ନୂଆଦିଲ୍ଲୀ ୦୫/୧୦:  ଆମେରିକାର ଫ୍ଲୋରିଡା ତଟରେ ୧୭୧୫ର ଏକ ସ୍ପେନୀୟ ଜାହାଜର ଧ୍ୱଂସାବଶେଷରୁ ୮.୮୭ କୋଟି ମୂଲ୍ୟର ୧୦୦୦ରୁ ଅଧିକ ରୁପା ମୁଦ୍ରା ଓ ୫ଟି ସ୍ୱର୍ଣ୍ଣ ମୁଦ୍ରା ଉଦ୍ଧାର କରାଯାଇଛି । ଅତୀତରେ ବୁଡି଼ ଯାଇଥିବା ଜାହାଜର ଧ୍ୱଂସାବଶେଷକୁ ଉଦ୍ଧାର କରୁଥିବା ଏକ କମ୍ପାନି( ୧୭୧୫ ଫ୍ଲିଟ-କୁଇନ୍ସ ଜ୍ୱେଲସ୍‌ ଏଲ୍‌ଏଲ୍‌ସି) ସେପ୍ଟେମ୍ବର ୩୦ରେ ଏହା ଘୋଷଣା କରିଛି । ରିଅଲ୍ସନାମରେ ପରିଚିତ ଏହି ରୁପା ମୁଦ୍ରାଗୁଡି଼କୁ କମ୍ପାନି ଦ୍ୱାରା ନିଯୁକ୍ତ କ୍ୟାପଟେନ୍‌ ଲେଭିନ୍‌ ଶେଭର୍ସ ଏବଂ ଅନ୍ୟ ବୁଡ଼ାଳିମାନେ ପାଇଥିଲେ । ଅନ୍ୟ ଏକ ସନ୍ଧାନରେ ଏକ୍ସୁଡୋସ୍‌ନାମକ ୫ଟି ସୁନା ମୁଦ୍ରା ବି ମିଳିଥିଲା ।

କମ୍ପାନି ଅନୁସାରେ, ଏହି ସୁନା, ରୁପା ମୁଦ୍ରା ଏକ ବିଶାଳ ସମ୍ପତ୍ତିର ଅଂଶବିଶେଷ । ୧୭୧୫ ଜୁଲାଇ ୩୧ରେ ନୂତନ ବିଶ୍ୱରୁ ସ୍ପେନ୍‌କୁ ବିପୁଳ ପରିମାଣରେ ସୁନା, ରୁପା ଓ ଅଳଙ୍କାର ନେଇ ଫେରୁଥିବା କିଛି ଜାହାଜ ପ୍ରବଳ ଝଡ଼ର ସାମ୍ନା କରିବା ପରେ ବୁଡ଼ିଯାଇଥିଲା । ଫଳରେ ସେଥିରେ ଥିବା ଧନ ସମୁଦ୍ରରେ ବୁଡ଼ି ଯାଇଥିଲା । ଝଡ଼ ସମୟରେ ଜାହାଜଗୁଡି଼କ ସହିତ ପ୍ରାୟ ୪୦ କୋଟି ମୂଲ୍ୟର ସୁନା, ରୁପା ଏବଂ ଅଳଙ୍କାର ବୁଡ଼ି ଯାଇଥିବା ଐତିହାସିକମାନେ ଆକଳନ କରନ୍ତି ।

କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସାଲ ଗୁଟ୍ଟୁସୋ କହିଛନ୍ତି, ଏହି ଆବିଷ୍କାର ସମୟରେ ମିଳିଥିବା ପ୍ରତିଟି ମୁଦ୍ରା ଇତିହାସର ଏକ ଖଣ୍ଡ, ସ୍ପେନୀୟ ସାମ୍ରାଜ୍ୟର ସୁବର୍ଣ୍ଣ ଯୁଗରେ ବାସ କରୁଥିବା, କାମ କରୁଥିବା ଏବଂ ଜଳଯାତ୍ରା କରୁଥିବା ଲୋକଙ୍କ ସହ ଏହା ଏକ ସଂଯୋଗ । ଗୋଟିଏ ପୁନରୁଦ୍ଧାରରେ ସେଥିମଧ୍ୟରୁ ୧୦୦୦ଟି ମୁଦ୍ରା ମିଳିବା ଏକ ବିରଳ ଓ ଅସାଧାରଣ କଥା । ଏହି ମୁଦ୍ରାଗୁଡି଼କୁ ମେକ୍ସିକୋ, ପେରୁ ଓ ବୋଲିଭିଆରେ ଥିବା ସ୍ପେନୀୟ ଉପନିବେଶରେ ତିଆରି କରାଯାଇଥିଲା । ଅନେକ ମୁଦ୍ରାରେ ଏବେ ବି ତାରିଖ ଏବଂ ନିର୍ମାଣ ଚିହ୍ନ ରହିଛି ଯାହାକି ସେଗୁଡି଼କୁ ଐତିହାସିକ ଓ ସଂଗ୍ରାହକମାନଙ୍କ ପାଇଁ ମୂଲ୍ୟବାନ କରେ । ମୁଦ୍ରାଗୁଡି଼କର ସ୍ଥିତିରୁ ସେଗୁଡି଼କ ଗୋଟିଏ ସିନ୍ଦୁକ କିମ୍ବା ମାଲବାହୀ ଜାହାଜର ଅଂଶବିଶେଷ ହୋଇଥିବା ଜଣାପଡୁଛି ଯାହାକି ଝଡ଼ ପ୍ରକୋପରେ ଜାହାଜ ଭାଙ୍ଗିଯିବା ସମୟରେ ଖସି ପଡି଼ଥିଲା । ଆମେ ଏହି କଳାକୃତିଗୁଡ଼ିକୁ ସଂରକ୍ଷଣ ଓ ଅଧ୍ୟୟନ କରିବାକୁ ପ୍ରତିବଦ୍ଧ ଯାହାଦ୍ୱାରା ଭବିଷ୍ୟତ ପିଢ଼ି ସେଗୁଡି଼କର ଐତିହାସିକ ଗୁରୁତ୍ୱକୁ ପ୍ରଂଶସା କରିପାରିବେ ବୋଲି ଗୁଟ୍ଟୁସୋ ପ୍ରକାଶ କରିଛନ୍ତି ।

ସେହିପରି ଉଦ୍ଧାର ହୋଇଥିବା ମୁଦ୍ରାଗୁଡି଼କୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରିବା ପୂର୍ବରୁ ସତର୍କତାର ସହ ସଂରକ୍ଷଣ କରାଯିବ । ସ୍ଥାନୀୟ ସଂଗ୍ରହାଳୟରେ ଏଥିମଧ୍ୟରୁ କିଛି ନିର୍ଦ୍ଦିଷ୍ଟ ମୁଦ୍ରାକୁ ପ୍ରଦର୍ଶିତ କରିବା ପାଇଁ ଯୋଜନା ଚାଲିଛି । ଏହା ସ୍ଥାନୀୟ ଅଧିବାସୀ ଏବଂ ପର୍ଯ୍ୟଟକଙ୍କୁ ଫ୍ଲୋରିଡାର ସାମୁଦ୍ରିକ ଅତୀତର ବିଭବକୁ ପ୍ରତ୍ୟକ୍ଷ ଭାବେ ଦେଖିବାର ସୁଯୋଗ ଦେବ ।

ଏହି ଆବିଷ୍କାର ସ୍ଥଳଟି ଫ୍ଲୋରିଡାରେ ସମୁଦ୍ରର ଏକ ଅଂଶରେ ରହିଛି । ସେହି ସ୍ଥାନକୁ ଫ୍ଲୋରିଡାର ଟ୍ରେଜର କୋଷ୍ଟ(ସମ୍ପଦ ତଟ) ବୋଲି କୁହାଯାଇଥାଏ । ସେହି ସ୍ଥାନରେ ରାଜ୍ୟର କଡ଼ା ତଦାରଖ ଏବଂ ପ୍ରତ୍ନତାତ୍ତ୍ୱିକ ନିର୍ଦ୍ଦେଶାବଳୀ ଅନୁସାରେ ଆଧୁନିକ ଉଦ୍ଧାର କାର୍ଯ୍ୟ ଚାଲୁଛି । ଦୁର୍ଭାଗ୍ୟର ସାମ୍ନା କରିଥିବା ଜାହାଜଗୁଡି଼କରୁ ଅବଶେଷ ଏବଂ ଧନରତ୍ନ ଉଦ୍ଧାର ଜାରି ରହିଛି । ସୂଚନାଥାଉକି, ଟ୍ରେଜର କୋଷ୍ଟରୁ ସୁନା, ରୁପା ମୁଦ୍ରା ମିଳିବାର ଏହା ପ୍ରଥମ ଘଟଣା ନୁହେଁ । ମେଲବର୍ନରୁ ଫୋର୍ଟ ପିୟର୍ସେ ଯାଏ ପରିବ୍ୟାପ୍ତ ଏହି ତଟୀୟ ଅଞ୍ଚଳରୁ ବିଗତ ଅନେକ ବର୍ଷ ଧରି ସମ୍ପତ୍ତି ସନ୍ଧାନକାରୀମାନେ ୧୭୧୫ରେ ବୁଡ଼ିଥିବା ଜାହାଜଗୁଡି଼କର ଧ୍ୱଂସାବଶେଷରୁ ଲକ୍ଷ ଲକ୍ଷ ଡଲାରର ସୁନା ମୁଦ୍ରା ଉଦ୍ଧାର କରିଛନ୍ତି ।