ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ ବମ ମାଡ ପରେ ଭାରତ ସହ ଆମେରିକାର ସମ୍ପର୍କ ଧିରେ ଧିରେ ଖରାପ ହେବାରେ ଲାଗିଛି। ଏହାରି ମଧ୍ୟରେ ଆମେରିକାର ବିଦେଶ ମନ୍ତ୍ରଣାଳୟର ଜଣେ ଅଧିକାରୀ ଦୁଇ ଦେଶର ସମ୍ପର୍କ ସୁଧାରିବା ଉପରେ ଜୋର ଦେବା ଆରମ୍ଭ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ପିଏମ୍ ମୋଦି ଓ ଟ୍ରମ୍ପ ଖୁବ ଶୀଘ୍ର ଏକ ସାକ୍ଷାତକାରର ଯୋଜନା କରୁଛନ୍ତି ଏବଂ ଏହା ନିର୍ଦ୍ଧାରିତ ସମୟରେ ହେବ। ଏହାଛଡା ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇ ଦେଶର ସମ୍ପର୍କରେ ଅନେକ ଚାପ ଆସିଲେ ମଧ୍ୟ ଦୁଇ ଦେଶ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛନ୍ତି।

ଆମେରିକାର ଉକ୍ତ ଅଧିକାରୀଜଣକ ପିଏମ୍ ମୋଦି ଓ ଟ୍ରମ୍ପଙ୍କ ସାକ୍ଷାତକାର କଥା କହିବା ସହିତ ଆଗକୁ ହେବାକୁ ଥିବା କ୍ୱାଡ ନେତାମାନଙ୍କ ସାକ୍ଷାତକାର ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି। ସେ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ୱା ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା କ୍ୱାଡ ଦେଶମାନଙ୍କର ସମ୍ମିଳନି ହେବା ନେଇ ତାରିଖ ସ୍ଥିର ହୋଇପାରେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଏମ୍ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଭଳ ବୁଝାମଣା ରହିଛି। କ୍ୱାଡ ଶିଖର ସମ୍ମିଳନି ପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଯାହାପରେ ଆମେରିକା ଓ ଭାରତ ମଧ୍ୟରେ ଥିବା ସମ୍ପର୍କରେ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଆପଣଙ୍କୁ ଜଣାଇ ରଖୁ ଯେ, ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ ଆମେରିକା ଓ ଭାରତ ମଧ୍ୟରେ ବୃଦ୍ଧି ପାଉଥିବା ଚାପ ଯୋଗୁଁ ଟ୍ରମ୍ପ କ୍ୱାଡ ବୈଠକ ପାଇଁ ଭାରତ ଆସିବାକୁ ଚାହୁଁନଥିଲେ। କିନ୍ତୁ ବର୍ତ୍ତମାନ ଏହି ଅଟକଳକୁ ଭୁଲ ପ୍ରମାଣିତ କରି ଉକ୍ତ ଅଧିକାରୀ ଜଣଙ୍କ ଦୁଇ ଦେଶର ସମ୍ପର୍କରେ ବର୍ତ୍ତମାନ ଅନେକ ସୁଧାର ଆସିଛି ବୋଲି କହିଛନ୍ତି। ଯେଉଁଥିପାଇଁ ଟ୍ରମ୍ପ ଭାରତ ଆସିବାକୁ ରାଜିଥିବାନେଇ ସେ ସିଚନା ଦେଇଛନ୍ତି।

ଭାରତ ଦ୍ୱାରା ରୁଷରୁ କ୍ରୟ କରାଯାଉଥିବା ତେଲ ଓ ଗ୍ୟାସ ପାଇଁ ଉଭୟ ଦେଶ ମଧ୍ୟରେ ଚାପ ସୃଷ୍ଟି ହୋଇଛି, କିନ୍ତୁ ଏନେଇ ଭାରତୀୟ ଅଧିକାରୀମାନେ ଆମେରିକା ସହ କଥାବାର୍ତ୍ତା ଜାରି ରଖିଛନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଏହା ସହ ଏହି ମମାଲାରେ ବହୁ ଜଲଦି ସମାଧାନ ବାହାରିବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଓ ବ୍ୟାପାର ପ୍ରତିନିଧି ଜେମିସନ ଗ୍ରୀଥର ସିଧାସଳଖ କାମ କରୁଛନ୍ତି। ଏନେଇ ନିକଟରେ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଓ ଆମେରିକୀୟ ବିଦେଶ ମନ୍ତ୍ରୀ ରୁବିଓଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ବୋଲି ସେ କହିଛନ୍ତି।

ଏହାସହିତ କାଶ୍ମୀର ମୁଦ୍ଦାରେ ଏହା ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ମାମଲା ଏଥିରେ ଆମେରିକା ମଧ୍ୟସ୍ଥତା କରିବ ନାହିଁ। ତେବେ ଭାରତ ଓ ପାକିସ୍ତାନ ଚାହିଁଲେ ଆମେରିକା ଉଭୟ ଦେଶକୁ ସାହାଯ୍ୟ କରିପାରେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।