ନୂଆଦିଲ୍ଲୀ,୨୬/୦୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ 'ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା'ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭୫ ଲକ୍ଷ ମହିଳା ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୧୦ ହଜାର ଲେଖାଏଁ ଟଙ୍କା ଟ୍ରାନ୍ସଫର କରିଛନ୍ତି । ମୋଟ ୭,୫୦୦ କୋଟି ଟଙ୍କା ଜମା ହୋଇଛି । ଆମେ ମହିଳାଙ୍କ ସେବା, ସମୃଦ୍ଧି ଓ ସ୍ବାଭିମାନ ପାଇଁ ଆମେ କାମ କରୁଛୁ । ଏହି ଯୋଜନା ଦ୍ୱାରା ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ ଏବଂ ରୋଜଗାରର ନୂଆ ଅବସର ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମ୍ବୋଧନରେ କହିଛନ୍ତି, ମହିଳାଙ୍କ ପାଇଁ ବହୁତ କାମ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ କାର୍ଯ୍ୟ କରୁଛନ୍ତି ।

'ମୁଁ, ନୀତୀଶ ତୁମ ଭାଇ'- ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ବିହାର ମାଆ-ଭଉଣୀଙ୍କ ପାଇଁ ବଡ଼ ଦିନ । ଯେବେ ଜଣେ ମହିଳା ନିଜେ ରୋଜଗାର କରନ୍ତି ତେବେ ତାଙ୍କ ସ୍ବପ୍ନକୁ ନୂଆ ଡେଣା ଲାଗିଥାଏ । ସମାଜରେ ତାଙ୍କ ସମ୍ମାନ ବଢିଯାଏ । ଯଦି ଆମେ ୧୧ ବର୍ଷ ପୂର୍ବେ ଜନଧନ ଯୋଜନାର ସଂକଳ୍ପ ନ ନେଇଥାନ୍ତୁ ତେବେ ଆଜି ଏତେ ଟଙ୍କା ବ୍ୟାଙ୍କ ଖାତାକୁ ପଠା ଯାଇପାରନଥାନ୍ତା । ଆଜି ମହିଳାଙ୍କୁ ଖାତାକୁ ଯାଇଥିବା ୧୦ ହଜାର ଟଙ୍କା ଗୋଟିଏ ଟଙ୍କା କେହି ମାରିପାରିବେ ନାହିଁ । ଜଣେ ଭାଇକୁ ସେବେ ଖୁସି ମିଳେ ଯେବେ ଭଉଣୀ ଖୁସିରେ ରୁହେ, ରୋଜଗାକ୍ଷମ ହୁଏ, ଭଉଣୀର ପରିବାର ଆର୍ଥିକ ରୂପେ ସଶକ୍ତ ହୁଏ । ଆଜ ତୁମର ଦୁଇ ଭାଇ ନରେନ୍ଦ୍ର ନୀତୀଶ  ଏକାଠୀ ତୁମ ସେବା, ସମୃଦ୍ଧି ଓ ସ୍ୱାଭିମାନ ପାଇଁ ଲଗାତାର କାମ କରୁଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।


ବିରୋଧୀଙ୍କୁ ଟାର୍ଗେଟ- ସମ୍ବୋଧନରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଆରଜେଡି ଅଧୀନରେ ମହିଳାମାନେ ଆଇନହୀନତା ଏବଂ ଦୁର୍ନୀତିର ଶିକାର ହୋଇଥିଲେ ବୋଲି କହିଛନ୍ତି । ବିହାରରେ ଡବଲ-ଇଞ୍ଜିନ ସରକାର ମହିଲାଙ୍କ ସଶକ୍ତିକରଣ ପାଇଁ କାମ କରୁଛନ୍ତି । ରାଜ୍ୟରେ ଆରଜେଡି କ୍ଷମତାରେ ଥିବାବେଳେ ମହିଳା ବହୁ ସମସ୍ୟାରେ ସମ୍ମୁଖୀନ ହେଉଥିଲେ । ରାସ୍ତା ଥିଲା ନା ବ୍ରିଜ । ସମୟରେ ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚି ପାରୁନଥିଲେ । ଡବଲ-ଇଞ୍ଜିନ ସରକାର ଆସିବା ପରେ ବିହାରରେ ଯୋଗଯୋଗ ବଢିଛି । ମହିଳା ସଶକ୍ତ ହୋଇଛନ୍ତି । ଆରଜେଡି ଶାସନ ସମୟରେ ବିହାରରେ କୌଣସି ଘର ସୁରକ୍ଷିତ ନଥିଲା । ବିହାରରେ ଭୟ ଥିଲା । ଅରାଜକତା-ଆତଙ୍କବାଦ ମୁଣ୍ଡ ଟେକିଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।