ଭୁବନେଶ୍ୱର,୦୨/୦୯:  ନିଶା କାରବାର ମୂଳପୋଛ ପାଇଁ  ଅପରେସନ ‘ପ୍ରହାର’ର ପ୍ରଥମ ଦିନରେ ସାରା ରାଜ୍ୟରେ ମୋଟ  ୧୩୪ଟି ନିଶା ବେପାର ଆଡ୍ଡାରେ  ଚଢ଼ଉ ହୋଇଛି । ଦିନକରେ ୧୩୪ଜଣ ନିଶା ବେପାରୀଙ୍କୁ ଗିରଫ  କରାଯାଇଛି । ୪୨ଜଣ ଅଭିଯୁକ୍ତଙ୍କୁ ନୋଟିସ୍‌ ଧରାଇ ଛାଡ଼ିଛି ପୁଲିସ ।  ପୁଲିସ ଦିନକରେ ୧୫  କେଜି ଗଞ୍ଜେଇ ସହ ୫୨୦୯  ବଲ୍କ ଲିଟର ଦେଶୀ ମଦ, ୯୭  ଲିଟର ବିଅର ଓ ୩୪ ହଜାର  ୫୦୦ ବଲ୍କ ଲିଟର ପୋଚ ଜବତ  କରିଛି ।

ସେହିପରି ନିଶା  ବେପାରୀଙ୍କଠାରୁ ୪୧ ଲକ୍ଷ ୮୫  ହଜାର ୨୮୯ ଟଙ୍କା ସହ ନିଶା  କାରବାରରେ ବ୍ୟବହୃତ ୧୧ଟି  ଗାଡି଼କୁ ଜବତ କରାଯାଇଛି ।  ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ  ୧୨ଟି ନିଶା ବେପାରଜନିତ  ମାମଲା ରୁଜୁ ହୋଇଛି ।  ତା’ ତଳକୁ ସୁନ୍ଦରଗଡ଼ରେ  ୧୦ଟି, କୋରାପୁଟରେ ୯ଟି ଓ  ଗଞ୍ଜାମ, ନୟାଗଡ଼ରେ ୭ଟି  ଲେଖାଏଁ ମାମଲାରେ ପୁଲିସ  ନିଶା ବେପାରୀଙ୍କୁ ବାନ୍ଧିଛି ।  

ସୁନ୍ଦରଗଡ଼ରେ ସର୍ବାଧିକ ୧୦ଜଣ  ନିଶା ବେପାରୀ ଜେଲ ଯାଇଛନ୍ତି ।  ଦେବଗଡ଼, ଜଗତସିଂହପୁର,  ସୋନପୁର ଓ ମୟୂରଭଞ୍ଜ  ଜିଲ୍ଲା ପୁଲିସ ପ୍ରଥମ ଦିନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।  ଦିନସାରା ସନ୍ଧାନ କରି କରି ମାତ୍ର  ଗୋଟିଏ ନିଶା ବେପାର ଠାବ  କରିବାରେ ସକ୍ଷମ ହୋଇଛି ।  ସୋନପୁର ଜିଲ୍ଲାରେ ଜଣେ  ଗଞ୍ଜେଇ ବେପାରୀଠାରୁ ୧୫  କେଜି ଗଞ୍ଜେଇ ଜବତ ହୋଇଛି ।