ନୂଆଦିଲ୍ଲୀ,୧୩/୦୯: ନେପାଳରେ ଏବେ ନୂଆ ସରକାର । ନେପାଳ ନେତୃତ୍ୱ କାହା ହାତକୁ ଯିବ ତାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଶୀଳା କାର୍କି । ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଇତିହାସ ରଚିଛନ୍ତି । ଏବେ ଦେଶରେ ସୁଶୀଳା ଶାସନ ଚାଲିବ । ପଡୋଶୀ ଦେଶରେ ନୂଆ ସରକାର ଗଠନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ସୁଶୀଳା କାର୍କିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନେପାଳର ପ୍ରଗତି ଓ ସମୃଦ୍ଧି ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ''ନେପାଳର ଅନ୍ତରୀଣ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପାଇଁ ସୁଶୀଳା କାର୍କି ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ ନେପାଳର ଭାଇଭଉଣୀମାନଙ୍କ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ସର୍ବଦା ପ୍ରତିବଦ୍ଧ ।''

ଭାରତ ସରକାର ପୂର୍ବରୁ ନେପାଳରେ ପୂର୍ବତନ ପ୍ରଧାନ ବିଚାରପତି କାର୍କିଙ୍କ ନେତୃତ୍ୱରେ ଏକ ଅନ୍ତକାଳୀନ ସରକାର ଗଠନକୁ ସ୍ୱାଗତ କରିଥିଲେ । ଏହା ପଡ଼ୋଶୀ ଦେଶରେ ଶାନ୍ତି ଏବଂ ସ୍ଥିରତା ଆଣିବ ଆଶା ପ୍ରକାଶ କରିଥିଲେ । ଦୁର୍ନୀତି ବିରୋଧୀ ସୁଶୀଳା କାର୍କି ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଛାତ୍ର ଗୋଷ୍ଠୀମାନଙ୍କ ଦ୍ୱାରା ମନୋନୀତ ହେବା ପରେ ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଶପଥ ନେଇଛନ୍ତି । ସୁଶୀଳା କାର୍କିଙ୍କୁ ଭାରତର ସମର୍ଥକ ବୋଲି ବିବେଚନା କରାଯାଏ । କେପି ଶର୍ମା ଓଲିଙ୍କୁ ଚୀନର ସମର୍ଥକ ବୋଲି କୁହାଯାଉଥିଲା । 

୨୬ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକକୁ ବିରୋଧ କରି ଦେଶରେ ଜେନ୍‌-ଜି ବିକ୍ଷୋଭ କରିଥିଲେ । ପୋଡାଜଳା-ଭାଙ୍ଗାରୁଜା କରିଥିଲେ । ୩ ଦିନ ସୋସିଆଲ ମିଡିଆ ନିଆଁରେ ଜଳିଥିଲା ପ୍ରାକୃତି ସୌନ୍ଦର୍ଯ୍ୟଭରା ପଡୋଶୀ ନେପାଳ । ସ୍ଥିତି ଅଣାୟତ ହୋଇଥିଲା । ସେନା କାର୍ଯ୍ୟାନୁଷ୍ଠାନରେ ୫୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳି ଦେଇଥିଲେ ଆନ୍ଦୋଳନକାରୀ । ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ଇସ୍ତଫା ଦେଇଥିଲେ । ଦେଶରେ ଶାନ୍ତି ଫେରାଇ ଆଣିବାକୁ ସେନା ହାତକୁ କ୍ଷମତା ନେଇଥିଲା । ବର୍ତ୍ତମାନ ନେପାଳରେ ଧିରେ ଧିରେ ଶାନ୍ତି ଫେରୁଛି । ଏବେ ବି ଜରୁରୀ ପରିସ୍ଥିତି ଜାରି ରହିଛି । କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି । 

ଜେନ୍‌-ଜି ଆନ୍ଦୋଳନକାରୀ,ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଏବଂ ସେନାମୁଖ୍ୟ ଅଶୋକ ରାଜ ସିଗ୍‌ଦେଲଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦେଶରେ ରାଜନୈତିକ ସଂଙ୍କଟବେଳେ ସୁଶୀଳା ଶାସନ ସମ୍ଭାଳିବେ ବୋଲି ସହମତି ହୋଇଥିଲା । ନିର୍ବାଚନ ନହେବା ଯାଏ ସୁଶୀଳା କାର୍କି ଦେଶର କମାଣ ସମ୍ଭାଳିବେ । ଜେନ୍‌-ଜି ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ ରାଷ୍ଟ୍ରପତି ଦେଶର ସଂସଦ ଭଙ୍ଗ କରିଥିଲେ । ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ସାଧାରଣ ନିର୍ବାଚନ ହେବ ।