ନୂଆଦିଲ୍ଲୀ: ବୁଧବାର, କାନ୍ଦାହାର ପ୍ରଦେଶରେ ଥିବା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସେନା ଏବଂ ତାଲିବାନିଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଏକାଧିକ ଲୋକ ପ୍ରାଣ ହରାଇବା ସହ ଶତାଧିକ ଲୋକ ଆହତ ହୋଇଛନ୍ତି। ଏହି ସଂଘର୍ଷ ଦୁଇ ଦେଶ ମଧ୍ୟରେ ଥିବା ଶତ୍ରୁତାକୁ ତୀବ୍ର କରିବାରେ ଲାଗିଛି। ଏକ ଛୋଟ ବିରତି ପରେ, ମଙ୍ଗଳବାର ରାତିରେ ଉଭୟ ଦେଶ ମଧ୍ୟରେ ପୁଣି ଥରେ ସଂଘର୍ଷ ଆରମ୍ଭ କରିଦେଇଛନ୍ତି। ଏନେଇ ଉଭୟ ପକ୍ଷ ପରସ୍ପର ଉପରେ ହିଂସା ଆରମ୍ଭ କରିଥିବା ନେଇ ଅଭିଯୋଗ ଆଣିଛନ୍ତି।

ଉଭୟ ଦେଶମଧ୍ୟରେ ଦେଖାଯାଇଥିବା ଏହି ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉ ନଥିବାରୁ ଆଲୋଚନା ପାଇଁ ପାକିସ୍ତାନୀ ମନ୍ତ୍ରୀମାନେ ଆଗ୍ରହ ପ୍ରକାଶ କରିଥିଲେ। ତେବେ ଜବାବରେ ଆଫଗାନିସ୍ତାନ ସେମାନଙ୍କୁ ଦେଶ ଭିତରେ ପ୍ରବେଶ ଦେବାକୁ ସିଧାସଳଖ ମନା କରିଦେଇଥିଲା। ଯାହାଫଳରେ ଇସଲାମାବାଦ ଆଫଗାନ୍ ସହ କଥା ହେବାକୁ କତାର ଏବଂ ସାଉଦି ଆରବକୁ ଯୋଗାଯୋଗ କରିଥିବା ଜଣାପଡିଛି।

ଆପଣଙ୍କୁ ଜଣାଇ ରଖୁ ଯେ, ଗତ ସପ୍ତାହରେ ଇସଲାମାବାଦ କାବୁଲରେ ଥିବା ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ଶିବିରଗୁଡ଼ିକୁ ପ୍ରଥମେ ଟାର୍ଗେଟ କରିଥିଲା। ଯାହା ପରେ ଉଭୟ ଦେଶ ମଧ୍ୟରେ ଶତ୍ରୁତା କ୍ରମଶ ବୃଦ୍ଧି ପାଇବାରେ ଲାଗିଛି। ୨୦୨୧ ମସିହାରେ ତାଲିବାନ କ୍ଷମତା ଦଖଲ କରିବା ପରଠାରୁ ଏହା ଦୁଇ ଦେଶ ମଧ୍ୟରେ ସବୁଠାରୁ ଖରାପ ସମୟ ଭାବେ ପରିଗଣିତ ହେଉଛି। ଏହି ଘଟଣା ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେତେବେଳେ ତାଲିବାନ ବୈଦେଶିକ ମନ୍ତ୍ରୀ ତାଙ୍କର ପ୍ରଥମ ଭାରତ ଗସ୍ତରେ ନୂଆଦିଲ୍ଲୀ ଆସିଛନ୍ତି।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଦାବି କରିଛନ୍ତି ଯେ ପାକିସ୍ତାନ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡାକ୍ ଜିଲ୍ଲାରେ "ହାଲୁକା ଏବଂ ଭାରୀ ଅସ୍ତ୍ର" ଚଳାଇ ହିଂସା ଆରମ୍ଭ କରିଛି। ଯେଉଁଥିରେ ୧୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏଫପି, ଏହି ଆକ୍ରମଣରେ ହୋଇଥିବା ଆହତଙ୍କ ମଧ୍ୟରେ ୮୦ ରୁ ଅଧିକ ମହିଳା ଏବଂ ଶିଶୁ ରହିଛନ୍ତି ବୋଲି ରିପୋର୍ଟ ପ୍ରକାଶ କରିଛି।

ଏହାସହ ତାଲିବାନ ଦାବି କରିଛି ଯେ, ପାଲଟା ଆକ୍ରମଣରେ ବହୁ ସଂଖ୍ୟକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି। ଏହାସହ ସେମାନେ ପାକିସ୍ତାନ ସେନା ଦ୍ୱାରା ବ୍ୟବହୃତ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଟ୍ୟାଙ୍କ ମଧ୍ୟ ଜବତ କରିଛନ୍ତି। ଏକ ଭାଇରାଲ ଭିଡିଓରେ ତାଲିବାନ ଯୋଦ୍ଧାମାନେ ଏକ ଜବତ ପାକିସ୍ତାନୀ T-55 ଟ୍ୟାଙ୍କ ଉପରେ ଚଢ଼ିଥିବା ଦେଖାଯାଇଛି। ଖବର ମୁତାବକ, ଇସଲାମାବାଦ ଏହି ଟ୍ୟାଙ୍କ ଗୁଡିକୁ ସର୍ବିଆ ନିକଟରୁ କ୍ରୟ କରିଥିଲା।

ଅନ୍ୟପଟେ, ପାକିସ୍ତାନୀ ସେନା ତାଲିବାନ ଉପରେ ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମରେ ଥିବା ଦୁଇଟି ସେନା ପୋଷ୍ଟ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛି। ତେବେ ସେନା ସଫଳତାର ସହ ଏହି ଆକ୍ରମଣକୁ ପ୍ରତିହତ କରିଥିଲା ବୋଲି ପାକିସ୍ତାନ ସୂଚନା ପ୍ରଦାନ କରିଛି। ଏହି ସଂଘର୍ଷରେ ପ୍ରାୟ ୩୦ ଜଣ ତାଲିବାନି ନିହତ ହୋଇଛନ୍ତି। ଏହାସହ ଚାରି ସାଧାରଣ ନାଗରିକଙ୍କ ସମେତ ଜଣ ଅର୍ଦ୍ଧସାମରିକ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ନେଇ ପାକିସ୍ତାନ ଦାବି କରିଛି। ଏକ ଭାଇରାଲ୍ ଭିଡିଓରେ ପାକିସ୍ତାନ ବାୟୁସେନା (PAF)ର ଏକ ଜେଟ୍ କାନ୍ଦାହାରରେ ଏୟାରଷ୍ଟ୍ରାଇକ କରୁଥିବା ମଧ୍ୟ ଦେଖାଯାଇଛି।

ଆଗକୁ ଏନେଇ ଅଧିକ ସୂଚନା ମିଳିଲେ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।