ଭଞ୍ଜନଗର,୯/୯ : ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ପୁଲିସ ମଙ୍ଗଳବାର ଜଣେ ପେଶାଦାର ବନ୍ୟଜନ୍ତୁ ଶୀକାରୀକୁ ଗିରଫ କରିବାସହ ତାଠାରୁ ଏକ ଚୋରା ବେଆଇନ ଦେଶୀ ବନ୍ଧୁକ ଓ ୨ଟି ଶିଙ୍ଘ ଥିବା ଏକ ହରିଣ ଖପୁରୀ ଜବତ କରିଛି। ଏନେଇ ଭଞ୍ଜନଗର ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସଂଧ୍ୟାରେ ଏକ ପ୍ରେସ ମିଟ୍ରେ ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଡକ୍ଟର ମିଶ୍ର ଦେଇଥିବା ସୂଚନା ପ୍ରକାରେ ତାରାସିଂ ଥାନା ଅନ୍ତର୍ଗତ ତିଳିସିଙ୍ଗି ନିକଟ ଚେଲିଆପଲ୍ଲୀ ଗାଁରେ ରହୁଥିବା ଭୁରୁଡୁପଲ୍ଲୀ ଗାଁର ସନିଆ ମଳିକ(୫୫) । ଜଣେ ପେଶାଦାର ବନ୍ୟଜନ୍ତୁ ଶିକାରୀ । ସେ ଜଙ୍ଗଲରେ ଅନେକ ସମୟରେ ଜନ୍ତୁ ଶୀକାର କରୁଥିବା ନେଇ ପୁଲିସ ନିକଟରେ ଖବର ରହିଥିଲା । ତାରାସିଂ ପୁଲିସ ସନିଆ ଉପରେ ଏହି କାରଣରୁ ଖାସ ନଜର ରଖିଥିଲା । ମଙ୍ଗଳବାର ସକାଳୁ ରାଜ୍ୟ ରାଜପଥ - ୩୭ ର ମାଙ୍କଡକୁମ୍ପା ଛକରେ ତାରାସିଂ ପୁଲିସ ଏସଆଇ ସମୀର କୁମାର ବେହେରା ଅନ୍ୟ କର୍ମଚାରୀଙ୍କ ସହ ମିଶି ପାଟ୍ରୋଲିଂ କରୁଥିବାବେଳେ ସନିଆ ଏକ ଦେଶ ବନ୍ଧୁକ ଧରି ସେହି ରାସ୍ତାରେ ଆସୁଥିବା ଦେଖି ତାକୁ ଧରିଥିଲେ । ପରେ ତାକୁ ଥାନାକୁ ନେଇ ପଚରାଉଚୁରା କଲାବେଳେ ସେ ଧରିଥିବା ବେଆଇନ ଦେଶୀ ବନ୍ଧୁକରୁ ଅନେକ ସମୟରେ ଜନ୍ତୁ ଶୀକାର କରୁଥିବା ମାନିଥିଲା। ଆଉ ୨ମାସ ପୂର୍ବେ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଏକ ହରିଣ ଶୀକାର କରିଥିବା ସ୍ୱୀକାର କରିଥିଲା । ଉକ୍ତ ହରିଣକୁ ମାରି ସେ ତାର ମୁଣ୍ଡର କିଛି ଅଂଶ ସହ ଲାଗିଥିବା ୨ଟି ଶିଙ୍ଘକୁ ଉକ୍ତ ଜଙ୍ଗଲ ଭିତରେ ବୁଦାମୂଳେ ଲୁଚାଇ ରଖିଥିବା କହିଥିଲା । ଆଉ ପୁଲିସ ଅଭିଯୁକ୍ତ ସହ ଘଟଣାସ୍ଥଳକୁ ଯାଇ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ପରିସରରୁ ୨ଟି ଶିଙ୍ଘ ଲାଗିଥିବା ହରିଣ ମୁଣ୍ଡର ଖପୁରି ଉଦ୍ଧାର କରି ଥାନାକୁ ଆଣିଥିଲା । ପରେ ଅଭିଯୁକ୍ତର ବୟାନ ରେକର୍ଡ କରାଯାଇ ସନିଆ ମଳିକଙ୍କୁ ଭଞ୍ଜନଗର କୋର୍ଟକୁ ଚାଲଣ କରାଯାଇଥିବା ଏସଡିପିଓ ମିଶ୍ର ସୂଚନା ଦେଇଛନ୍ତି । ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତାରାସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରା, ଏସଆଇ ସମୀର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଥାନା ଅଧିକାରୀ ପୂଜାରୀଙ୍କ ସୂଚନା ପ୍ରକାରେ ଏହି ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରୁ ଅନେକ ସମୟରେ ବନ୍ୟଜନ୍ତୁ ଶୀକାର ହେଉଥିବା ସୂଚନା ମିଳୁଛି।