ପାତ୍ରପୁର, ୨୪/୧୦ : ଆନ୍ଧ୍ର ସିମେଣ୍ଟ କାରଖାନା ସମ୍ମୁଖରେ ଶତାଧିକ ଓଡ଼ିଆ ଶ୍ରମିକଙ୍କ ଧାରଣା। ସଠିକ୍ ପାରିଶ୍ରମିକ ନମିଳିବା ସହ ଖାଇବା ନମିଳିବାରୁ ତାତିଲେ ଶ୍ରମିକ। ଆନ୍ଧ୍ରର କଡ଼ପା ଜିଲ୍ଲା ଚିଲମପୁଡୁ ଠାରେ ଥିବା ଆଇସିଏଲ ସିମେଣ୍ଟ କମ୍ପାନୀରେ ଏହି ଶ୍ରମିକମାନେ କାମ କରୁଛନ୍ତି। କମ୍ପାନୀ ଉଚିତ୍ ପ୍ରାପ୍ୟ ଓ ଆନୁସଙ୍ଗିକ ବ୍ୟବସ୍ଥା ଦେଉନଥିବାରୁ ଶ୍ରମିକମାନେ କମ୍ପାନୀ ଫାଟକ ଆଗରେ ପ୍ରବଳ ପାଟିତୁଣ୍ଡ କରିଛନ୍ତି ।

a​​​​​​​

ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ମନ୍ଦରଡ଼ା, ହରଡ଼ମରା, ସୁରଙ୍ଗୀ, ତିତିଗାଁ, କେଶପୁର, କେଲୁଆ, ଜରଡ଼ା ସହ ବିଭିନ୍ନ ଗାଁରୁ ଶତାଧିକ ଶ୍ରମିକ ଆନ୍ଧ୍ରର କଡ଼ପା ଜିଲ୍ଲା ଚିଲମପୁଡୁ ଠାରେ ଥିବା ଆଇସିଏଲ ସିମେଣ୍ଟ କମ୍ପାନୀରେ କାମ କରୁଛନ୍ତି । ଫିଟର, ୱେଲ୍ଡର, ରିଗର, ଖଲାସୀ ଆଦି କାର୍ଯ୍ୟ କରୁଛନ୍ତି । ଶ୍ରମିକମାନେ ସିମେଣ୍ଟ କମ୍ପାନୀରେ ନିଯୁକ୍ତି ସମୟରେ ଯେତିକି ପାଉଣା ଏବଂ ଖାଇବା ପିଇବା ଦେବାକୁ ଚୁକ୍ତି ହୋଇଥିଲା କମ୍ପାନୀ କତ୍ତୃପକ୍ଷ ଏଥିରେ ବ୍ୟତିକ୍ରମ କରୁଥିଲେ। କିଛି ମାସ ହେଲା ଶ୍ରମିକ ପାଉଣା କମ୍ ପାଇବା ସହ ଖାଇବା ପାଇଁ ପାଉନଥିଲେ। ବାରମ୍ବାର କମ୍ପାନୀ କତ୍ତୃପକ୍ଷଙ୍କୁ ଜଣାଇ ନିରାଶ ପରେ ଆଜି ଶତାଧିକ ଶ୍ରମିକ ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ଶୁଭଲକ୍ଷ୍ମୀ ବେହେରା କହିଛନ୍ତି ଯେ, ବାହାର ରାଜ୍ୟକୁ କେତେ ଜଣ ଦାଦନ ଖଟିବାକୁ ଯାଉଛନ୍ତି ଆମକୁ ଜଣାଉ ନାହାଁନ୍ତି । ଯାହା ଫଳରେ ଏଭଳି ସମସ୍ୟା ଅନେକ ସମୟରେ ଉପୁଜୁଛି।

ସୁମନ ଗୌଡ଼ ନାମକ ଜଣେ ଶ୍ରମିକଙ୍କ ସୂଚନାନୁଯାୟୀ, ଫିଟରଙ୍କୁ ୧୩୦୦, ୱେଲ୍ଡରକୁ ୧୧୦୦, ରିଗରକୁ ୧୧୦୦(ବରିଷ୍ଠ), ଗର କନିଷ୍ଠକୁ ୧୦୦୦ ଏବଂ ଖଲାସୀକୁ ୯୦୦ ଟଙ୍କା ଦୈନିକ ମଜୁରୀ ହିସାବରେ ସିମେଣ୍ଟ କମ୍ପାନୀରେ କାମ କରିବା ପାଇଁ ଚୁକ୍ତି ହୋଇଥିଲା । ଚୁକ୍ତି ମୁତାବକ କମ୍ପାନୀ ପ୍ରାପ୍ୟ ଓ ଆନୁସଙ୍ଗିକ ବ୍ୟବସ୍ଥା ଦେଉନଥିବାରୁ ଶ୍ରମିକମାନେ କମ୍ପାନୀ ଫାଟକ ଆଗରେ ପ୍ରବଳ ପାଟିତୁଣ୍ଡ କରିଛନ୍ତି।