ ବାଜିଲା ମୋହର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ଦାଖଲ କରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୬ ତାରିଖରେ ନୂଆପଡ଼ା ଗସ୍ତରେ ଯିବେ। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ବିଶାଳ ସମାବେଶ କରିବେ। ଏହି ଅବସରରେ ଦୁଇ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି ।
ସେପଟେ ବିଜେଡିର ନୂଆପଡ଼ା ଯୋଦ୍ଧା ଫାଇନାଲ୍ ହୋଇପାରୁନାହାନ୍ତି। ରାଜ୍ୟ ବିଜେଡି ସଭାପତି କୋର କମିଟିକୁ ନୂଆପଡ଼ା ପ୍ରାର୍ଥୀ ଚୟନ ଦାୟିତ୍ଵ ଦେଇଛନ୍ତି। ମାନସ ମନ୍ଥନ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ଏକ ତାଲିକା ପ୍ରସ୍ତୁତ କରି ନବୀନଙ୍କୁ ଦିଆଯିବ। ଦଳରେ ବଡ଼ ବଡ଼ ଛାମୁଆ ନେତା ଥିବା ସତ୍ତ୍ଵେ ଏଯାଏଁ ବିଜେଡିର ପ୍ରାର୍ଥୀ ଚୟନ ହୋଇପାରୁନାହିଁ।
ସୂଚନା ଅନୁଯାୟୀ, ସେପ୍ଟେମ୍ବର ୮ ତାରିଖରେ ଚେନ୍ନାଇ ସ୍ଥିତ ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଥିଲେ ରାଜେନ୍ଦ୍ର ଢୋଲକିଆ। ସେ ନୂଆପଡ଼ାରୁ ୨ ଥର ବିଧାୟକ ଭାବେ ନିର୍ବାଚନ ହୋଇଥିଲେ । ତେବେ ତାଙ୍କ ଦେହାନ୍ତ ପରେ ନୂଆପଡ଼ା ଆସନ ଖାଲି ପଡିଥିଲା । ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ।