ଭୁବନେଶ୍ବର,୨୧/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ୍ ସୂଚନା । ଲଗାତାର ଲଘୁଚାପ ପାଇଁ କାର୍ଯ୍ୟକ୍ରମ ବାତିଲ୍ ହୋଇପାରେ । ବର୍ଷା ଆଶଙ୍କା ରହିଥିବାରୁ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ । ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାର୍ଯ୍ୟକ୍ରମ ହୋଇପାରେ । ସେପ୍ଟେମ୍ବର ୨୭ ତାରିଖରେ ପିଏମ୍ ମୋଦି ବ୍ରହ୍ମପୁର ଗସ୍ତରେ ଆସିଥାନ୍ତେ । ଧାର୍ଯ୍ୟ ତାରିଖରେ ବର୍ଷା ଆଶଙ୍କା ରହିଥିବାରୁ ରଙ୍ଗେଇଲୁଣ୍ଡା ହେବାକୁ ଥିବା ସେବା କାର୍ଯ୍ୟକ୍ରମ ବାତିଲ୍ କରାଯାଇଥିବା ସୂଚନା ମିଳିଛି ।
ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ । ୨୫ ତାରିଖରେ ପ୍ରଥମ ଲଘୁଚାପ ଏବଂ ଦିତୀୟ ଲଘୁଚାପ ଅକ୍ଟୋବର ପ୍ରଥମ ସପ୍ତାହରେ ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହା ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବ। ମୌସୁମୀ ସମ୍ପୂର୍ଣ ଫେରି ନଥିବାରୁ ୨୮ ତାରିଖ ପରେ ବି ବର୍ଷା ଲାଗିରହିବ ବୋଲି ଅନୁମାନ କରାଯାଉଛି। ବର୍ଷା ଏବଂ ଘୁର୍ଣ୍ଣିଝଡ଼ ସମ୍ଭାବନା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସୂଚୀ ବଦଳିବା ସମ୍ଭାବନା ରହିଛି ।
ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଆସିପାରନ୍ତି ଝାରସୁଗୁଡା । ୨୫ ତାରିଖରେ ହେବାକୁ ଥିବା ଲଘୁଚାପ ଯୋଗୁଁ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ପବନକୁ ଆଶଙ୍କା କରି ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମ ବାତିଲ ହେଉଛି । ରବିବାର ସନ୍ଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି ।