ଭୁବନେଶ୍ୱର, ୨୨/୧୦ : ପୂର୍ବତଟ ରେଳପଥ ପକ୍ଷରୁ ପାର୍ବଣ ଭିଡ଼ ପାଇଁ ବ୍ୟାପକ ଯାତ୍ରୀ ସୁବିଧା କରାଯାଇଛି । ୩୬୭ ସ୍ୱତନ୍ତ୍ର ଟ୍ରେନ୍, ୨୪ ଘଣ୍ଟିଆ ନିରୀକ୍ଷଣ, ସୁରକ୍ଷା ଯାଞ୍ଚ କାର୍ଯ୍ୟ ଚାଲୁ ରହିଛି। ଯାତ୍ରୀ ଭିଡ଼ ନିୟନ୍ତ୍ରଣ ସହିତ ୯୦୦ରୁ ଅଧିକ ସିସିଟିଭି ନିରୀକ୍ଷଣ କରାଯାଉଛି ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ କହିଛନ୍ତି।
ମଙ୍ଗଳବାର ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ସମସ୍ତ ବ୍ୟବସ୍ଥାର ବିସ୍ତୃତ ଭାବେ ସମୀକ୍ଷା ଏବଂ କଡ଼ାକଡ଼ି ତଦାରଖ କରିଛନ୍ତି । ପାର୍ବଣ ଋତୁରେ ଯାତ୍ରୀଙ୍କ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ସୁଗମ କାର୍ଯ୍ୟ ସୁନିଶ୍ଚିତ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ସୁବିଧାଜନକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ସାରା ଦେଶରେ ୧୨ହଜାରରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ପରିଚାଳନା କରୁଛି । ଯେଉଁଥିରୁ ପୂର୍ବତଟ ରେଳପଥ ୩୬୭ ଟି ସ୍ୱତନ୍ତ୍ର ଟ୍ରେନ ଚଲାଉଛି । ୧ ଅକ୍ଟୋବର ୨୦୧୫ଠାରୁ ମୋଟ ୭୬ ସ୍ୱତନ୍ତ୍ର ଟ୍ରେନ ପରିଚାଳିତ ହୋଇସାରିଛି । ଚାହିଦା ଏବଂ ଟିକଟ୍ ବୁକିଂ ଅନୁଯାୟୀ ପୂର୍ବତଟ ରେଳପଥ ସର୍ବାଧିକ ଯାତ୍ରୀ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ରିଅଲ୍-ଟାଇମ୍ ଟିକଟ୍ ବୁକିଂ ଉପରେ ନଜର ରଖି ଆବଶ୍ୟକ ସ୍ଥାନରେ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ପ୍ରଚଳନ କରୁଛି।