ନୂଆଦିଲ୍ଲୀ,୨୯।୯: ତାଲିବାନକୁ ପାକିସ୍ତାନର ଧମକ। କହିଛି ଯଦି ସୀମାରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବାରେ ବିଫଳ ହୁଏ, ତେବେ ଇସଲାମାବାଦ ବନ୍ଧୁକର ଭାଷାରେ ଜବାବ୍ ଦେବ। ’ଇସଲାମାବାଦରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପାକ୍ ଗୃହରାଷ୍ଟ୍ରମନ୍ତ୍ରୀ ତଲାଲ ଚୌଧୁରୀ ଏଭଳି କହିଛନ୍ତି। ସେ କହିଛନ୍ତି, ଦେଶରେ ଅଶାନ୍ତ ସ୍ଥାନରେ ଚାଲିଥିବା ଅପରେସନ୍‌ରେ ସ୍ଥିରତା ଓ ନିବେଶ ପାଇଁ ଅନୁକୂଳ ସ୍ଥିତି ତିଆରି ଜାରି ରହିବ।

ଗୃହରାଷ୍ଟ୍ରମନ୍ତ୍ରୀ ଦାବି କରିଛନ୍ତି, ନିକଟରେ ଆକ୍ରମଣରେ ପ୍ରାୟ ୮୦% ଆତଙ୍କବାଦୀ ଅଫଗାନ ନାଗରିକ ଥିଲେ। ସେ କହିଛନ୍ତି, ଅନୁପ୍ରବେଶ ରୋକିବା ପାଇଁ କଡା ସୀମା ନିୟନ୍ତ୍ରଣ ଉପାୟ ଉପରେ ବିଚାର କରାଯାଉଛି। ତଲାଲ ଚୌଧୁରୀ କହିଛନ୍ତି, ପାକିସ୍ତାନ ସବୁ ସୁରକ୍ଷା ବିପଦକୁ ଶେଷ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ସେ ବିକାଶ ପାଇଁ ସ୍ଥିରତା ଓ ସୁରକ୍ଷାକୁ ଜରୁରୀ ସର୍ତ୍ତ କହିଛନ୍ତି। ସେ କହିଛନ୍ତି, ଯେଉଁ ଲୋକ କେବଳ ବନ୍ଧୁକର ଭାଷା ବୁଝନ୍ତି, ତାଙ୍କ ସହ ସେଭଳି କରାଯିବ।

ଖୈବର ପୁଖତୁନଖ୍ବା ଓ ଜନଜାତୀୟ ଜିଲ୍ଲାରେ ନିକଟ କିଛି ମାସରେ ହିଂସା ବୃଦ୍ଧି ଦେଖିବାକୁ ମିଳିଛି। ଏଠାରେ ସୈନିକ, ପୋଲିସ କର୍ମଚାରୀ ଓ ନାଗରିକଙ୍କ ହତ୍ୟା ଏବଂ ବୋମା ବିସ୍ଫୋରଣ ଘଟଣା ପ୍ରାୟ ସବୁ ସପ୍ତାହରେ ସାମନାକୁ ଆସୁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଜାତିସଂଘର ମହାସଭାରେ ନିଜ ସମ୍ବୋଧନରେ ଏହି ପ୍ରସଙ୍ଗ ଉଠାଇଥିଲା। ସେ କହିଥିଲେ, ପାକିସ୍ତାନକୁ ବାହାରୁ ପ୍ରାୟୋଜିତ ଆତଙ୍କବାଦର ସାମନା କରିବାକୁ ପଡୁଛି, ଯାହାକି ରାଷ୍ଟ୍ରୀୟ ସୁରକ୍ଷା ଉପରେ ଗମ୍ଭୀର ପ୍ରଭାବ ପକାଉଛି। ସେ ବିଶ୍ବ ସମୁଦାୟକୁ ଏଭଳି ବିପଦରେ ସହଯୋଗ କରିବାକୁ ନିବେଦନ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ପାକିସ୍ତାନର କଡା ଆଭିମୁଖ୍ୟ ସୀମ ପାର ଉଗ୍ରବାଦ ଓ କାବୁଲର ଉପଯୁକ୍ତ ପ୍ରତିକ୍ରିୟାକୁ ଦର୍ଶାଉଛି। ଯଦି ସହଯୋଗ ନମିଳେ, ତେବେ ହିଂସା ଆହୁରି ବଢିପାରେ।