ନୂଆଦିଲ୍ଲୀ: ଭାରତରେ ଧନୀକମାନଙ୍କର ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ମେଡ଼ମ୍ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ ରିପୋର୍ଟ ଅନୁସାରେ, ଦେଶରେ ବର୍ତ୍ତମାନ ୩୫୮ ଜଣ କୋଟିପତି ରହିଛନ୍ତି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି କ୍ଲବରେ ୨୪ ଜଣ ଅଧିକ ଲୋକ ଯୋଡି ହୋଇଛନ୍ତି। ଏହା ସହିତ, ୧,୬୮୭ ଜଣ ବ୍ୟକ୍ତିଙ୍କର ସମ୍ପତ୍ତି ଅତିକମ୍ ରୂପେ ୧,୦୦୦ କୋଟିରୁ ଅଧିକ ରହିଛି। ଯାହା ୨୦୨୪ ମସିହାର ଗଣନାଠାରୁ ୧୪୮ ଜଣ ଅଧିକ ରହିଛନ୍ତି। ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପରିବାରର ସମ୍ପତ୍ତି ମୋଟ୍ ସମ୍ପତ୍ତି ୯.୫୫ ଲକ୍ଷ କୋଟି ଟଙ୍କା (ପ୍ରାୟ ୧୦୫ ବିଲିୟନ ଡଲାର) ରହିଛି।
ସେହିଭଳି, ଦ୍ୱିତୀୟ ସ୍ଥାନରେ ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ ରହିଛନ୍ତି, ଯାହାଙ୍କ ସମ୍ପତ୍ତି ମୋଟ୍ ୮.୧୫ ଲକ୍ଷ କୋଟି ଟଙ୍କା ରହିଛି। ତୃତୀୟ ସ୍ଥାନରେ HCLTechର ଚେୟାରପର୍ସନ୍ ରୋଶନୀ ନାଦାର ମଲହୋତ୍ରା ରହିଛନ୍ତି। ତାଙ୍କର ମୋଟ୍ ସମ୍ପତ୍ତିର ପରିମାଣ ୨.୮୪ ଲକ୍ଷ କୋଟି ଟଙ୍କା ରହିଛି। ଏହା ତାଙ୍କ ପାଇଁ ପ୍ରଥମ ଥର ଟପ୍-୩ରେ ପ୍ରବେଶ ହୋଇଥିବା ବେଳେ, ସେ ଭାରତର ସର୍ବାଧିକ ଧନୀ ମହିଳା ଏବଂ ଟପ୍-୧୦ରେ ସର୍ବକନିଷ୍ଠ ବ୍ୟକ୍ତିତ୍ତ୍ୱ ଭାବେ ସ୍ଥାନ ପାଇଛନ୍ତି।
ଏହି ରିପୋର୍ଟରେ ଭାରତର ନୂତନ ପିଢ଼ିର ଟେକ୍ କୋଟିପତିଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଚେନ୍ନାଇରେ ଜନ୍ମିତ ତଥା AI ଷ୍ଟାର୍ଟଅପ୍ Perplexityର ପ୍ରତିଷ୍ଠାତା ୩୧ ବର୍ଷୀୟ ଅରବିନ୍ଦ ଶ୍ରୀନିବାସ ଦେଶର ସବୁଠାରୁ ଯୁବ କୋଟିପତି ଭାବରେ ତାଲିକାରେ ପ୍ରବେଶ କରିଛନ୍ତି। ତାଙ୍କ ସମ୍ପତ୍ତିର ପରିମାଣ ୨୧ ହଜାର ୧୯୦ କୋଟି ଟଙ୍କା ରହିଛି। ଅନ୍ୟପଟେ, Zeptoର କୈବଲ୍ୟ ଭୋହରା (୨୨) ଏବଂ ଆଦିତ୍ ପାଲିଚା (୨୩) ସାମଗ୍ରିକ ଭାବରେ ସବୁଠାରୁ ଯୁବ କୋଟିପତି ଭାବେ ସ୍ଥାନିତ ହୋଇଛନ୍ତି।
ସବୁଠାରୁ ଅଧିକ ସମ୍ପତ୍ତି ବଢିଥିବା ଲୋକଙ୍କ ମଧ୍ୟରେ, ନିରଜ ବଜାଜ ଏବଂ ବଜାଜ ଗ୍ରୁପ ରହିଛି। ବିଗତ ବର୍ଷ ଅପେକ୍ଷା ସେମାନଙ୍କର ସମ୍ପତ୍ତି ୪୩% ବୃଦ୍ଧି ପାଇ ୨.୩୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ସେମାନଙ୍କୁ ଚଳିତ ବର୍ଷର ସବୁଠାରୁ ବଡ ଲାଭକାରୀ ସଂସ୍ଥା ଭାବେ ଠିଆ କରିଛି। ସେହିଭଳି ବଲିଉଡ ଆଇକନ୍ ଶାହରୁଖ ଖାନ ମଧ୍ୟ ୧୨ ହଜାର ୪୯୦ କୋଟି ଟଙ୍କାର ସମ୍ପତ୍ତି ସହିତ ସବୁଠାରୁ ଧନୀ ତାରକା ଭାବରେ ସାମ୍ନାକୁ ଆସିଛନ୍ତି।
ସେହିଭଳି ଅଜିମ ପ୍ରେମଜିଙ୍କ ସମ୍ପତ୍ତି ଆଶାତୀତ ଭାବେ ବୃଦ୍ଧି ହୋଇଛି। ସେ ଏହି ତାଲିକାରେ ୨୦୨୧ ମସିହାରେ ୩୪ ନମ୍ୱର ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ସେ ୮ମ ସ୍ଥାନକୁ ଆସିଛନ୍ତି। ତାଙ୍କ କମ୍ୱାନି ୱିପ୍ରୋ ବିଗତ କିଛି ବର୍ଷ ମଧ୍ୟରେ କମ୍ପାନିକୁ ଭଲ ରିଟର୍ଣ୍ଣ ପ୍ରଦାନ କରିଛି। ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଗୋପିଚାନ୍ଦ ହିନ୍ଦୁଜା ନବମ ସ୍ଥାନରେ ଥିବା ବେଳେ ୧.୮୩ ଲକ୍ଷ କୋଟି ଟଙ୍କା ସହ ରାଧାକିଷନ ଦମାନି ଏହି ତାଲିକାର ଦଶମ ସ୍ଥାନରେ ରହିଛନ୍ତି।
ଭାରତୀୟ କୋଟିପତି ମାନଙ୍କର ମୋଟ ସମ୍ପତ୍ତି ୯୪୭ ବିଲିୟନ୍ ଡଲାର(ପ୍ରାୟ ୮୦ ଲକ୍ଷ କୋଟି)ରେ ପହଞ୍ଚିଛି, ଯାହା ଗତ ବର୍ଷ ଠାରୁ ୯୦% ଅଧିକ। ହିସାବକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ଭାରତ ବିଶ୍ୱର ତୃତୀୟ ସର୍ବାଧିକ ବିଲିୟନେୟର ମାନଙ୍କ ଦେଶ (ଆମେରିକା ପରେ ଚୀନ) ଭାବେ ପରିଗଣିତ ହେଉଛି। ଆମ ଦେଶରେ ବଢୁଥିବା ବିଲିୟନେୟର ମାନଙ୍କ ସଂକ୍ୟାକୁ ଆକଳନ କଲେ ଜଣାଯାଏ ଯେ ଭାରତ ଏହି କ୍ଷେତ୍ରରେ ବହୁ ଜଲଦି ଚୀନକୁ ଅତିକ୍ରମ କରିଯିବ।