ନୂଆଦିଲ୍ଲୀ: ଏସିଆ କପ୍ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ଏହି ମ୍ୟାଚ୍ ଆସନ୍ତା ୨୮ ସେପ୍ଟେମ୍ବରରେ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ। ଗୁରୁବାର ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ପାକିସ୍ତାନ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିନେଇଛି।

ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ୧୩୬ ରନର ଟାର୍ଗେଟକୁ ପିଛା କରି ବାଂଲାଦେଶ ୨୦ ଓଭର ସୁଦ୍ଧା ୯ ୱିକେଟ୍ ହରାଇ ମାତ୍ର ୧୨୪ ରନ ସଂଗ୍ରହ କରିପାରିଥିଲା। ଶାମିମ୍ ହୁସେନ୍ ସର୍ବାଧିକ ୩୦ ରନ ହାସଲ କରିଥିଲେ। ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଶାହିନ୍ ଶାହ ଆଫ୍ରିଦି ଏବଂ ହାରିସ୍ ରୌଫ୍ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ଏବଂ ସାମ୍ ଆୟୁବ୍ ୨ଟି ୱିକେଟ୍ ନେଇଥିଲେ।

ପୂର୍ବରୁ, ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ, ପାକିସ୍ତାନ ୨୦ ଓଭରରେ ୮ ୱିକେଟ୍ ହରାଇ ମୋଟ୍ ୧୩୫ ରନ କରିଥିଲା। ମହମ୍ମଦ ହାରିସ୍ ୩୧, ଶାହିନ୍ ଶାହ ଆଫ୍ରିଦି ୧୯ ଏବଂ ମହମ୍ମଦ ନୱାଜ୍ ୨୫ ରନ କରି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଏହାପରେ ଦଳ ମାତ୍ର  ୪୯ ରନରେ ୫ ୱିକେଟ୍ ହରାଇଥିଲା। ବାଂଲାଦେଶ ପାଇଁ ତସ୍କିନ୍ ଅହମ୍ମଦ ୩ ୱିକେଟ୍ ନେଇଥିଲେ। ମେହିଦି ହାସନ ଏବଂ ରିଆଜ ହୁସେନ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ।