ନୂଆଦିଲ୍ଲୀ ୨୪/୧୦: ଚିକିତ୍ସା ସହିତ ସଙ୍ଗୀତର ଅଦ୍ୱିତୀୟ ସମନ୍ୱୟ ଦେଖିବାକୁ ମିଳିଛି । ୬୫ ବର୍ଷୀୟା ଜଣେ ପାର୍କିନ୍ସନ୍ସ ରୋଗୀ ନିଜର ମସ୍ତିଷ୍କ ସର୍ଜରି ସମୟରେ ଶେହନାଇ (ବାଦ୍ୟଯନ୍ତ୍ର) ବଜାଇଛନ୍ତି । ଡେନିସ୍ ବେକନ୍ ନାମ୍ନୀ ଏହି ମହିଳା ପୂର୍ବ ସସେକ୍ସର କ୍ରୋବୋରୋଗ୍ର ଜଣେ ଅବସରପ୍ରାପ୍ତ ସ୍ପିଚ୍ ଓ ଲାଙ୍ଗୁଏଜ୍ ଥେରାପିଷ୍ଟ୍ ।
୨୦୧୪ ମସିହାରୁ ସେ ପାର୍କିନ୍ସନ୍ସରେ ପୀଡ଼ତ । ଶରୀର ଜଡ଼ ହୋଇଯିବା ଏବଂ ଧିମା ଗତିବିଧି ତାଙ୍କର ସବୁ ଖୁସିକୁ ଛଡ଼ାଇ ନେଇଥିଲା । ଏପରିକି ସଙ୍ଗୀତଠୁ ମଧ୍ୟ ସେ ଦୂରେଇ ଯାଇଥିଲେ । କିନ୍ତୁ କିଙ୍ଗ୍ସ କଲେଜ ହସ୍ପିଟାଲରେ ଦୀର୍ଘ ୪ ଘଣ୍ଟାର ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ (ଡିବିଏସ୍) ସର୍ଜରି ସମୟରେ ଡେନିସ୍ ଶେହନାଇ ବଜାଇଲେ । ଏହି ସମୟରେ ନ୍ୟୁରୋ ସର୍ଜନ୍ମାନେ ତାଙ୍କ ମସ୍ତିଷ୍କରେ ଇଲେକ୍ଟ୍ରୋଡ୍ ପ୍ରତିରୋପଣ କଲେ । ପ୍ରଫେସର କେୟୁମାର୍ସ ଆଶକାନ ଏମ୍ବିଇଙ୍କ ନେତୃତ୍ୱାଧୀନ ସର୍ଜନ୍ ଟିମ୍ ଡେନିସ୍ଙ୍କ ଶେହନାଇ ବାଦନରୁ ପ୍ରତିକ୍ରିୟା ଗ୍ରହଣ କରି ପ୍ରତିରୋପିତ ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ ଡିଭାଇସ୍କୁ ଠିକ୍ରେ ସଜାଡ଼ିଲେ । ଡିବିଏସ୍ ଡିଭାଇସ୍ ପାର୍କିନ୍ସନ୍ସର ଲକ୍ଷଣ ହ୍ରାସ ଲାଗି ମସ୍ତିଷ୍କର ନିର୍ଦ୍ଦିଷ୍ଟ ସ୍ଥାନକୁ ବୈଦ୍ୟୁତିକ ସଙ୍କେତ ପଠାଏ ।
ଅପରେସନ୍ ପରେ ତତ୍କ୍ଷଣାତ ଫଳ ସାମ୍ନାକୁ ଆସିଲା । ବାଦ୍ୟଯନ୍ତ୍ର ବଜାଉଥିବା ଡେନିସ୍ଙ୍କ ଆଙ୍ଗୁଳି ଚାଳନାରେ ଉଲ୍ଲେଖଯୋଗ୍ୟ ଉନ୍ନତି ଲକ୍ଷ୍ୟ କରାଗଲା । ସର୍ଜରି ଚାଲୁଥିଲେ ହେଁ, ଆଶ୍ଚର୍ଯ୍ୟଜନକ ଭାବେ ସେ ଅତି ସୁନ୍ଦର ଶେହନାଇ ବଜାଇଲେ । ଏହି ଭାବପୂର୍ଣ୍ଣ ମୁହୂର୍ତ୍ତ ଚିକିତ୍ସା ଜଗତରେ କେବଳ ଏକ ମାଇଲଖୁଣ୍ଟ ହୋଇନାହିଁ, ଡେନିସ୍ଙ୍କ ପୂର୍ବ ପରିଚୟକୁ ମଧ୍ୟ ଫେରାଇ ଦେଇଛି ।
ପ୍ରଫେସର ଆଶକାନ କହିଛନ୍ତି, ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ରେ ମସ୍ତିଷ୍କର ଗଭୀର ଢାଞ୍ଚାରେ ଇଲେକ୍ଟ୍ରୋଡ୍ ପ୍ରତିରୋପଣ କରାଯାଏ । ଗତିବିଧି ବିକାରଯୁକ୍ତ ରୋଗୀଙ୍କଠାରେ ଗତିଶୀଳତା ଲକ୍ଷଣର ଉନ୍ନତି ଲାଗି ଏହା ଏକ ଜଣାଶୁଣା ପ୍ରକ୍ରିୟା । ଡେନିସ୍ଙ୍କ ମସ୍ତିଷ୍କର ବାମ ପାଶ୍ୱର୍ରେ ଇଲେକ୍ଟ୍ରୋଡ୍ ପ୍ରତିରୋପଣ ପରେ କରେଣ୍ଟ୍ ଚାଲୁ କରାଗଲା । ତତ୍କ୍ଷଣାତ୍ ତାଙ୍କ ଡାହାଣ ହାତର ଗତିବିଧିରେ ଉନ୍ନତି ପରିଲକ୍ଷିତ ହେଲା ।
ସେହିପରି ମସ୍ତିଷ୍କର ଡାହାଣ ପାଶ୍ୱର୍ରେ ଇଲେକ୍ଟ୍ରୋଡ୍ ଲଗାଇବା ପରେ ତାଙ୍କ ବାମ ହାତର ଗତିବିଧିରେ ମଧ୍ୟ ସମାନ ଉନ୍ନତି ଦେଖାଗଲା । ଡେନିସ୍ ଜଣେ ପ୍ରବୀଣ ଶେହନାଇ ବାଦିକା ହୋଇଥିବାରୁ ଅପରେସନ୍ ଥିଏଟରକୁ ଶେହନାଇ ଆଣିବାକୁ ଡାକ୍ତର ତାଙ୍କୁ କହିଥିଲେ । ତାଙ୍କର ବାଦନ ସାମର୍ଥ୍ୟରେ ଉନ୍ନତି ହେଉଛି କି ନାହିଁ, ସେମାନେ ଦେଖିବାକୁ ଚାହୁଁଥିଲେ । କାରଣ ଖାସ୍ ଏଥିପାଇଁ ଡେନିସ୍ ସର୍ଜରି କରାଇଥିଲେ ।