uhfhr

ସବୁ ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପ୍ରତିଷେଧକ ପଦକ୍ଷେପ ଭଳି ଭିଡ଼ତନ୍ତ୍ରର ମଧ୍ୟ ଥାଏ । ଏଥିପାଇଁ ମିଳିତ ପ୍ରଚେଷ୍ଟା ହିଁ ଆବଶ୍ୟକ । ପ୍ରଥମେ ଜନସମାଗମ ପୂର୍ବରୁ ସଠିକ୍‌ ଯୋଜନା ପ୍ରସ୍ତୁତ କରିବା ସହ ଭିଡ଼-ନିରାପତ୍ତା ପ୍ରତି ଦୃଷ୍ଟିଦେଇ ସ୍ଥଳକୁ ପରୀକ୍ଷା କରିବା ଉଚିତ୍‌ । ପାରିପାଶ୍ୱିର୍କ ଦିଗକୁ ବିଚାର କରି ଟ୍ରାଫିକ୍‌ ନିୟମକୁ ପାଳନ କରିବା ।

ଭାରତ ସହ ଅନ୍ୟାନ୍ୟ ଦେଶସମୂହର ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇ ବିଶ୍ୱ ୮.୨ ବିଲିୟନରେ ପହଞ୍ଚିଲାଣି ଏବଂ ମିଳିତ ଜାତିସଂଘ ଆକଳନରେ ଏହା ୨୧୦୦ ମସିହା ବେଳକୁ ୧୦.୮ ବିଲିୟନ ହୋଇଯିବ । ଏହି ଜନସଂଖ୍ୟା ବିସ୍ଫୋରଣ ହିଁ ଭିଡ଼ତନ୍ତ୍ରକୁ ଜନ୍ମ ଦେଇଥାଏ । ଯେତେବେଳେ ଅତ୍ୟଧିକ ଲୋକଙ୍କର ସମାଗମ ହୁଏ ତାକୁ ଭିଡ଼ କୁହାଯାଏ । ଏହା ଏକ ସ୍ଥିତିକୁ ବୁଝାଏ, ଯେତେବେଳେ ନିର୍ଦ୍ଦିଷ୍ଟ ପରିସୀମାର ସ୍ଥାନ ମଧ୍ୟରେ ଅତ୍ୟଧିକ ଜନସମାଗମ ହୁଏ, ଯାହାକି ନିରାପତ୍ତା ଓ ସ୍ୱାସ୍ଥ୍ୟଜନିତ ବିପଦ ସୃଷ୍ଟି କରିଥାଏ । ଏହି ଜନସମାଗମ ବର୍ତ୍ତମାନର ପରିବେଶ ଓ ସ୍ଥାନୀୟ ସାଂସ୍କୃତିକ ନିୟମ ଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ସାମୟିକ ବା ନିୟମିତ ଭାବରେ ଘରେ, ସର୍ବସାଧାରଣ ସ୍ଥାନ ବା ଗମନାଗମନ କ୍ଷେତ୍ରରେ ଉପୁଜିଥାଏ ।

ସାଧାରଣ ଭାବରେ ନିତିଦିନିଆ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥାଏ । ବଜାରକୁ ସୌଦା ପାଇଁ, ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ, ବସ୍‌, ଟ୍ରେନ୍‌ ବା ବିମାନରେ ଯାତ୍ରା କରିବା, ସଭା-ସମିତି କରିବା, ଆମୋଦ-ପ୍ରମୋଦ ପାଇଁ ନାଚ-ଗୀତର ଆସର କରିବା, ରାଜନୈତିକ ଅବା ଧାର୍ମିକ ସଭାର ଆୟୋଜନ କରିବା, କାରାଗାରରେ ବନ୍ଦୀମାନଙ୍କ ସଂଖ୍ୟା ବୃଦ୍ଧିହେବା ଅବା ମେଳାମହୋତ୍ସବମାନ ଆୟୋଜନ କରିବା ହେଉ, ସବୁଠି ଭିଡ଼-ତତ୍ତ୍ୱ ପ୍ରକାଶ ପାଇଥାଏ । ବିଶ୍ୱର ଅନେକ ଦେଶ– ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଓ ଚୀନରେ ଏହାର ପ୍ରଭାବ ନିକଟ ଅତୀତରେ ଦୃଶ୍ୟମାନ ହୋଇଅଛି । ଏବେ ଭାରତର ଉତ୍ତରପ୍ରଦେଶ ରାଜ୍ୟର ବରେଲୀରେ "ଲଭ୍‌ ମୋହମଦ୍‌' ବନାମ "ଲଭ୍‌ ମହାଦେବ' ପାଇଁ ଭିଡ଼ତନ୍ତ୍ରର ପ୍ରୟୋଗ ସେଠିକାର ସରକାରଙ୍କ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଅଛି । ତାମିଲନାଡୁର ଭେଲୁସ୍ୱାମୀନଗର ଠାରେ ରାଜନୈତିକ ସମାବେଶରେ ଭିଡ଼ ଯୋଗୁଁ ଦଳାଚକଟା ଦ୍ୱାରା ୪୦ଜଣଙ୍କ ପ୍ରାଣହାନି ଆଉ ଏକ ଉଦାହରଣ । ଏହି ଭିଡ଼ତନ୍ତ୍ର ଦୈନନ୍ଦିନ ଜୀବନ ପ୍ରବାହରେ ବାଧକ ହୋଇ ସମାଜକୁ କଳୁଷିତ କରୁଥିବାରୁ ସମସ୍ତେ ସଚେତନ ହେବା ଆବଶ୍ୟକ ଅଟେ । ଉଦାହରଣଟିଏ ନେବା ।

ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନା ଯିବା ଅବସରରେ ସେଠାରେ ନିୟୋଜିତ ଜଣେ ନିରାପତ୍ତାରକ୍ଷୀଙ୍କ ସାଙ୍ଗରେ ବାର୍ତ୍ତାଳାପ ବେଳେ ଏକ ରୋଚକ ତଥ୍ୟ ଜଣାପଡ଼ିଲା । ଯେତେବେଳେ ପଚାରିଲି କେତେ ଟଙ୍କା ବେତନ ପାଇ ପରିବାର ପ୍ରତିପୋଷଣ କରୁଅଛ, ତାଙ୍କ ଉତ୍ତରରେ ୧୨୦୦୦ଟଙ୍କା ବେତନ ପରେ "ରାଲି'ରୁ ମଧ୍ୟ କିଛି ରୋଜଗାର ହୁଏ । ଏହି "ରାଲି ରୋଜଗାର' ହେଲା ରାଜନୈତିକ ନେତାମାନଙ୍କ ପାଇଁ ଲୋକ ଯୋଗାଡ଼ କରି ରାଲିରେ ଭାଗନେଇ ସଭାକୁ ସଫଳ କରାଇବା । ଏହି ନୂତନ ରୋଜଗାର ପଦ୍ଧତି ମାଧ୍ୟମରେ ଭିଡ଼ ଜଣାଇବା କାର୍ଯ୍ୟଟି ସୁଚାରୁ ରୂପେ ସମ୍ପାଦନ ହୋଇପାରୁଛି । ତେବେ ଭିଡ଼ତତ୍ତ୍ୱଟି ଏବେ ଏକ ବଡ଼ ସମସ୍ୟା ଭାବରେ ଉଭା ହେଲାଣି ଓ ତାକୁ ନିୟନ୍ତ୍ରଣ କରିବା ପାଇଁ ନୀତି- ନିୟମମାନ ପ୍ରଣୟନ ଜରୁରି ମନେ ହେଲାଣି । ଭିଡ଼-ତନ୍ତ୍ର ଏକ ନୂତନ ସମସ୍ୟା ଭାବରେ ଆଧୁନିକ ପୃଥିବୀରେ ଉଭା ହୋଇଅଛି । ଭାରତରେ ମଧ୍ୟ ଏହାର ପ୍ରାଦୁର୍ଭାବ ଯୋଗୁଁ ସରକାର ଚିନ୍ତିତ ଅଟନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ନୂତନ ମାର୍ଗଦର୍ଶିକାମାନ ପ୍ରସ୍ତୁତ ହେଉଅଛି । ବିଶେଷଭାବରେ ଯେତେବେଳେ ଅଧିକ ଭାବରେ ଜନସମାଗମ ହେବ ଯଥା ବଡ଼ ଉତ୍ସବର ଆୟୋଜନ, କୁମ୍ଭମେଳା, ଧାର୍ମିକ ସଭା, ପ୍ରବଚନ ଓ ଖେଳ ଇତ୍ୟାଦି ବେଳେ ଏହା ସହାୟକ ହେବ । ସାମ୍ପ୍ରଦାୟିକ ଦଙ୍ଗା, ଛାତ୍ର ଆନ୍ଦୋଳନ ଓ ସାମାଜିକ ଗଣମାଧ୍ୟମ ଦ୍ୱାରା ପରିଚାଳିତ ଜନଆକ୍ରୋଶ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଟେ । ସାମାଜିକ ଗଣମାଧ୍ୟମରେ ଯେଉଁଭଳି ଗୁଜବ ହେଲେବି ତ୍ୱରିତ ବେଗରେ ପ୍ରସାରିତ ହୋଇ ଦଙ୍ଗା ଆଡ଼କୁ ମୁହାଁଉଅଛି, ତାର ପ୍ରତିକାର ପାଇଁ ଏହା ଜରୁରି ଅଟେ । ଏଠାରେ ପ୍ରଥମେ ଭିଡ଼ର ମାନସିକତା ବା ଚିନ୍ତାଧାରାକୁ ପାଠ କରିବା ଆବଶ୍ୟକ । ଏଥିଯୋଗୁଁ ଭିଡ଼ ନିୟନ୍ତ୍ରଣ ଓ ଭିଡ଼ ଜମାଇବାର ପରିଚାଳନାକୁ ଉଚିତ୍‌ ଭାବରେ ସରକାର ମାର୍ଗଦର୍ଶିକାକୁ ପ୍ରସ୍ତୁତ କରୁଅଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ପୃଥିବୀର ବୃହତ୍ତମ ଗଣତନ୍ତ୍ର ପାଇଁ ଭିଡ଼ ନିୟନ୍ତ୍ରଣ ଏକ ବଡ଼ ଆହ୍ୱାନ ଅଟେ ଓ ଏଥିପାଇଁ ଆଇନ ପ୍ରଣୟନର ଆବଶ୍ୟକତା ଅଛି । ଜନସଂଖ୍ୟା ବୃଦ୍ଧି ପ୍ରତ୍ୟକ୍ଷ ଭାବରେ ଭିଡ଼କୁ ପ୍ରୋତ୍ସାହିତ କରିଥାଏ । ଏହାର କେତେକ ମୁଖ୍ୟ କାରଣ ମଧ୍ୟରୁ ଜନ୍ମ ଓ ମୃତ୍ୟୁ ହାର ମଧ୍ୟରେ ବ୍ୟବଧାନ ଅନ୍ୟତମ ଅଟେ । ମହିଳାମାନଙ୍କର ଶିକ୍ଷାହାର କମ୍‌ ଥିବାରୁ ପରିବାର ନିୟନ୍ତ୍ରଣର ମାଧ୍ୟମକୁ ଗ୍ରହଣ ନକରିବା ଓ ନିଜକୁ ସଶକ୍ତ ନକରିବା ଏହାର ପ୍ରତିଫଳନ । ଏବେ ବାର୍ଷିକ ୮୦ ମିଲିୟନ ହାରରେ ଜନସଂଖ୍ୟା ବୃଦ୍ଧି ଘଟୁଅଛି । ବାଳିକାମାନଙ୍କର ଶିକ୍ଷାହାର ବୃଦ୍ଧି ନହେବା, ମୃତ୍ୟୁହାର କମିବା ଓ ବିଜ୍ଞାନର ଅଗ୍ରଗତି ପାଇଁ ଜନସଂଖ୍ୟା ବୃଦ୍ଧି ଘଟୁଅଛି ।

ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୧୩୦ ମିଲିୟନ ବାଳିକା ବିଦ୍ୟାଳୟ ଯାଉନାହାଁନ୍ତି ଓ ପ୍ରାଥମିକ ଶିକ୍ଷା ଗ୍ରହଣ ବୟସରେ ୧୫ ବିଲିୟନ ଲେଖିପଢ଼ି ଜାଣନ୍ତି ନାହିଁ । ଯଦି ବାଳିକା ଓ ମହିଳାମାନଙ୍କ ମଧ୍ୟରେ ଶିକ୍ଷା ସହ ସଚେତନତା ଉତ୍ସାହପ୍ରଦ ଭାବରେ ବୃଦ୍ଧି ଘଟନ୍ତା, ତେବେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା । ସରକାରଙ୍କର ନୀତି ଓ ରାଜନୈତିକ ପ୍ରଭାବ ଯୋଗୁଁ ମଧ୍ୟ ଭିଡ଼ତନ୍ତ୍ର ବୃଦ୍ଧିପାଉଛି । ଏବେ ଗ୍ରାମରୁ ସହରାଭିମୁଖୀ ଲୋକମାନେ ପସନ୍ଦ କରୁଥିବାରୁ ସହର ଯୋଜନାକୁ ଧ୍ୟାନଦେବା ସହ ଗ୍ରାମାଞ୍ଚଳର ଅଧିକ ଉନ୍ନତି ପାଇଁ ଯତ୍ନବାନ ହେବା ଆବଶ୍ୟକ । ଅର୍ଥନୈତିକ ଦିଗଟିକୁ ଉଚିତ୍‌ ଧ୍ୟାନ ଦେବା ଯଥା- ଗରିବୀ ଯୋଗୁଁ ଘର ଖଣ୍ଡିଏ ନକରିପାରି ଛୋଟ ଜାଗାରେ ଅଧିକ ଲୋକ ରହିବା ପ୍ରତି ଦୃଷ୍ଟି ଦିଆଯିବା ଦରକାର । ଐତିହାସିକ କାରଣ ଦୃଷ୍ଟିରୁ ପୂର୍ବରୁ ବାସ କରୁଥିବା ଘରର ନିର୍ମାଣ କାରିଗରୀ ଓ ସୀମିତ କୋଠରିଗୁଡ଼ିକୁ ବଂଶାନୁକ୍ରମେ ବ୍ୟବହାର କରିବା ଦ୍ୱାରା ମଧ୍ୟ ଭିଡ଼ତତ୍ତ୍ୱ ବଞ୍ଚି ରହିଥାଏ । ଦେଶାନ୍ତର ଗମନ ଦ୍ୱାରା ଏହି ସମସ୍ୟା ଉଜ୍ଜୀବିତ ରହିଥାଏ । ଭାରତରେ ଅନୁପ୍ରବେଶକାରୀ ଭିଡ଼ ଜଣାଇଥିବାରୁ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ ହେବା ଆବଶ୍ୟକ । ଆମେରିକା ଦେଶ ତାର ଏଚ୍‌ୱାନ୍‌ବି ଭିସାର କଟକଣା ଯୋଗୁଁ ଅନେକ ଲୋକଙ୍କୁ ଦେଶାନ୍ତର ଯୋଜନା କରି ଦେଶରୁ ବିଦାୟ କରୁଅଛି । ଭାରତୀୟମାନେ ମଧ୍ୟ ଏଥିରେ ପ୍ରଭାବିତ ହୋଇ ପୁଣି ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ । ଅତ୍ୟଧିକ ଜନସମାଗମ ଯୋଗୁଁ ଭିଡ଼ ଜମିଥାଏ, ଯାହା ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ବିଭିନ୍ନ ସଂକ୍ରମଣଜନିତ ରୋଗ ବ୍ୟାପିବାର ସମ୍ଭାବନା ଅଧିକ ଥାଏ । ହିଂସା ଉଦ୍ରେକ ଯୋଗୁଁ ଲୋକମାନଙ୍କ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ଧାଁ-ଧପଡ଼ ଦ୍ୱାରା ଦଳାଚକଟା ଯୋଗୁଁ ମୃତ୍ୟୁମୁଖରେ ପଡ଼ିଥାନ୍ତି । ଭିଡ଼ ଜମାଇଥିବା ଲୋକମାନଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ନିଦ୍ରାହୀନତା ସମସ୍ୟା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏହି ଭିଡ଼ତନ୍ତ୍ରର ପ୍ରଭାବ ବା ପରିଣାମ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଯାଇପାରେ । ପ୍ରଥମତଃ, ମାନସିକ ଦୃଷ୍ଟିରୁ ଭିଡ଼ ପରିବେଶ ବିଷାଦ, ବ୍ୟଗ୍ରତା ଓ ହତାଶ ଭାବ ଆଣିଥାଏ । ହତୋତ୍ସାହ ଓ ନିଃସଙ୍ଗବୋଧତା ଏଥିରୁ ଜନ୍ମନିଏ । ରୁକ୍ଷ ଆଚରଣ ଯୋଗୁଁ ନିଜର କର୍ତ୍ତବ୍ୟ ମଧ୍ୟ ସୁଚାରୁ ରୂପରେ ସମ୍ପାଦନ କରିହୁଏ ନାହିଁ । ଦ୍ୱିତୀୟରେ, ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ବୃଦ୍ଧି କରିଥାଏ ।

ଭିଡ଼ ବୃଦ୍ଧିପାଇଲେ ଉଭୟ ଜଳ ଓ ବାୟୁ ଦ୍ୱାରା ରୋଗ ମଧ୍ୟ ସୃଷ୍ଟି ହୋଇଥାଏ । ବିଭିନ୍ନ ପ୍ରକାର ମାନସିକ ସମସ୍ୟା ଯଥା– ମୁଣ୍ଡବିନ୍ଧା, ପାକସ୍ଥଳୀରେ କଷ୍ଟ ଅନୁଭବ କରିବା ସହ ଶାରୀରିକ ଅସୁସ୍ଥତା ଅନୁଭବ ହେବ । ମାତ୍ରାଧିକ ଭିଡ଼ ଯୋଗୁଁ ଥଣ୍ଡା, ଚର୍ମରୋଗ ଓ ଶିଶୁମାନେ ଅସୁସ୍ଥ ହୋଇପଡ଼ନ୍ତି । ତୃତୀୟରେ, ସାମାଜିକ ଓ ଆଚରଣରେ ଏହାର କୁପ୍ରଭାବ ପରିଲକ୍ଷିତ ହୋଇଥାଏ । ଏକାନ୍ତତା ସହ ହିଂସା ଓ ବିଦ୍ୱେଷ ମନୋଭାବର ପ୍ରକାଶ ହେବ । ପରିବାର ଓ ସମାଜରେ ମତାନ୍ତର ସହିତ ସମ୍ପର୍କରେ ଫାଟ ସୃଷ୍ଟି କରିବ । ଅଭିଭାବକ ଓ ସନ୍ତାନ ମଧ୍ୟରେ ଏକମତ ପ୍ରକାଶ ନପାଇ ଭିନ୍ନମତ ଯୋଗୁଁ ବୈବାହିକ ସମ୍ପର୍କ ମଧ୍ୟ ବ୍ୟାହତ ହେବ । ପିଲାମାନେ ନିଜର ଭାବନା ଓ ପରିଚୟ ସୃଷ୍ଟି ପାଇଁ ସୁଯୋଗ ନପାଇ ସଂଘର୍ଷ କରିବାକୁ ଲାଗିଥାନ୍ତି । ଚତୁର୍ଥରେ, ପରିବେଶଜନିତ ପ୍ରଭାବ ମଧ୍ୟ ପ୍ରକାଶ ପାଇଥାଏ । ଅତ୍ୟଧିକ ଭିଡ଼ ଯୋଗୁଁ ଖାଦ୍ୟ ଓ ଜଳ ଗ୍ରହଣ ସହିତ ଶକ୍ତି ଖର୍ଚ୍ଚ କରିବାରେ ଚଞ୍ଚଳତା ବୃଦ୍ଧି ପାଇଥାଏ । ନିର୍ଦ୍ଦିଷ୍ଟ ସଂଖ୍ୟକ ଜନସମାଗମ ଠାରୁ ଅଧିକ ହେଲେ ସେମାନଙ୍କର ଅତ୍ୟଧିକ ବ୍ୟବହାର ଖାଦ୍ୟ ଓ ବସ୍ତ୍ର ଯୋଗୁଁ ଆବର୍ଜନା ସୃଷ୍ଟି ହୁଏ, ଯାହାକି ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣକୁ ଜନ୍ମ ଦେଇଥାଏ । ସାଧାରଣ ସେବା କାର୍ଯ୍ୟ ଯଥା– ସ୍ୱାସ୍ଥ୍ୟର ଯତ୍ନ, ଶିକ୍ଷା ଓ ଗମନାଗମନ ସେବା ବାଧାପ୍ରାପ୍ତ ହୋଇଥାଏ । ଭିଡ଼ତନ୍ତ୍ର ଯୋଗୁଁ ଜଙ୍ଗଲ କାଟିବା, ଜୈବବିଭିନ୍ନତା ନଷ୍ଟ କରିବା ଓ ଜଳବାୟୁ ପରିବର୍ତ୍ତନ ପରିବେଶ ସନ୍ତୁଳନକୁ ବିଗାଡ଼ି ଦେଇଥାଏ । ସବୁ ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପ୍ରତିଷେଧକ ପଦକ୍ଷେପ ଭଳି ଭିଡ଼ତନ୍ତ୍ରର ମଧ୍ୟ ଥାଏ । ଏଥିପାଇଁ ମିଳିତ ପ୍ରଚେଷ୍ଟା ହିଁ ଆବଶ୍ୟକ ।

