କଟକ/ପୁରୀ,୧୭/୦୯: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱାର୍ଥ ସର୍ବୋପରି । ଆଇନ ଦୃଷ୍ଟିରୁ ମହାପ୍ରଭୁ ନାବାଳକ । ତାଙ୍କ ସ୍ୱାର୍ଥ ରକ୍ଷା କରିବା ଦାୟିତ୍ୱ ହେଉଛ ଅଦାଲତଙ୍କର । ଯଦି ଜଗନ୍ନାଥଙ୍କ ଜମିରେ ତାଙ୍କ ଭକ୍ତଙ୍କ ରହିବା ଲାଗି ଅତିଥି ଭବନ କରାଯାଉଛି ତାହେଲେ ଏହି ଜମିକୁ ଆଉ କାହାରିକୁ ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଏହି ଅବସରରେ ହାଇକୋର୍ଟ ପୁରୀ ତାଳବଣିଆରେ ମହାପ୍ରଭୁ ଜଗନ୍ନାଥଙ୍କ ତିନି ଗୁଣ୍ଠ ଜମିକୁ କିଛି ବ୍ୟକ୍ତି ସେମାନଙ୍କ ନାମରେ କରିବା ଲାଗି ରୁଜୁ କରିଥିବା ପିଟିସନ୍କୁ ଖାରଜ କରିଦେଇଛନ୍ତି । ମାମଲାର ବିଚାର ଶେଷ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ କେ.ଆର୍. ମହାପାତ୍ର ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମର୍ମରେ ରାୟ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ରାୟ ଫଳରେ ତାଳବଣିଆରେ ଅତିଥି ଭବନ ନିର୍ମାଣ ପାଇଁ ବାଧା ହଟିଛି । କେବଳ ସେତିକି ନୁହେଁ, ଏହା ଦ୍ୱାରା ଦୀର୍ଘ ୨୫ବର୍ଷର ଚାଲିଥିବା ଅଦାଲତି ବିବାଦର ମଧ୍ୟ ଅନ୍ତ ଘଟିଛି ।
ମାମଲାରୁ ଜଣାଯାଇଛି ଯେ, ଲାଲା ନଳିନୀ କୁମାର ରାୟଙ୍କ ପରିବାର ପକ୍ଷରୁ ୨୦୦୦ ମସିହାରେ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇ ତାଳବଣିଆରେ ଥିବା ୩ଗୁଣ୍ଠ ଜମି ସେମାନଙ୍କ ନାମରେ କରିବା ଲାଗି ପ୍ରାର୍ଥନା କରାଯାଇଥିଲା । ଆଇନ ବିଭାଗ ପକ୍ଷରୁ ଜାରି ହୋଇଥିବା ୟୁନିଫର୍ମ ପଲିସି ଆଧାରରେ ଏହି ଜମି ପଞ୍ଜୀକରଣ ଲାଗି ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ । ୨୦୦୮ ମସିହାରେ ହାଇକୋର୍ଟ ଏହି ମାମଲାରେ ରାୟ ପ୍ରକାଶ ଶ୍ରୀମନ୍ଦିର ପ୍ରଶାସନ ଏବଂ ଆବେଦନକାରୀଙ୍କ ସହମତିରେ ଧାର୍ଯ୍ୟ ମୂଲ୍ୟରେ ଏହି ଜମି ସେମାନଙ୍କ ନାମରେ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜମି ରେକର୍ଡଭୁକ୍ତ ନହେବାରୁ ଆବେଦନକାରୀ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଇତିମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବ ଆଦେଶର ରିଭ୍ୟୁ ପିଟିସନ୍ ଦାଏର କରାଯାଇଥିଲା । ଏହି ଜମିର ମୂଲ୍ୟ ଅଧିକ କରିବା ପାଇଁ ପ୍ରାର୍ଥନା କରାଯାଇ ଏହି ପିଟିସନ୍ ଦାଏର ହୋଇଥିଲା । ଆବେଦନକାରୀ ବର୍ଦ୍ଧିତ ମୂଲ୍ୟ ଦେବାକୁ ରାଜି ହେବାରୁ ହାଇକୋର୍ଟ ୨୦୧୬ରେ ସେମାନଙ୍କ ନାମରେ ଜମି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ଆଦେଶ ସତ୍ତେ୍ୱ ଆବେଦନକାରୀଙ୍କ ନାମରେ ଏହି ଜମି ରେକର୍ଡଭୁକ୍ତ ହୋଇପାରିନଥିଲା । ଫଳରେ ମାମଲା ସୁପ୍ରିମ୍କୋର୍ଟକୁ ଗଲା । ତେବେ ଉକ୍ତ ଜମିରେ ଏକ ଅତିଥି ଭବନ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରିବାରୁ ଆବେଦନକାରୀମାନେ ପିଟିସନ୍କୁ ପ୍ରତ୍ୟାହାର କରି ଆଣିଥିଲେ ।
କିନ୍ତୁ ପୁନର୍ବାର ଆବେଦନକାରୀମାନେ ହାଇକୋର୍ଟରେ ଏକ ଅନ୍ତରୀଣ ପିଟିସନ୍ ରୁଜୁ କରିଥିଲେ । ସେମାନେ ଜମିର ଧାର୍ଯ୍ୟ ମୂଲ୍ୟ ଜମା କରିସାରିଥିବାରୁ ସେମାନଙ୍କ ନାମରେ ଉକ୍ତ ଜମି କରିବା ଏବଂ ୨୦୦୮ ମସିହାର ଆଦେଶକୁ କାର୍ଯ୍ୟକାରୀ ପାଇଁ ପିଟିସନ୍ରେ ପ୍ରାର୍ଥନା କରାଯାଇଥିଲା । ୨୦୧୭ ମସିହାରେ ମାମଲାର ଶୁଣାଣି ଅବସରରେ ରାଜ୍ୟ ସରକାର ଉକ୍ତ ଜମିରେ ତୀର୍ଥଯାତ୍ରୀଙ୍କ ପାଇଁ ଅତିଥି ଭବନ ନିର୍ମାଣ କରିବାକୁ ହୋଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଅବଗତ କରିଥିଲେ । ଦୀର୍ଘଦିନ ପରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା । ସବୁ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି ଜମି ଜଗନ୍ନାଥଙ୍କର ହୋଇଥିବାରୁ ଏହାକୁ ଅନ୍ୟ କାହାରି ନାମରେ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିବା ସହ ଆବେଦନକାରୀଙ୍କ ପିଟିସନ୍ ଖାରଜ କରିଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଆନନ୍ଦ ଚନ୍ଦ୍ର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ ।