ଚନ୍ଦନେଶ୍ୱର,୦୬/୧୦: ପ୍ରାକୃତିକ ବିପର୍ଯ୍ୟୟକୁ ସାଙ୍ଗରେ ନେଇ ଆସେ ଅକ୍ଟୋବର ମାସ । ଗତ ୧୨ ବର୍ଷ ମଧ୍ୟରେ ଭୋଗରାଇବାସୀ ଏହି ମାସରେ ବହୁ ବାତ୍ୟା ଓ ବନ୍ୟାକୁ ସାମନା କରିଛନ୍ତି । ତେଣୁ ଅକ୍ଟୋବର ଆସିଲେ ସମସ୍ତେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଚିନ୍ତାରେ ପଡ଼ିଥା’ନ୍ତି ।
ଚଳିତ ବର୍ଷ ୭ଟି ପ୍ରଳୟଙ୍କରୀ ବନ୍ୟାକୁ ସାମ୍ନା କରି ସାରିଲେଣି ଲୋକେ । ଏହାଛଡ଼ା ଏକ ମାସ ହେବ ଲଘୁଚାପ ଜନିତ ଲଗାଣ ବର୍ଷା ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି । ପୁଣି ସମୁଦ୍ର ଅଶାନ୍ତ ଏବଂ ବାତ୍ୟାର ଭୟ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ବିଶେଷ କରି ମତ୍ସ୍ୟଜୀବୀମାନେ ଏଭଳି ବିପର୍ଯ୍ୟୟକୁ ନେଇ ଅଧିକ ଚିନ୍ତିତ ଅଛନ୍ତି । ଭୋଗରାଇ ବ୍ଲକ ଉତ୍ତରରେ ସୁବର୍ଣ୍ଣରେଖାର ପ୍ରଳୟଙ୍କରୀ ବନ୍ୟା ଏବଂ ଦକ୍ଷିଣରେ ବଙ୍ଗୋପସାଗରର ବାତ୍ୟା ଲୋକଙ୍କ ଆଖିରୁ ନିଦ ହଜାଇଦିଏ । ୫୦ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ବନ୍ୟାରେ ପ୍ରାୟ ୨୧ ପଂଚାୟତ ଜଳମଗ୍ନ ହେଉଥିବା ବେଳେ ବାତ୍ୟା ହେଲେ ୨୦ ପଞ୍ଚାୟତବାସୀ ଚିନ୍ତିତ ହୋଇ ପଡ଼ନ୍ତି । ବନ୍ୟା ଆଉ ବାତ୍ୟାରେ କାହାର ଘରଦ୍ୱାର ଭାସି ଯାଏ ତ ଆଉ କାହାର ଛପର ପବନରେ ଉଡ଼ିଯାଏ ।
୨୦୨୨ ଅକ୍ଟୋବର ୫ ଓ ନଭେମ୍ବର ୨୧ରେ ହୋଇଥିବା ବନ୍ୟାରେ ଶତାଧିକ ଗାଁ ପାଣି ଘେରରେ ରହିଥିଲା ା ସେହିଭଳି ୨୦୨୦ ଅକ୍ଟୋବର ୮ରେ ହୋଇଥିବା ବାତ୍ୟା “ଅମ୍ଫାନ’ ଉପକୂଳ ଅଞ୍ଚଳରେ ତାଣ୍ଡବ ରଚିଥିଲା । ସମୁଦ୍ରର ଉଚ୍ଚ ଜୁଆର ଗାଁ ଭିତରକୁ ପଶିବା ଫଳରେ ଲୋକେ ବାସହରା ହୋଇ ନାହିଁ ନଥିବା ସମସ୍ୟା ଭୋଗିଥିଲେ । ଏହାଛଡ଼ା ୨୦୧୮ ଅକ୍ଟୋବର ୧୨ ଓ ୨୦୧୯ ଅକ୍ଟୋବର ୨୫ରେ ହୋଇଥିବା ଲଘୁଚାପ ଜନିତ ଲଗାତାର ବର୍ଷା ଓ ପଶ୍ଚିମବଙ୍ଗର ଉଦବୃତ୍ତ ବର୍ଷା ପାଣି ମାଡ଼ିଆସି ସମଗ୍ର ଭୋଗରାଇ ଜଳାର୍ଣ୍ଣବ ହୋଇଯାଇଥିଲା । ୨୦୧୬ ଅକ୍ଟୋବର ୨୬ର ବାତ୍ୟା ଓ ୨୦୧୪ ଅକ୍ଟୋବର ୧୨ରେ ବାତ୍ୟା “ହୁଡ଼ହୁଡ଼’ର ତାଣ୍ଡବ ଭୋଗରାଇବାସୀଙ୍କ ମନରୁ ଛାପ ଲିଭିନାହିଁ ।
୨୦୧୩ ଅକ୍ଟୋବର ୩ରେ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ସମଗ୍ର ଅଞ୍ଚଳ ବେହାଲ ହୋଇ ପଡ଼ିଥିଲା । ପ୍ରାୟ ସବୁ ବର୍ଷ ସୁବର୍ଣ୍ଣରେଖାରେ ବନ୍ୟା ଆସୁଥିବା ବେଳେ ସାମୁଦ୍ରିକ ବାତ୍ୟା ମଧ୍ୟ ପିଛା ଛାଡ଼େନି । ବାତ୍ୟା କଥା ଶୁଣିଲେ ସାହାବାଜିପୁର, ହୁଗୁଳି, ଗୋଛିଦାତେଘରି, ଶଙ୍ଖାରି, ଶ୍ରଦ୍ଧାପୁର, କାନ୍ଥିଭଉଁରୀ, ନାରାୟଣ ମହାନ୍ତି ପଡ଼ିଆ ଆଦି ପଞ୍ଚାୟତର ଲୋକଙ୍କ ଭୋକ ଶୋଷ ମରିଯିବା ସହିତ ଆଖିରୁ ନିଦ ହଜିଯାଏ । ସେହିଭଳି ବନ୍ୟା ସମୟ ହେଲେ ଆରୁହାବୃତ୍ତି, କୁଶଡ଼ା, ଗବଗାଁ, ଖରିଦପିପଳ, ରସଲପୁର, କୁମ୍ଭିରଗଡ଼ି, ଜୟରାମପୁର, କୁଳିଦା ଆଦି ପଂଚାୟତର ଲୋକେ ଗୋରୁଗାଈ, ଛୁଆ ପିଲାଙ୍କୁ ଧରି ଘରଦ୍ୱାର ଛାଡ଼ି ଅନ୍ୟତ୍ର ପଳାଇ ଯାଆନ୍ତି । ଏଭଳି ବିପର୍ଯ୍ୟୟରେ ଚାଷ ଜମି ସହିତ ପାନ ବରଜ, ଝାଉଁ ଜଙ୍ଗଲ ବ୍ୟାପକ କ୍ଷୟକ୍ଷତି ହୁଏ । ଆଉ ରାସ୍ତାଘାଟ କଥା ନ କରିବା ଭଲ । ତେବେ ଏହି ଅକ୍ଟୋବର ମାସରେ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା କରି ସମସ୍ତେ ଭୟଭୀତ ଅଛନ୍ତି । କେବେ ଏହି ମାସ ଶେଷ ହେବ ଓ ବିପର୍ଯ୍ୟୟ ପିଛା ଛାଡ଼ିବ ସେହି ଚିନ୍ତାରେ ଦିନ ବିତାଉଛନ୍ତି ଉପକୂଳବାସୀ ।