ଭୁବନେଶ୍ୱର,୦୫/୧୦: ୬୮ତମ ରାଜ୍ୟଗୋଷ୍ଠୀ  ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା  ସମ୍ମିଳନୀରେ ଯୋଗଦେବା ପାଇଁ ଅକ୍ଟୋବର ୫ରୁ ୧୯ ତାରିଖ  ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯିବେ ବାଚସ୍ପତି ସୁରମା ପାଢ଼ୀ ।  ଏନେଇ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା  ଦେଇଥିଲେ ଶ୍ରୀମତୀ ପାଢ଼ୀ।

ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘରେ  ୫୬ଟି ଦେଶ ସଭ୍ୟ ରହିଥିବା ବେଳେ ଭାରତ ଏହାମଧ୍ୟରୁ  ଅନ୍ୟତମ ବୃହତ୍ତମ ରାଷ୍ଟ୍ର । ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ  ନେତୃତ୍ୱରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ, ପାର୍ଲାମେଣ୍ଟ ସଦସ୍ୟ, ୨୨ଟି ରାଜ୍ୟର ବାଚସ୍ପତି, ଉପବାଚସ୍ପତି ଓ ସଚିବ  ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି । ଅକ୍ଟୋବର ୫ତାରିଖ  ଦିନ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ଅକ୍ଟୋବର  ୬ ତାରିଖ ଦିନ ବାର୍ବାଡୋସ୍‌ରେ ପହଞ୍ଚିବେ । ୧୧ ତାରିଖ  ପର୍ଯ୍ୟନ୍ତ ବାର୍ବାଡୋସ୍‌ର ରାଜଧାନୀ ବ୍ରିଜ୍‌ଟାଉନ୍‌ଠାରେ ରହିବେ ।

 ଅକ୍ଟୋବର ୭ରୁ ୧୧ ପର୍ଯ୍ୟନ୍ତ ୬୮ତମ ରାଜ୍ୟଗୋଷ୍ଠୀ  ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା  ସମ୍ମିଳନୀରେ ଯୋଗଦେବେ । ଲଣ୍ଡନରେ ୧୨ରୁ ୧୪  ପର୍ଯ୍ୟନ୍ତ ରହିବେ । ଏହି ସମୟରେ ସହିଦ ରଘୁ-ଦିବାକର  ବେଜେଲ୍‌ଗେଟ୍‌ଙ୍କୁ ଯେଉଁ ଠେଙ୍ଗାରେ ପ୍ରହାର କରି ମାରି  ଦେଇଥିଲେ, ବ୍ରିଟିଶ ମ୍ୟୁଜିୟମ୍‌ରେ ଥିବା ସେହି ଠେଙ୍ଗାକୁ  ଦେଖିବେ । ୧୪ରୁ ୧୬ ପର୍ଯ୍ୟନ୍ତ ସୁଇଜରଲ୍ୟାଣ୍ଡ୍‌ର ଜୁରିକ୍‌ରେ  ରହି ଭାରତୀୟ ହାଇକମିଶନର ଓ ପ୍ରବାସୀ ଓଡ଼ିଆମାନଙ୍କ  ସହିତ ମତ ବିନିମୟ କରିବେ । ୧୬ରୁ ୧୮ ପର୍ଯ୍ୟନ୍ତ  ପ୍ୟାରିସ୍‌ରେ ରହି ପ୍ରବାସୀ ଓଡ଼ିଆମାନଙ୍କ ସହିତ ଭାବବିନିମୟ  କରିବେ । ଅକ୍ଟୋବର ୧୯ରେ ଭୁବନେଶ୍ୱରରେ ପହଞ୍ଚିବେ  ବୋଲି ବାଚସ୍ପତି କହିଥିଲେ । ସାମ୍ବାଦିକ ସମ୍ମିଳନୀରେ  ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଓ ଗବେଷଣା  ଶାଖା ନିର୍ଦ୍ଦେଶକ ଡ. ତ୍ରିବିକ୍ରମ ପ୍ରଧାନ ଉପସ୍ଥିତ ଥିଲେ।