ପ୍ରଥମେ ଜନସମାଗମ ପୂର୍ବରୁ ସଠିକ୍‌ ଯୋଜନା ପ୍ରସ୍ତୁତ କରିବା ସହ ଭିଡ଼-ନିରାପତ୍ତା ପ୍ରତି ଦୃଷ୍ଟିଦେଇ ସ୍ଥଳକୁ ପରୀକ୍ଷା କରିବା ଉଚିତ୍‌ । ପାରିପାଶ୍ୱିର୍କ ଦିଗକୁ ବିଚାର କରି ଟ୍ରାଫିକ୍‌ ନିୟମକୁ ପାଳନ କରିବା । ଅଧିକ ଭିଡ଼ ହେଲେ ବ୍ୟକ୍ତି ନିଜର ମୁଣ୍ଡ ଓ ଛାତିକୁ ରକ୍ଷାକରି ପାଦକୁ ଦମ୍ଭ କରିବାକୁ ହେବ । ଯଦି ତଳେ ପଡ଼ିଗଲ, ତେବେ ଗୋଟିଏ ପାଶ୍ୱର୍କୁ ଢଳିହୋଇ ରହିବା । ଯଦି ଗୋଟିଏ ଦଳରେ ଥାଅ, ସମସ୍ତଙ୍କୁ ନଜର କରି ନିର୍ଦ୍ଦିଷ୍ଟ ଚିହ୍ନ ଥିବା ସ୍ଥାନରେ ଭେଟ ହେବା ଆବଶ୍ୟକ । କେବଳ ବ୍ୟକ୍ତିବିଶେଷ ନୁହେଁ ବରଂ ସାମିଲ୍‌ ଥିବା ସଂସ୍ଥା ଓ ସରକାର ମଧ୍ୟ ଯତ୍ନଶୀଳ ହେବା ଦରକାର । ଭିଡ଼ ସମ୍ଭାବନାକୁ ଦେଖି ଅଧିକ ସ୍ଥାନ ଓ ପରିବହନକୁ ଠିକ୍‌ଭାବରେ ସଞ୍ଚାଳନ କରିବା, ଯେମିତିକି ଅଧିକ ଲୋକ ଯୋଗ ଦେଇପାରିବେ । ସମସ୍ତ ଭିତ୍ତିଭୂମି ଯଥା– ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ, ପ୍ଲାଟଫର୍ମ ଓ ଅପେକ୍ଷା ସ୍ଥାନକୁ ଆବଶ୍ୟକ ଅନୁଯାୟୀ ବୃଦ୍ଧି କରିବା । ବୈଷୟିକ ଜ୍ଞାନକୌଶଳକୁ ବୃଦ୍ଧି କରିବା, ଯେପରି ଅଧିକ ବିଳମ୍ବ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ନଚାଲିବ ଏବଂ ଯାତ୍ରୀ ବା ଲୋକମାନେ ଅବିଳମ୍ବେ ସ୍ଥଳରୁ ପ୍ରସ୍ଥାନ କରିପାରିବେ । ଭିଡ଼ ନିୟନ୍ତ୍ରଣର ଏକ ସଫଳ ପଦକ୍ଷେପ ହେଲା ଧାଡ଼ି ପରିଚଳନା କରିବା । ସଭା କାର୍ଯ୍ୟ ନିୟମାନୁଗତ ଶିଷ୍ଟାଚାର ସହ ପାଳନ କରିବା ଉଚିତ୍‌ । ସଭା ବା ଜନସମାଗମ ସ୍ଥଳ ପାଇଁ ସଠିକ୍‌ ମାନଚିତ୍ର ପ୍ରକାଶ ସହିତ ଦିଗ ଓ ଉପଦେଶ ନିର୍ଭୁଲ ହେବା ଆବଶ୍ୟକ । ତେବେ ଭିଡ଼ତତ୍ତ୍ୱରେ ଯେହେତୁ ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀ ସମ୍ପୃକ୍ତ ଥାଆନ୍ତି, ସେମାନେ ଏଥିପ୍ରତି ସତର୍କ ରହିବା ସହ ସମସ୍ତ ନିରାପତ୍ତା ପଦକ୍ଷେପଗୁଡ଼ିକୁ ଗ୍ରହଣ କରି ସଚେତନତା ସୃଷ୍ଟି କରିବା ଉଚିତ୍‌ ।