ନୂଆଦିଲ୍ଲୀ, ୩/୯ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ) ଖୁବ୍ଶୀଘ୍ର ଏହାର ନୂଆ ଡିଜିଟାଲ ସେବା ‘ଇପିଏଫ୍ଓ ୩.୦’କୁ ଆରମ୍ଭ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ସଦସ୍ୟ ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲ୍ ଇପିଏଫ୍ଓରେ ବଡ଼ ପରିବର୍ତ୍ତନର ସଂକେତ ଦେଇଛନ୍ତି । ଏହି ପରିବର୍ତ୍ତନ ୨୦୨୫ରେ ହିଁ ଲାଗୁ ହେବ ଏବଂ ଦେଶର ୮ କୋଟିରୁ ଉଦ୍ଧ୍ୱ କର୍ମଚାରୀଙ୍କୁ ଫାଇଦା ପ୍ରଦାନ କରିବ । ମୋବାଇଲ ଆପ୍, ଡିଜିଟାଲ ଡ୍ୟାସ୍ବୋର୍ଡ ଏବଂ ୟୁପିଆଇ ପେମେଣ୍ଟ ଭଳି ସୁବିଧା କର୍ମଚାରୀଙ୍କ ଜୀବନକୁ ସହଜ କରିଦେବ । ଇପିଏଫ୍ଓ ୩.୦ କେବଳ ଟଙ୍କା ଉଠାଣକୁ ସରଳ କରିବ ନାହିଁ ବରଂ ତଥ୍ୟ ଅପ୍ଡେଟ୍ କରିବ ଓ କ୍ଲେମ୍ ପ୍ରକ୍ରିୟାକୁ ବି ଦ୍ରୁତ କରିବ । କର୍ମଚାରୀ ୟୁଏଏନ୍କୁ ସକ୍ରିୟ କରି ଏବଂ ଆଧାରକୁ ଖାତା ସହ ଯୋଡ଼ି ଏଟିଏମ୍ରୁ ଟଙ୍କା ଉଠାଇପାରିବେ ।
ଏହି ନୂଆ ପ୍ରକ୍ରିୟାରେ ଇପିଏଫ୍ଓ ଏହାର ସଦସ୍ୟମାନଙ୍କୁ ଏକ ବିଶେଷ ଏଟିଏମ୍ କାର୍ଡ ଜାରି କରିବ, ଯାହା ସେମାନଙ୍କ ପିଏଫ୍ ଖାତା ସହ ଲିଙ୍କ୍ ହେବ । ଏହି କାର୍ଡର ବ୍ୟବହାର କରି ଉପଭୋକ୍ତା ଏଟିଏମ୍ ମେଶିନ୍ରୁ ସିଧାସଳଖ ନିଜ ପିଏଫ୍ ଟଙ୍କା ଉଠାଇପାରିବେ । ସେହିଭଳି ୟୁପିଆଇରୁ ଟଙ୍କା ଉଠାଣ ପାଇଁ ଉପଭୋକ୍ତାଙ୍କୁ ନିଜର ପିଏଫ୍ ଆକାଉଣ୍ଟକୁ ୟୁପିଆଇ ସହ ଲିଙ୍କ୍ କରିବାକୁ ପଡ଼ିବ । ଏହାପରେ ଉପଭୋକ୍ତା ପିଏଫ୍ ଟଙ୍କାକୁ ନିଜ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଟ୍ରାନ୍ସଫର କରିପାରିବେ । ଇପିଏଫ୍ଓ ଉଠାଣ କାର୍ଡ ଡେବିଟ୍ କାର୍ଡ ଭଳି ହିଁ ହେବ । କର୍ମଚାରୀ ସଂଗଠନଗୁଡ଼ିକ ପକ୍ଷରୁ ପିଏଫ୍ ଉଠାଣ ପ୍ରକ୍ରିୟାକୁ ଅଧିକ ସରଳ କରିବା ପାଇଁ ଦାବି କରାଯାଇଥିଲା । ତେଣୁ ସରକାର ଏଭଳି ଏକ ବ୍ୟବସ୍ଥା ଆଣିବା ପାଇଁ ବିଚାର କଲେ । ଇପିଏଫ୍ଓ ୩.୦ ଦ୍ୱାରା କର୍ମଚାରୀଙ୍କୁ ଆବଶ୍ୟକ ବେଳେ ତତ୍କାଳ ଟଙ୍କା ମିଳିବା ଏବଂ ଅବସର ପାଇଁ ସୁରକ୍ଷିତ ରାଶି ମିଳିବା ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିବ ।
ପିଏଫ୍ ଉଠାଣ ନିୟମ ଅନ୍ତର୍ଗତ ଯଦି କୌଣସି ସଦସ୍ୟଙ୍କ ଚାକିରି ଚାଲିଯାଏ ତେବେ ସେ ମାସେ ପରେ ପିଏଫ୍ ଖାତାରୁ ୭୫% ଟଙ୍କା ଉଠାଇପାରିବେ । ଏହାଦ୍ୱାରା ସେ ବେକାରି ସମୟରେ ନିଜ ଆବଶ୍ୟକତାକୁ ଏହି ଟଙ୍କା ମାଧ୍ୟମରେ ପୂରଣ କରିପାରିବେ । ପିଏଫ୍ରେ ଜମା ରହିଥିବା ଅବଶିଷ୍ଟ ୨୫% ରାଶିକୁ ଚାକିରି ଯିବାର ଦୁଇ ମାସ ପରେ ଉଠାଯାଇପାରିବ । ପ୍ରକାଶଯୋଗ୍ୟ, କର୍ମଚାରୀ ଯଦି କୌଣସି କମ୍ପାନିରେ ସେବା ଦେବାରେ ୫ ବର୍ଷ ପୂରଣ କରିଥାନ୍ତି ଏବଂ ସେ ପିଏଫ୍ ଟଙ୍କା ଉଠାନ୍ତି ତେବେ ତାହା ଉପରେ ଆୟକର ଲାଗିବ ନାହିଁ । ୫ ବର୍ଷର ଅବଧି ଏକ୍ କିମ୍ବା ଏହାଠାରୁ ଅଧିକ କମ୍ପାନିକୁ ମିଶାଇ ହୋଇପାରିବ । ଗୋଟିଏ କମ୍ପାନିରେ ୫ ବର୍ଷ ପୂରଣ କରିବା ଜରୁରି ନୁହେଁ । ମୋଟ ଅବଧି ଅନ୍ୟୁନ ୫ ବର୍ଷ ହୋଇଥିବା ଦରକାର ।