ଭୁବନେଶ୍ୱର,୧୮/୧୦ : ଦୀପାବଳି ଉପଲକ୍ଷେ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସଂସ୍ଥା (ଓର୍ମାସ୍)ପକ୍ଷରୁ ଭୁବନେଶ୍ୱର ୟୁନିଟ୍ ୮ସ୍ଥିତ ଏସ୍ଆଇଆର୍ଡି କ୍ୟାମ୍ପସ୍ ସମ୍ମୁଖରେ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି। ଓର୍ମାସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ମୋନିକା ପ୍ରିୟଦର୍ଶିନୀ ଏହି ଷ୍ଟଲକୁ ଉଦଘାଟନ କରି ଭୁବନେଶ୍ୱରବାସୀ ଏହି ଷ୍ଟଲ ଜରିଆରେ ଗ୍ରାମାଞ୍ଚଳର ହସ୍ତଶିଳ୍ପୀ ଓ କାରିଗରୀମାନଙ୍କ ହସ୍ତନିର୍ମିତ ଉତ୍ପାଦକୁ ସିଧାସଳଖ ହାତପଆନ୍ତାରେ ପାଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ । ଓର୍ମାସ୍ର ଏହି ପ୍ରୟାସ ଗ୍ରାମୀଣ ଉତ୍ପାଦକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କୁ ଆତ୍ମ ନିର୍ଭର କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହି ଅବସରରେ ଡା. ପ୍ରିୟଦର୍ଶିନୀ ବିଭିନ୍ନ ଜିଲ୍ଲାରୁ ଆସିଥିବା ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କୁ ଏପରି ଉତ୍ପାଦ ପ୍ରସ୍ତୁତ କରିବାକୁ ପ୍ରୋତ୍ସାହନ ଦେଇଥିଲେ।
ଏହି ଷ୍ଟଲଟି ଅକେଫାବର ୨୧ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ । ଇଛୁକ ଜନସାଧାରଣ ଏଠାରେ ଗ୍ରାମୀଣ ସାମାଜିକ ସଂସ୍ଥା ଗୁଡ଼ିକର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତ ନିର୍ମିତ ଉତ୍ପାଦ କିଣିପାରିବେ। ଚଳିତ ବର୍ଷ ଏହି ଷ୍ଟଲରେ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ ଓ ସୋନପୁର ଜିଲ୍ଲାର ଉତ୍ପାଦକ ଗୋଷ୍ଠୀମାନେ ନିଜର ଉତ୍ପାଦ ବିକ୍ରି କରୁଛନ୍ତି । ଏଠାରେ ଗ୍ରାମୀଣ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ମାଟି ଦୀପ, ଟେରାକୋଟା ମୂର୍ତ୍ତି, ରାଗିଲଡ଼ୁ, ନଡ଼ିଆ ତେଲ, ଝାଡ଼ୁ, ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ, ହସ୍ତଶିଳ୍ପ ଓ ହସ୍ତତନ୍ତ ଉତ୍ପାଦ ବିକ୍ରୟ ହେଉଛି । ଏହା ସହିତ ଗଞ୍ଜାମ ଜିଲ୍ଲାର ଉତ୍ପାଦକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଚକୋଲେଟ୍ ଗିଫ୍ଟହାମ୍ପର ଓ ପିକଲ୍ ଗିଫ୍ଟହାମ୍ପର ଭଳି ଦୁଇପ୍ରକାର ଗିଫ୍ଟହାମ୍ପର (ଉପହାର ) ଗ୍ରାହକମାନଙ୍କର ମୁଖ୍ୟ ଆକର୍ଷଣ ପାଲଟିଛି ।
ସୂଚନାଯୋଗ୍ୟ ଯେ, ଗ୍ରାମୀଣ କାରିଗର ଓ ଉତ୍ପାଦକମାନଙ୍କ ପାଇଁ ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓର୍ମାସ୍ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରା ରାଜ୍ୟର ଗ୍ରାମୀଣ ଓ କୁଟୀର ଶିଳ୍ପର ଆଦୃତି ବୃଦ୍ଧି ପାଇବା ସହ ଆମର ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହୋଇପାରିବ।