ଭୁବନେଶ୍ୱର,୨୩/୧୦: ସୀମାନ୍ତରେ ଡ୍ରାଗନ୍କୁ ଜଗିଛି ଓଡ଼ିଶା ଭିତ୍ତିକ ଷ୍ଟାର୍ଟଅପ୍ ‘ଆଇଜି ଡ୍ରୋନ୍ସ୍’ ଦ୍ୱାରା ନିର୍ମିତ ଷ୍ଟ୍ରାଇକର୍ ଏଫ୍ପିଭି ଡ୍ରୋନ୍ । ଅପରେସନ୍ ସିନ୍ଦୂରର ସଫଳତା ପରେ ଏବେ ଏହି ସ୍ୱଦେଶୀ ଡ୍ରୋନ୍ ଚୀନର ପିଏଲଏ ସେନାଙ୍କ ଗତି ବିଧି ଉପରେ କଡ଼ା ନଜର ରଖିଛି । ନିକଟରେ ଚୀନ ସୀମାର ଉଚ୍ଚ ଇଲାକାରେ ଏହି ଘାତକ ଏବଂ ତୀବ୍ର ଆକ୍ରମଣକାରୀ ଡ୍ରୋନ୍ର ସଫଳ ପରୀକ୍ଷଣ ଶେଷ ହୋଇଛି ।
ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବେ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରି ଆତ୍ମ ନିର୍ଭର ହେଲାଣି । ଏ ଦିଗରେ ଓଡ଼ିଶାର ଗୌରବମୟ ଅବଦାନ ରହିଛି । ଓଡ଼ିଶାଭିତ୍ତିକ ଷ୍ଟାର୍ଟଅପ୍ ଆଇଜି ଡ୍ରୋନ୍ସ୍ର ଉତ୍ପାଦ ଦେଶର ସୀମା ସୁରକ୍ଷାରେ ନିୟୋଜିତ ହୋଇ ଉଚ୍ଚ ପ୍ରଦର୍ଶନ କରୁଛନ୍ତି । ବହୁ ଚର୍ଚ୍ଚିତ ଅପରେସନ୍ ସିନ୍ଦୂରର ଏକ ରଣନୈତିକ ସହଯୋଗୀ ଭାବରେ ଆଇଜି ଡ୍ରୋନ୍ସ୍ ଗୁରୁ ଦାୟିତ୍ୱ ନିର୍ବାହ କରିଛି । ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି) ଏବଂ ବାହାରେ ଶତ୍ରୁ ବିପଦ ବିରୁଦ୍ଧରେ ଭାରତର ସୀମା ସୁରକ୍ଷା ଅପରେସନଗୁଡ଼ିକରେ ସହଯୋଗ କରୁଛି । ଏହାର ଉଚ୍ଚ କ୍ଷମତା ସମ୍ପନ୍ନ ମାନବରହିତ ଡ୍ରୋନ୍ଗୁଡ଼ିକୁ ଭାରତୀୟ ଆର୍ମୀ କୌଶଳଗତ ନିରୀକ୍ଷଣ, ଭୂଖଣ୍ଡ ମ୍ୟାପିଂ ଏବଂ ନିର୍ଦ୍ଦିଷ୍ଟ ଆକ୍ରମଣ (ଷ୍ଟ୍ରାଇକ୍) ସମର୍ଥନ ପାଇଁ ନିୟୋଜିତ କରୁଛନ୍ତି ।
୨୦୧୮ରେ ପ୍ରତିଷ୍ଠିତ ଆଇଜି ଡ୍ରୋନ୍ସ୍ ଏକ ଆଡଭାନ୍ସଡ୍ ଫାର୍ଷ୍ଟ ପର୍ସନ ଭିୟୁ (ଏଫ୍ପିଭି) ଡ୍ରୋନ୍ସ୍ ନିର୍ମାଣ କରିଛି, ଯାହା ଦୀର୍ଘ-ଉଚ୍ଚତା, ଦୁର୍ଗମ-ଭୂମି ଏବଂ ପ୍ରତିଯାଗିତାମୂଳକ-ଏୟାର୍ ଅପରେସନ୍ ପାଇଁ ଡିଜାଇନ୍ କରାଯାଇଛି । ସବୁଠାରୁ ବଡ଼ କଥା, ଏଥିରେ କୌଣସୀ ଚୀନ ଉପାଦାନ ବା ଯନ୍ତ୍ରାଂଶ ବ୍ୟବହାର କରାଯାଇନାହିଁ । ଅପରେସନ୍ ସିନ୍ଦୁର ସମୟରେ ପିଓକେ ଏବଂ ତତ୍ସଂଲଗ୍ନ ସୀମାନ୍ତ ଅଞ୍ଚଳରେ ଅନେକ ପାକିସ୍ତାନୀ ଆତଙ୍କବାଦୀଙ୍କ ଠିକଣାକୁ ଏହା ଟାର୍ଗେଟ୍ କରିଥିଲା । ଆଇଜି ଡ୍ରୋନ୍ସ୍ ପ୍ଲାଟଫର୍ମଗୁଡ଼ିକୁ ରିୟଲ୍ ଟାଇମ୍ ଗୁଇନ୍ଦା ସଂଗ୍ରହ, ସମ୍ବେଦନଶୀଳ ଅଞ୍ଚଳରେ ଆକାଶ ମାର୍ଗରେ ଅନୁଧ୍ୟାନ ଏବଂ ଦ୍ରୁତ ଆକ୍ରମଣ ସମନ୍ୱୟ ଲାଗି ବ୍ୟବହାର କରାଯାଇଥିଲା ।
ସୂଚନା ଥାଉ କି, ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ଜାତ ଡ୍ରୋନ୍ ବ୍ୟବହାର ହ୍ରାସ ପାଇଛି । ଭାରତ ଏବେ ସ୍ୱଦେଶୀ ବା ଦେଶରେ ବିକଶିତ ମାନବରହିତ ଡ୍ରୋନ୍ ସିଷ୍ଟମଗୁଡ଼ିକ ଉପରେ ନିର୍ଭର କରୁଛି । ଉନ୍ନତ ଏଫପିଭି ଡ୍ରୋନ୍ ସିଷ୍ôଟମ୍ ଯୋଗାଇବା ଲାଗି ଭାରତୀୟ ଆର୍ମୀ ସହ ଆଇଜି ଡ୍ରୋନ୍ସ୍ର ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି । ଭାରତର "ମେକ୍ ଇନ୍ ଇଣ୍ଡିଆ' ଏବଂ "ଆତ୍ମନିର୍ଭର ଭାରତ' ପ୍ରତିରକ୍ଷା ଟେକ୍ନୋଲୋଜି ମିଶନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ । ଓଡ଼ିଶା ଭିତ୍ତିକ ଦେଶର ଏହି ସ୍ୱଦେଶୀ ଡ୍ରୋନ୍ ଉଦ୍ୟୋଗ ଆଇଜି ଡ୍ରୋନସ୍ ଏବେ ସୀଧାସାଳଖ ସୀମାନ୍ତ ସୁରକ୍ଷା ଅପରେସନ୍ରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛି ।