ଭୁବନେଶ୍ବର,୧୭/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ କ୍ରମେ ରାଜ୍ୟବ୍ୟାପୀ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆୟୋଜିତ ‘ଏକ୍ ପେଡ଼୍ ମା’କେ ନାମ୍ ୨.୦’ଅଭିଯାନରେ ଓଡ଼ିଶା ଖଣି ନିଗମ ସାମିଲ ହୋଇ ନିଜ ଖଣି ଓ ଖଣି ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ୧ଲକ୍ଷ ଚାରା ରୋପଣ କରିଛି ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରସ୍ଥିତ ଡ୍ରିଲ୍ କୋର୍ ଲାଇବ୍ରେରୀଠାରେ ଆୟୋଜିତ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଓଏମସିର ପରିଚାଳନା ନିର୍ଦେଶକ ସୁଧାଂଶୁ ମୋହନ ସାମଲ, ଆଇଏଏସ, ଏକ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ନିଗମର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ସୁଧାଂଶୁ ଶେଖର ଖୋରା, ଆଇଏଫଏସ, ଅପରେଶନ ନିର୍ଦ୍ଦେଶକ ସବ୍ୟସାଚୀ ମହାନ୍ତି, ମାନବ ସମ୍ବଳ ନିର୍ଦ୍ଦେଶକ ଆଲୋକ ପାଲ ଏବଂ ବିତ୍ତ ନିର୍ଦ୍ଦେଶକ ବନ ବିହାରୀ ପାଣି ପ୍ରମୁଖ ସାମିଲ ହୋଇଥିଲେ । ଏଥିସହ ନିଗମର ବିଭାଗୀୟ ମୁଖ୍ୟ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟକ କର୍ମଚାରୀମାନେ ମଧ୍ୟ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମୂହିକ ଅଂଶଗ୍ରହଣ କରିଥିଲେ ।
ଏଥିସହ ନିଗମ ଅଧିନସ୍ଥ ଖଣି ଅଞ୍ଚଳ ଯଥା- ଗୁଆଳୀ, ରୋଇଡ଼ା-ସି, ଜିଲିଙ୍ଗ- ଲାଙ୍ଗଲୋଟା, ବାଂଶପାଣି, ଡୁବୁନା- ସେକ୍ରାଡିହି, କାଳିଆପାଣି, ଗନ୍ଧମାର୍ଦ୍ଦନ, ଖଣ୍ଡବନ୍ଧ, ବାଙ୍ଗୁର, କୋଡ଼ିଙ୍ଗାମାଳି, ସୁକରଙ୍ଗୀ ଖଣି ଏବଂ ଏହାର ପାର୍ଶ୍ବବର୍ତ୍ତୀ ସର୍ବମୋଟ ୨୭ଟି ସ୍ଥାନରେ ୧ଲକ୍ଷ ଚାରା ରୋପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଖଣି କ୍ଷେତ୍ରରେ କାର୍ଯ୍ୟରତ ନିଗମର ବହୁ ସଂଖ୍ୟକ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ସ୍ବେଚ୍ଛାକୃତ ଭାବେ ଅଂଶଗ୍ରହଣ କରିଥିଲେ ।