ଫୈସଲାବାଦ, ୭/୧୧ : କ୍ୱିଣ୍ଟନ ଡି’କକ୍ଙ୍କ ଅପରାଜିତ ଶତକ ବଳରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆରେ ଘରୋଇ ପାକିସ୍ତାନକୁ ୮ ୱିକେଟରେ ହରାଇ ସିରିଜ ବରାବର କରିଛି । ଏହି ମ୍ୟାଚ୍ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୨୬୯ରନ୍ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୪୦.୧ ଓଭରରେ ୨ ୱିକେଟ୍ ବିନିମୟରେ ବିଜୟ ହାସଲ କରିଥିଲା । ଡି’କକ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଟସ୍ ଜିତି ପାକିସ୍ତାନ ବ୍ୟାଟିଂ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୨୨ରନ୍ ମଧ୍ୟରେ ଦଳ ୩ଟି ୱିକେଟ ହରାଇଥିଲା ।
ଓପନର ସାଏମ ଆୟୂବ ୫୩ (୫ଚୌକା, ୧ଛକା), ସଲମାନ ଆଘା ୬୯ (୫ଚୌକା), ମହମ୍ମଦ ନୱାଜା ୫୯ (୩ଚୌକା, ୪ଛକା), ଫହିମ ଅସ୍ରଫ ୨୮ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୯/୧୬୯ରେ ପହଞ୍ଚିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ନାନ୍ଦ୍ରେ ବର୍ଗର ୪ଟି ଓ ଏନ୍. ପିଟର ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ୨୭୦ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଲୁଆନ୍ଡ୍ରେ ପ୍ରିଟୋରିୟସ ଓ ଡି’କକ୍ ଦୃଢ଼ ବ୍ୟାଟିଂ କରି ୮୧ରନ୍ ସଂଗ୍ରହ କରିଥିଲେ । ପ୍ରିଟୋରିୟସ ୭ଚୌକା, ୧ଛକା ବଳରେ ୪୬ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ଟୋନି ଡି’ ଜର୍ଜି ଯୋଗଦେଇ ଡି’କକ୍ଙ୍କ ସହ ମିଶି ସ୍କୋରକୁ ଆଗେଇ ନେଇଥିଲେ । ଡି’କକ୍ ୯୬ଟି ବଲ୍ରେ କ୍ୟାରିୟରରେ ୨୨ତମ ଦିନିକିଆ ଶତକ ପୂରଣ କରିଥିଲେ । ଦ୍ୱିତୀୟ ୱିକେଟରେ ଉଭୟ ୧୫୩ରନ୍ର ଭାଗିଦାରୀ ଗଠନ କରି ଦଳକୁ ବିଜୟ ନିକଟତର କରାଇଥିଲେ । ଦଳୀୟ ସ୍କୋର ୨୩୪ରେ ବ୍ୟକ୍ତିଗତ ୭୬ (୯ଚୌକା, ୩ଛକା) ରନ୍ କରି ଆଉଟ୍ ହୋଇଥିଲେ ଡି’ଜର୍ଜି । ମାତ୍ର ଡି’କକ୍ ଓ ମାଥ୍ୟୁ ବ୍ରିଜକି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ ।