​​​​​​​କଟକ, ୨୨।୯ : କଟକ ବାଲିଯାତ୍ରା ଆୟୋଜନ ଉପର ବାଲିଯାତ୍ରା ପଡିଆରେ ନକରିବାକୁ ପ୍ରଶାସନର ନିଷ୍ପତ୍ତିକୁ ଵିରୋଧ କରିଛନ୍ତି ମେୟର ସୁବାଷ ସିଂହ। ଏକ ସାମ୍ବାଦିକ ସମ୍ମିଳନୀରେ ମେୟର କହିଛନ୍ତି ଉପର ପଡିଆରେ ଯେହେତୁ ପ୍ରଥମେ ବାଲିଯାତ୍ରା ଆରମ୍ଭ ହୋଇଥିଲା, ତେଣୁ ଉପର ପଡିଆ ସହ ବାଲିଯାତ୍ରାର ଐତିହ୍ୟ ଯୋଡି ହୋଇ ରହିଛି। ସେ ଦୃଷ୍ଟିରୁ ଉପର ପଡିଆକୁ ବାଦ୍ ଦେଇ ବାଲିଯାତ୍ରା ଆୟୋଜନ କଳ୍ପନା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ମେୟର ସୁବାଷ ସିଂହ।

ଏ ନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଵା ମେୟର କହିଛନ୍ତି। ପ୍ରଶାସନ ଭିଡ ନିୟନ୍ତ୍ରଣ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରିଵା ପାଇଁ ନିଷ୍ପତ୍ତି ନେଇଥିଵା ସୂଚନା ଦେଇଥିଲା। ତେବେ ମେୟର ଏଭଳି ଵ୍ୟଵସ୍ଥାକୁ ଅଵାସ୍ତବ ବୋଲି କହିଛନ୍ତି। ଉପର ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା ଏକ ଅଵାସ୍ତଵ ପରିକଳ୍ପନା ଓ ଯଦି ଉପର ପଡିଆରେ କେଵଳ ପାର୍କିଂ କରାଯାଏ ତେବେ ଉପର ପଡିଆରେ ହଜାର ହଜାର ଗାଡି ସହ ଲୋକଙ୍କ ଭିଡ ଜମିଵ ଓ ଭିଡ ନିୟନ୍ତ୍ରଣ ସମ୍ଭଵ ହେଵ ନାହିଁ ବୋଲି ମେୟର ସୁବାଷ ସିଂହ କହିଛନ୍ତି।