ନୂଆଦିଲ୍ଲୀ,୨୯/୦୯: ଏସିଆ କପ୍‌ ଫାଇନାଲ୍‌ରେ ଭାରତର ଚିତ୍ତାକର୍ଷକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍‌ ମିଡିଆରେ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଏହି ବିଜୟକୁ ‘ଅପରେସନ ସିନ୍ଦୂର’ ସହ ତୁଳନା କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଖେଳ ପଡ଼ିଆରେ ‘ଅପରେସନ ସିନ୍ଦୂର’ । ଫଳାଫଳ ସମାନ- ଭାରତର ବିଜୟ ହୋଇଛି । ଆମ ଖେଳାଳିଙ୍କୁ ଅଭିନନ୍ଦନ ।’

ଗତ ଏପ୍ରିଲ ମାସ ୨୨ ତାରିଖରେ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରି ୨୬ ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ପ୍ରତିଶୋଧ ସ୍ୱରୂପ ଭାରତ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଥିଲା । ପାକିସ୍ତାନ ଦ୍ୱାରା ପ୍ରୋତ୍ସାହିତ ଆତଙ୍କବାଦୀଙ୍କ ଶିବିର ଉପରେ ଭାରତ ଆକ୍ରମଣ କରିଥିଲା । ୧୦୦ରୁ ଊଦ୍ଧ୍ୱର୍ ଆତଙ୍କୀ ଏଥିରେ ନିହତ ହୋଇଥିଲେ । ଏହାକୁ ନେଇ ସୀମାରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପ୍ରଥମ ଥର କ୍ରିକେଟ ମଇଦାନରେ ଏସିଆ କପ୍‌ରେ ମୁହାଁମୁହିଁ ହୋଇଥିଲେ । ଭାରତୀୟ ଖେଳାଳି ଫାଇନାଲ ପର୍ଯ୍ୟନ୍ତ ପାକ୍‌ ଖେଳାଳିଙ୍କ ସହ କରମର୍ଦ୍ଦନ କରିନଥିଲେ । ଲିଗ୍‌ରୁ ନେଇ ସୁପର ଫୋର ରାଉଣ୍ଡ ଓ ଶେଷରେ ଫାଇନାଲରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତ । ୫ ୱିକେଟରେ ପାକିସ୍ତାନକୁ ହରାଇ ନବମ ଥର ଏସିଆ କପ୍ ଜିତିଛି ଟିମ୍ ଇଣ୍ଡିଆ । ଏହାପରେ ନିଆରା ଢଙ୍ଗରେ ଭାରତକୁ ଶୁଭେଚ୍ଛା ଦେଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ''ଖେଳ ପଡିଆରେ 'ଅପରେସନ୍ ସିନ୍ଦୂର' । ଯୁଦ୍ଧ ମୈଦାନ ହେଉ କି ଖେଳ ପଡିଆ ପରିଣାମ ସର୍ବଦା ଭାରତ ସପକ୍ଷରେ । ସମାନ ଫଳାଫଳ- ଭାରତ ବିଜୟୀ । ଆମ କ୍ରିକେଟରଙ୍କୁ ଶୁଭେଚ୍ଛା ''

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଲେଖିଛନ୍ତି ଯେ, ଏସିଆ କପ୍‌ କ୍ରିକେଟ୍‌ରେ ଚାମ୍ପିଅନ୍‌ ଭାରତୀୟ ଦଳକୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଟୁର୍ଣ୍ଣାମେଣ୍ଟରେ ଦଳ ଗୋଟିଏ ବି ମ୍ୟାଚ୍‌ ହାରିନଥିଲା ଏବଂ ନିଜ ଦବ୍‌ଦବା ବଜାୟ ରଖିଥିଲା । ଭବିଷ୍ୟତରେ ମଧ୍ୟ ଟିମ୍‌ ଇଣ୍ଡିଆ ଏହି ଭଳି ପ୍ରଦର୍ଶନ ଜାରି ରଖି ଗୌରବ ବଜାୟ ରଖୁ ମୋର କାମନା । ସେହିପରି ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି, ‘ଅଦ୍ଭୁତ ବିଜୟ । ଆମ ଖେଳାଳିଙ୍କ ପ୍ରଚଣ୍ଡ ଶକ୍ତି ପ୍ରତିଦ୍ୱନ୍ଦ୍ୱୀଙ୍କୁ ପୁଣି ଥରେ ଧୂଳି ଚଟାଇ ଦେଲା । ଯେକୌଣସି କ୍ଷେତ୍ର ହେଉନା କାହିଁକି ଭାରତର ବିଜୟ ସୁନିଶ୍ଚିତ ।